ସୁନ୍ଦରଗଡ଼ରେ ନାରୀନେତ୍ରୀଙ୍କ ଅଭାବ : ଏଯାଏ ମାତ୍ର ୨ ବିଧାୟିକା, ୧ ମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସ

ରାଉରକେଲା, (ମଳୟ ରଂଜନ ସାହୁ) : ଅନ୍ତର୍ଜାତୀୟ ମହିଳା ହକିକୁ ଲଗାତାର ଭାବେ ତାରକା ଦେଇ ଆସୁଥିବା ସୁନ୍ଦରଗଡ଼ ଜିଲ୍ଲାରେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭୂମିକା ବହୁ ପଛରେ ରହିଛି। ସ୍ବାଧୀନତା ପରଠାରୁ ହାତ ଗଣତି କେଇ ଜଣ ମହିଳା ଲୋକସଭା ଓ ବିଧାନସଭାରେ ଲଢ଼ିବାର ସୁଯୋଗ ପାଇଛନ୍ତି। ଲୋକସଭା, ରାଜ୍ୟସଭା ଓ ବିଧାନସଭାକୁ ପ୍ରତିନିଧିତ୍ବ କରିଛନ୍ତି ମାତ୍ର ୨ ଜଣ ମହିଳା। ସେମାନେ ହେଲେ, କଂଗ୍ରେସର ସ୍ବର୍ଗତା ସୁଶ୍ରୀ ଫ୍ରିଡା ଟପ୍ନୋ, ଅନ୍ୟ ଜଣେ ହେଲେ ବର୍ତ୍ତମାନ ବିଜେପିର ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ। ଅନ୍ୟ କିଛି ମହିଳା ଲୋକସଭା, ବିଧାନସଭା ନିର୍ବାଚନରେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ସଫଳତା ପାଇନାହାନ୍ତି।

ଏକଦା ସୁନ୍ଦରଗଡ ଜିଲ୍ଲାର ଟାଣୁଆ ମହିଳା ନେତ୍ରୀ ଭାବେ ସର୍ବଦା ନିଜର ଉପସ୍ଥିତି ଜାହିର କରି ଚାଲିଥିଲେ ସ୍ବର୍ଗତା ସୁଶ୍ରୀ ଫ୍ରିଡା ଟପ୍ନୋ। ୧୯୨୫ ସେପ୍ଟେମ୍ବର ୨୦ରେ ବଡଗାଁରେ ଜନ୍ମିତ ସ୍ବର୍ଗତା ଟପ୍ନୋ ଆଦିବାସୀ ମହିଳା ନେତ୍ରୀଭାବେ ଲୋକସଭା, ରାଜ୍ୟସଭାର ସାଂସଦ ହୋଇଥିଲେ। କେବଳ ସାଂସଦ ନୁହେଁ ରଘୁନାଥପାଲୀ ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ। ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ୧୯୮୫ରୁ ୧୯୯୦ରେ ବିଧାୟକ ଥିଲେ। ୧୯୮୫-୮୬ରେ ମତ୍ସ୍ୟ ପଶୁ ସମ୍ପଦ, ୧୯୮୬-୧୯୯୦ରେ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ଥିଲେ। ୧୯୯୧ରେ ଦଶମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୪-୯୬ ପର୍ଯ୍ୟନ୍ତ ରେଲୱେ ଷ୍ଟାଣ୍ଡିଂ କମିଟିର ସଭ୍ୟ ଥିଲେ। ୧୯୯୬ରେ ପୁନଶ୍ଚ ଏକାଦଶ ଲୋକଭାସକୁ ନିର୍ବାଚିତ ‌ହୋଇଥିଲେ। ଏଥିସହ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ। ସୁନ୍ଦରଗଡ ବିଧାନସଭାକ୍ଷେତ୍ରର କୁସୁମ ଟେଟେ ବିଜେଡିର ଜଣେ ଆଗ ଧାଡିର ନେତ୍ରୀ। ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷା ଦାୟିତ୍ବ ତୁଲାଇଛନ୍ତି। ୨୦୧୯ରେ ତାଙ୍କୁ ବିଧାନସଭା ଆସନ ପାଇଁ ଦଳୀୟ ଟିକେଟ ମିଳି ନଥିଲା। ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇ ବିଜେଡିର ଯୋଗେଶ ସିଂହକୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Facebook

ସେମିତି ୧୯୮୫ରେ କଂଗ୍ରେସର ତତ୍କାଳୀନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ରାଉରକେଲା ବିଧାନସଭା କ୍ଷେତ୍ରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜନତା ଦଳର ପ୍ରାର୍ଥୀ ଦିଲୀପ ରାୟଙ୍କ ବିରୋଧରେ ଲଢ଼ିଥିଲେ। ଲୋପାମୁଦ୍ରାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ୨୦୦୯ରେ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସର ସେରେଫୋନା ଟପ୍ନୋ, ସତେବେଳେ ଜେଏମ୍‌ଏମ୍‌ର ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର ମାଗଦାଲି କାଙ୍ଗାଡି ବିଧାୟକ ପ୍ରାର୍ଥୀ ଭାବେ ଜର୍ଜ ତିର୍କୀଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥି‌ଲେ। କିନ୍ତୁ ତାଙ୍କୁ ହାର ମାନିବାକୁ ପଡିଥିଲା। ୨୦୧୯ରେ କଂଗ୍ରେସରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରୁ ବିଧାୟକ, ବିଜେଡିରୁ ସୁନିତା ବିଶ୍ବାଳ ସୁନ୍ଦରଗଡ ସାଂସଦ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ଉଭୟଙ୍କୁ ପରାଜୟର ସାମନା କରିବାକୁ ପଡିଥିଲା।

ସମ୍ବନ୍ଧିତ ଖବର