ଭୁବନେଶ୍ବର: ଭାରତୀୟ ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍‌ ଷ୍ଟାଟିଷ୍ଟିକ୍‌ ରିପୋର୍ଟ-୨୦୨୫ କହୁଛି, ୨୦୨୪ ମସିହାରେ ଓଡ଼ିଶାକୁ ୧ କୋଟି ୯ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିଲେ। ସେହିବର୍ଷ ସର୍ବାଧିକ ପର୍ଯ୍ୟଟକ ଉତ୍ତରପ୍ରଦେଶକୁ ଆସିଥିବା ବେଳେ ସେମାନଙ୍କ ସଂଖ୍ୟା ଥିଲା ୬୪ କୋଟି ୬୮ ଲକ୍ଷରୁ ଅଧିକ। ଏହା ପଛକୁ ତାମିଲନାଡ଼ୁ ଆସିଥିଲେ ୩୦ କୋଟି ୬୮ ଲକ୍ଷ ପର୍ଯ୍ୟଟକ। କର୍ଣ୍ଣାଟକ ଭ୍ରମଣ କରିଥିଲେ ୩୦ କୋଟି ୪୫ ଲକ୍ଷରୁ ଅଧିକ ପର୍ଯ୍ୟଟକ। ଏପରିକି ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ୨୯ କୋଟିରୁ ଅଧିକ ପର୍ଯ୍ୟଟକ ଆସିଥିବା ବେଳେ ପଶ୍ଚିମବଙ୍ଗ ବୁଲିଥିଲେ ୧୮ କୋଟିରୁ ଅଧିକ ଲୋକ। ଏହାକୁ ତୁଳନା କଲେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ଅତ୍ୟନ୍ତ ନଗଣ୍ୟ ରହିଛି। ଘରୋଇ ପର୍ଯ୍ୟଟକଙ୍କ ଅବସ୍ଥା ଏହା ଥିବା ବେଳେ ବିଦେଶୀ ପର୍ଯ୍ୟଟକକୁ ଆକର୍ଷିତ କରିବାରେ ଓଡ଼ିଶା ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୨୪ ମସିହାରେ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ମହାରାଷ୍ଟ୍ର ବୁଲିଥିଲେ। ସେମାନଙ୍କ ସଂଖ୍ୟା ଥିଲା ୩୭ ଲକ୍ଷରୁ ଅଧିକ। ପଡ଼ୋଶୀ ପଶ୍ଚିମବଙ୍ଗକୁ ସେହିବର୍ଷ ୩୧ ଲକ୍ଷରୁ ଅଧିକ ବିଦେଶୀ ଲୋକ ଭ୍ରମଣ କରିଛନ୍ତି। ହେଲେ ଓଡ଼ିଶା ଏ କ୍ଷେତ୍ରରେ ଚିନ୍ତାଜନକ ଭାବେ କମ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଛି। ସେହି ବର୍ଷ ଓଡ଼ିଶା ଭ୍ରମଣ କରିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ମାତ୍ର ୫୩ ହଜାର। ୨୦୨୩ ଠାରୁ ମାତ୍ର ୮ ହଜାର ବଢ଼ିଛି। ରାଜ୍ୟକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ପରିଣତ କରିବାକୁ ପ୍ରତିବର୍ଷ ପର୍ଯ୍ୟଟନ ବଜେଟରେ ଅଧିକ ଅର୍ଥ ବ୍ୟୟବରାଦ କରାଯାଉଥିବା ବେଳେ ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶାକୁ ଏତେ କମ୍‌ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଏବେ ରାଜ୍ୟ ପଇେଁ ଚିନ୍ତାର କାରଣ ପାଲଟିଛି। ତେବେ ରାଜ୍ୟରେ ତାରକା ହୋଟେଲ ଓ ରୁମ୍‌ର ଅଭାବ ଏହାର ପ୍ରମୁଖ କାରଣ ବୋଲି ଭ୍ରମଣ ଓ ଆତିଥେୟ ଶିଳ୍ପ ପକ୍ଷରୁ କୁହାଯାଉଛି।    

Advertisment

ସୂଚନା ମୁତାବକ, ୨୦୨୩ ସୁଦ୍ଧା କେରଳରେ କେରଳରେ ଦେଶର ସର୍ବାଧିକ ୬୧୭ଟି ତାରକା ହୋଟେଲ ରହିଥିବା ବେଳେ ଏଠାରେ ୧୫ ହଜାରରୁ ଅଧିକ ତାରକା ରୁମ୍‌ ରହିଛି। ସେହିଭଳି ମହାରାଷ୍ଟ୍ରରେ ୧୦୬ଟି ତାରକା ହୋଟେଲ ରହିଥିବା ବେଳେ ସେଠାରେ କେରଳଠାରୁ ବି ଅଧିକ ତାରକା ରୁମ୍‌ ରହିଛି। ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୧୬୫୫୭ଟି ତାରକା ରୁମ୍‌ ରହିଛି। ଗୁଜରାଟରେ ୧୬୦ଟି ତାରକା ହୋଟେଲ ରହିଥିବା ବେଳେ ସେଥିରେ ରୁମ୍‌ ରହିଛି ୧୧୭୪୭ଟି।ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗରେ ୬୦ଟି ତାରକା ହୋଟେଲ ରହିଥିବା ବେଳେ ଏହାର ରୁମ୍‌ ସଂଖ୍ୟା ୪୭୮୬। ହେଲେ ଓଡ଼ିଶାରେ ମାତ୍ର ୧୬ଟି ତାରକା ହୋଟେଲ ରହିଥିବା ବେଳେ ଏଠାରେ ୧୦୫୫ଟି ତାରକା ବର୍ଗର ରୁମ୍‌ ରହିଛି। ଯାହାକି ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ରହଣୀ ସୁବିଧା ଦେବାରେ ବିଫଳ ହେଉଛି।

ଓଡ଼ିଶାକୁ ଆବଶ୍ୟକ ୬ ହଜାର, ଅଛି ୧୦୫୫ ତାରକା ହୋଟେଲ ରୁମ୍‌
ଭୁବନେଶ୍ବର, ପୁରୀ, ଗୋପାଳପୁରରେ ସୀମିତ ତାରକା ହୋଟେଲ 
ଅନ୍ୟ ପ୍ରମୁଖ ରାଜ୍ୟଠାରୁ ବହୁ ପଛରେ ଓଡ଼ିଶା

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବିଶାଳ ସମ୍ଭାବନା ଥିଲେ ବି ତାହାର ଠିକ୍ ଉପଯୋଗ ଏଯାଏ ହୋଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ଉପଯୁକ୍ତ ଭିତ୍ତିଭୂମି ଓ ଗମନାଗମନ ବ୍ୟବସ୍ଥା ଠିକ୍ ଭାବେ କରାଯାଇ ନାହିଁ। ଯଦିଓ ରାଜ୍ୟ ବଜେଟ୍‌ରେ ପର୍ଯ୍ୟଟନ ବିଭାଗ ପାଇଁ ଗତ ପାଞ୍ଚ ବର୍ଷ ହେଲା ଅଧିକ ଅର୍ଥ ବରାଦ କରାଯାଉଛି, କିନ୍ତୁ ତାହା ଯଥେଷ୍ଟ ହେଉ ନାହିଁ। ଏସବୁ ସତ୍ତ୍ବେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆଦି ଓଡ଼ିଶାରେ ଆୟୋଜନ ହେଉଥିବାରୁ କିଛି ମାତ୍ରାରେ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। ଯେତିକି ଆସୁଛନ୍ତି, ସେମାନଙ୍କୁ ବି ଉପଯୁକ୍ତ ଆତିଥେୟତା ଯୋଗାଇବା ପାଇଁ ଆମର ଭିତ୍ତିଭୂମି ନାହିଁ। ବିଶେଷ କରି ବିଦେଶରୁ ଆସୁଥିବା ବହୁ ପର୍ଯ୍ୟଟକ ଆରାମଦାୟକ ରହଣୀ ପାଇଁ ଦାମୀ ହୋଟେଲ୍‌ ଖୋଜନ୍ତି। କିନ୍ତୁ ତାରକା ହୋଟେଲର ଅଭାବ ଯୋଗୁଁ ସେମାନେ ଏବେ ଓଡ଼ିଶା ଆସିବାକୁ ମୁହଁ ମୋଡ଼ୁଛନ୍ତି।

ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌(ହାରୋ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀନିବାସ ସୁବୁଦ୍ଧି କହିଛନ୍ତି, ରାଜ୍ୟରେ ମୁଖ୍ୟତଃ ତାରକା ହୋଟେଲ ସବୁ ଭୁବନେଶ୍ବର, ପୁରୀ ଓ ଗୋପାଳପୁରରେ ହିଁ ରହିଛି। ଏହାଛଡ଼ା ଅବଶିଷ୍ଟ ଓଡ଼ିଶାରେ ଏବେ ୬ ହଜାରୁ ଅଧିକ ତାରକା ହୋଟେଲ ରୁମ୍‌ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୫-ତାରକା ବର୍ଗରେ ୫୦୦ ରୁମ୍‌, ୩-ତାରକା ବର୍ଗରେ ୨ ହଜାର ରୁମ୍‌ ଓ ୨-ତାରକା ବର୍ଗରେ ୪ ହଜାର ରୁମ୍‌ ନିର୍ମାଣ କରିବା ଆବଶ୍ୟକ। ପୁରୀ, ଭୁବନେଶ୍ବର ଓ ଚିଲିକା ବ୍ୟତୀତ ସମ୍ବଲପୁର, କଟକ, କୋଣାର୍କ, ସାତକୋଶିଆ, ଭିତରକନିକା, କୋରାପୁଟ, ତାଳସରି ବେଳାଭୂମି, ଦାରିଙ୍ଗିବାଡ଼ି, ଫୁଲବାଣୀ ଓ ମୟୂରଭଞ୍ଜ ଆଦି ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ସେଠାରେ ତାରକା ହୋଟେଲର ଅଭାବ ଓଡ଼ିଶାକୁ ପର୍ଯ୍ୟଟକ ଟାଣିବାରେ ସମର୍ଥ ହେଉନି। ଏହାଛଡ଼ା ପର୍ଯ୍ୟଟକ ବଢ଼ାଇବାକୁ କାରାଭାନ୍‌ ଟୁରିଜିମ୍‌ର ବି ଆବଶ୍ୟକତା ରହିଛି। ଏ ଦିଗରେ ସରକାରୀ ସ୍ତରରେ ଠୋସ୍ ପଦକ୍ଷେପ ନିଆଯିବାର ଆବଶ୍ୟକତା‌ ରହିଛି ବୋଲି ସେ କହିଛନ୍ତି।