୧୮-୪୪ବର୍ଗ ପାଇଁ ଟିକା ଅଭାବ, ବାଧାପ୍ରାପ୍ତ ହୋଇପାରେ ଟିକାକରଣ

୭୭ଲକ୍ଷ ନେଲେଣି କରୋନା ଟିକା

ଭୁବନେଶ୍ବର : ରାଜ୍ୟରେ ୭୭ଲକ୍ଷ ୫୨ହଜାର ୨୦୪ଜଣ କରୋନା ଟିକା ନେଇ ସାରିଲେଣି। ସୋମବାର ୯୫୨ ଟିକାକରଣ ଅଧିବେଶନରେ ୧ଲକ୍ଷ ୨୬ହଜାର ୮୭୬ଜଣଙ୍କୁ କରୋନା ଟିକା ଦିଆଯିବା ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଆଜି ୯୩୬ଟିକାକରଣ ଅଧିବେଶନ ଆୟୋଜିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ସୋମବାର ୧୮-୪୪ବର୍ଗର ୨୪,୪୦୫ଜଣଙ୍କୁ ଟିକା ଦିଆଯାଇଛି। ସମୁଦାୟ ଏହି ବର୍ଗର ୭ଲକ୍ଷ ୨୫ହଜାର ୨୯୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଲାଣି। ଯାହାକି ଏହି ବର୍ଗରେ ଥିବା ଲୋକଙ୍କ ୪୨ ପ୍ରତିଶତ। ତେବେ ଭୁବନେଶ୍ବରକୁ ବାଦ୍ ଦେଲେ ଅନ୍ୟ ୪ଟି ମ୍ୟୁନିସିପାଲଟି ଓ ୬ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘କୋଭିସିଲ୍‌ଡ’ ଟିକା ଦିଆଯାଉଛି। ରାଜ୍ୟ‌ ସରକାର କିଣିଥିବା ‘କୋଭାକ୍ସିନ୍’ର ୮୯୮୦ ଡୋଜ୍ ଓ ‘କୋଭିସିଲ୍‌ଡ’ ଟିକା ଏବେ ସୁଦ୍ଧା ୧୮,୬୯୦‌ ଡୋଜ୍‌କୁ ମିଶାଇ ସମୁଦାୟ ୨୭,୬୭୦ ଡୋଜ୍ ମହଜୁଦ ଅଛି। ଏ ଦୃଷ୍ଟିରୁ ଆସନ୍ତା ୨ତାରିଖ ପରଠାରୁ ରାଜ୍ୟରେ ଏହି ବର୍ଗର ଲୋକଙ୍କ ଟିକାକରଣ ବ୍ୟାଘାତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ବନ୍ଦ ହେବ ନାହିଁ। ଯେତିକି ଟିକା ରହିଛି ସେହି ଅନୁଯାୟୀ ଟିକାକରଣ ଜାରି ରହିଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ୍ ଓ ସିରମ ଇନଷ୍ଟିଚ୍ୟୁଟ୍‌କୁ ଅଗ୍ରିମ ଟଙ୍କା ପ୍ରଦାନ କରାଯାଇଛି। ତେଣୁ ଖୁବଶୀଘ୍ର ରାଜ୍ୟରେ ଟିକା ପହଞ୍ଚିବ ବୋଲି ଆଶା କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ଅପରପକ୍ଷରେ ସୋମବାର ୪୫ବର୍ଷରୁ ଅଧିକ ୯୪,୨୪୪ଜଣଙ୍କୁ ପ୍ରଥମ ଓ ୫୫୮୯ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୫ବର୍ଷରୁ ଅଧିକ ୪୮ଲକ୍ଷ ୮୪ହଜାର ୬୪୨ଜଣଙ୍କୁ ପ୍ରଥମ ଡୋଜ୍ ଦିଆ ସରିଥିବା ବେଳେ ୧୦ଲକ୍ଷ ୭୭ହଜାର ୩୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ନିକଟରେ କେନ୍ଦ୍ର ସରକାର ‘କୋଭିସିଲ୍‌ଡ’ ଟିକାର ଦ୍ବିତୀୟ ଡୋଜ୍‌ର ଅବଧିକୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିଛନ୍ତି। ଏ ଦୃଷ୍ଟିରୁ ୪୫ବର୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଲାଗି ଉଦ୍ୟମ ଜାରି ରହିଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ ଡୋଜ୍ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍, ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୮ ପ୍ରତିଶତ ପ୍ରଥମ ଓ ୯୫ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର