ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନବରଙ୍ଗପୁର ରେଳପଥ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ୮ବର୍ଷ ହେବ ପ୍ରକଳ୍ପର ଭବିଷ୍ୟତ ଝୁଲି ରହିଛି। ରାଜନୈତିକ ଇଚ୍ଛାଶକ୍ତି କେବେ ଉଦୟ ହେବ ବୋଲି ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ରେଳମନ୍ତ୍ରୀ ତାଙ୍କ କଳାହାଣ୍ଡି ଗସ୍ତବେଳେ ଏହି ପ୍ରକଳ୍ପ ପାଇଁ କିଭଳି ପଦକ୍ଷେପ ନେବେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଜମି ଅଧିଗ୍ରହଣ ଓ ଅନୁଦାନ ପ୍ରଦାନ ନହେବାରୁ ବର୍ଷ ବର୍ଷ ଧରି ପ୍ରକଳ୍ପର କାର୍ଯ୍ୟ ସର୍ଭେ ମଧ୍ୟରେ ସୀମିତ ରହିଛି।

Advertisment

୧୯୯୦ ମସିହାରେ ଅନୁମୋଦିତ ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ରୋଡ୍‌ ରେଳପଥ ସମ୍ପ୍ରସାରଣ ହୋଇ ଅମ୍ବାଗୁଡ଼ାକୁ ଯୋଡ଼ି ହେବାର ଥିଲା। ୨୦୧୨-୧୩ ମସିହା ସୁଦ୍ଧା ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ରୋଡ୍‌ ଶେଷ ହୋଇଛି। ୨୦୦୮ ମସିହାରୁ ୧୭୯ କିମି ଜୁନାଗଡ଼ ରୋଡ୍‌- ଅମ୍ବାଗୁଡ଼ାର ସର୍ଭେ ହୋଇ ୨୦୧୩-୨୦୧୪ ମସିହାରେ ଶେଷ ହୋଇଥିଲା। ଏହାର ଆର୍‌ଓଆର ରିଟର୍ନ ୧୪ ପ୍ରତିଶତ ଥିଲା। ୨୦୧୩ ମସିହାରେ ଏହି ରେଳପଥର ରେଳଷ୍ଟେସନ୍‌ ସବୁ ଜୁନାଗଡ଼ ରୋଡ୍‌ ଓ ନବରଙ୍ଗପୁର ଭିତରେ ରେଳ ବିଭାଗ ଚୂଡ଼ାନ୍ତ କରିସାରିଥିଲା। ୨୦୧୪ ମସିହାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ନବରଙ୍ଗପୁର-ଜୟପୁର ଓ ଜୟପୁର-ମାଲକାନଗିରି ରେଳଲାଇନ୍‌କୁ ମଂଜୁର କରାଯାଇଥିଲା। ଏଥିରେ ଓଡ଼ିଶା ସରକାର ଜମି ମାଗଣା ଦେବା ସହ ୨୫ରୁ ୫୦ ପ୍ରତିଶତ ସହଭାଗୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ସରକାର ସହିତ ମିଶି କେନ୍ଦ୍ର ସରକାର ଓଆର୍‌ଆଇଡିଏଲ୍‌ ଗଠନ କଲେ। ଯେଉଁଥିରେ ଜୁନାଗଡ଼ ରୋଡ୍‌-ନବରଙ୍ଗପୁର ରେଳପଥକୁ ସାମିଲ କରିବାକୁ ଯୋଜନା ହୋଇଥିଲା। ପୂର୍ବତଟ ରେଳ ଡିଭିଜନ୍‌ର ମୁଖ୍ୟ ପ୍ରଶାସକ ଆର୍‌କେ ପଣ୍ଡା ସୂଚନା ଅଧିକାର ଆଇନ୍‌ରେ ଜଣାଇଥିଲେ (ଚିଠି ନଂ. ୨୦୧୯/୦୫୦୨୩୮୯ ତା: ୩୦/୦୮/୨୦୧୯) ଯେ ଜୁନାଗଡ଼ ରୋଡ୍‌ -ନବରଙ୍ଗପୁର ରେଳପଥ ଜୁନାଗଡ଼-ଜୟପୁର-ମାଲକାନଗିରି-ଭଦ୍ରାଚଳମ୍‌ ରେଳପଥର ଏକ ଅଂଶ ଓ ଏହାର ୧୩୦ କିମି ୨୦୧୬-୧୭ ମସିହାରେ ଅନୁମୋଦିତ ହୋଇଛି। ଏହାର ପ୍ରାଥମିକ ଇଞ୍ଜିନିୟରିଂ କମ୍‌ ଟ୍ରାଫିକ୍ ରିପୋର୍ଟ ୨୦୧୭ ମସିହା ଅକ୍ଟୋବର ୩୦ ତାରିଖରେ ଦିଆଯାଇଛି। ସେହିପରି ରେଳବୋର୍ଡ ପର୍ଯ୍ୟବେକ୍ଷଣକୁ ଅନୁପାଳନ କରିବାକୁ ୨୦୧୮ ମସିହା ନଭେମ୍ବର ୧୭ ତାରିଖରେ ଦାଖଲ କରାଯାଇଛି। ୧୪% ରିଟର୍ଣ୍ଣ ଥିବା ଜୁନଗଡ଼-ନବରଙ୍ଗପୁର ରେଳପଥକୁ ଅଗ୍ରାଧିକାର ଦିଆଯାଉନାହିଁ। ୮ବର୍ଷ ଧରି ଏହି ପ୍ରକଳ୍ପ ନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୌଣସି ଆଗ୍ରହ ଦେଖାଉନାହାନ୍ତି। ଫଳରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି।