ଫୁଲବାଣୀ: ଫୁଲବାଣୀ ସ୍ଥିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବହୁମୂଲ୍ୟ ଯନ୍ତ୍ରପାତି ଖତ ଖାଉଛି। ମୋଟ ୭୦ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୩୮ ଜଣଙ୍କୁ ନେଇ ଯଥାକଥା ଭାବେ ଚିକିତ୍ସାଳୟ ଚାଲିଛି। ମେଡିସିନ ବିଭାଗରେ ୫ ଜଣ ବିଶେଷଜ୍ଞ ସ୍ଥାନରେ ଜଣେ ରହିଥିବା ବେଳେ ସର୍ଜରୀ ବିଭାଗରେ ଗୋଟିଏ ପଦବି ଖାଲି ପଡ଼ିଛି ଓ ଅସ୍ଥିଶଲ୍ୟ ବିଭାଗରେ ମାତ୍ର ଦୁଇଜଣ ଠିକା ଡାକ୍ତର ଅଛନ୍ତି। ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ନଥିବାରୁ ବହୁମୂଲ୍ୟ ସିଆର୍‌ଏମ୍‌ ମେସିନ ଅଚଳ ହୋଇ ପଡ଼ିଛି। ଆନାସ୍ଥେସିଆ ବିଶେଷଜ୍ଞ ନଥିବାରୁ ରୋଗୀଙ୍କୁ ନିଶ୍ଚେତକ ଦେବାରେ ସମସ୍ୟା ସୃଷ୍ଟି ହେଉଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୫ ଜଣ ବିଶେଷଜ୍ଞଙ୍କ ସ୍ଥାନରେ ମାତ୍ର ୨ ଜଣ ରହିଛନ୍ତି।

Advertisment

ରେଡିଓଲୋଜି ଡାକ୍ତର ନଥିବାରୁ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷଣ ସମ୍ଭବପର ହୋଇପାରୁନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ପଡ଼ିପଡ଼ି ଅଚଳ ହେବାରେ ଲାଗିଛି। ସେହିଭଳି ୩ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ଚକ୍ଷୁ, ନାଶା ଓ ଗଳା ରୋଗ ବିଭାଗରେ ମାତ୍ର ଜଣେ ବିଶେଷଜ୍ଞ ଡାକ୍ତର ରହିଛନ୍ତି। ଚର୍ମ ‌ରୋଗ ବିଶେଷଜ୍ଞ ମଧ୍ୟ ନାହାନ୍ତି। ବିଶେଷକରି ଯକ୍ଷ୍ମା ରୋଗ ବିଶେଷଜ୍ଞ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବହୁ ମୂଲ୍ୟ ସିବିନେଟ୍‌ ଏବଂ ଟୁନାକ୍ଟ ମେସିନ ଅବ୍ୟବହୃତ ହୋଇ ପଡ଼ି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାତ୍ର ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ଥିଲେ। କିନ୍ତୁ ତାଙ୍କୁ ଡେପୁଟେସନରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଫଳରେ ବିନା ଯକ୍ଷ୍ମାରୋଗ ବିଶେଷଜ୍ଞ ଡାକ୍ତରରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାଲିଛି।

ଅନ୍ୟପଟେ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ପଡ଼ୋଶୀ ବ୍ରହ୍ମପୁର କିମ୍ବା କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଗରିବ ଶ୍ରେଣୀର ଲୋକ ଏହାର ମୂଲ୍ୟ ଦେଉଛନ୍ତି। ସରକାର ସ୍ବାସ୍ଥ୍ୟ ସେବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରୁଥିବାବେଳେ କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ବାସ୍ଥ୍ୟ ସେବାର ଚିତ୍ର କେତେ ଦୟନୀୟ ତାହା ଏହି ଚିତ୍ରରୁ ସ୍ପଷ୍ଟ। କନ୍ଧମାଳ ଭଳି ଏକ ଦୁର୍ଗମ ଓ ଆଦିବାସୀବହୁଳ ଜିଲ୍ଲାରେ ସ୍ବାସ୍ଥ୍ୟସେବା କେବେ ସ୍ବାଭାବିକ ହେବ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ପାଲଟିଛି। ଅନ୍ୟପଟେ, କନ୍ଧମାଳ ଜିଲ୍ଲାକୁ ଯେଉଁ ବିଶେଷଜ୍ଞ ଡାକ୍ତରମାନେ ଆସୁଛନ୍ତି, ସେମାନେ କାର୍ଯ୍ୟରେ ଯୋଗ ଦେଇ ପୁନର୍ବାର ଡେପୁଟେସନରେ କଟକ ଓ ଭୁବନେଶ୍ବର ଚାଲି ଯାଉଛନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଡାକ୍ତର ନ ଥିବାରୁ ଗତକାଲି ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ସରକାର କନ୍ଧମାଳ ଜିଲ୍ଲା ପ୍ରତି ବିଶେଷ ଧ୍ୟାନ ଦେଇ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଦାବି ହୋଇଥିଲା। କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ସରକାର ଉଚ୍ଚ ଦରମା ସହିତ ବହୁ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ଡାକ୍ତରମାନେ ଏଠାରେ କାର୍ଯ୍ୟ କରିବାକୁ ରାଜି ନ ହେବା ଘଟଣା ଚିନ୍ତାର ବିଷୟ ବୋଲି ଖୋଦ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ କହିଛନ୍ତି।