କାଠପୋଲ ନିର୍ମାଣ କଲେ ବଡ଼ଗୁଡା ସାହିବାସୀ

ବିଶୋଇ: ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ଉପାନ୍ତ ଅଞ୍ଚଳବାସୀ ସରକାରୀ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠପୋଲ ତିଆରି କରିଛନ୍ତି।
ପ୍ରତିବର୍ଷ ବର୍ଷାଦିନେ ଗ୍ରାମବାସୀ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ମୂଷଳ ଧାରାରେ ବର୍ଷା ହେଲେ ବଡ଼ମଣଦା ପଞ୍ଚାୟତ ଆହ୍ଲାପାଣି ଗ୍ରାମରୁ ବଡ଼ଗୁଡ଼ା ସାହିକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଉଛୁଳା ନଈରେ ଭାସିଯାଏ। ନଈ ଉପରେ ପୋଲ ନଥିବାରୁ ବଡ଼ଗୁଡ଼ାସାହି ଗ୍ରାମବାସୀ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇରହନ୍ତି। ପୋଲ ପାଇଁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳିନାହିଁ।

ଫଳରେ ଯାତାୟାତ ନିମନ୍ତେ ଗ୍ରାମବାସୀ ନିଜେ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ନଈ ଉପରେ ଏକ କାଠ ପୋଲ ତିଆରି କରିଛନ୍ତି। ବଡ଼ମଣଦା ପଞ୍ଚାୟତର ବଡ଼ଗୁଡ଼ା ସାହିରେ ଖଡ଼ିଆ ଓ ତନ୍ତୀ ସଂପ୍ରଦାୟର ୩୦ଟି ପରିବାରର ୧୨୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ମୁଖ୍ୟରାସ୍ତା ୪୯ ନଂବର ଜାତୀୟ ରାଜପଥରୁ ଆହ୍ଲାପାଣି ଗାଁ ପର୍ଯ୍ୟନ୍ତ ପିଚୁ ରାସ୍ତା ହୋଇଥିବାବେଳେ ଆହ୍ଲାପାଣିରୁ ୧ କିମି ବଡ଼ଗୁଡ଼ା ସାହି ରାସ୍ତାକୁ ମାଟିରାସ୍ତା ସଂଯୋଗ ହୋଇଛି। ଏହି ରାସ୍ତାକୁ ମଝିରେ ‘କାଶୀଦା-ବଡ଼ଗୁଡ଼ା ନଈ ବିଚ୍ଛିନ୍ନ କରିଛି। ସାହିକୁ ୧୦୮ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଆସି ପାରେନାହିଁ। ଖରାଦିନେ ଚାଲି ଚାଲି ନଈ ପାର ହୋଇ ଯାଉଥିବା ବେଳେ ବର୍ଷା ଦିନରେ ନଦୀର ଜଳସ୍ରୋତ ଯାଆସରେ ବ୍ୟାଘାତ ସୃଷ୍ଟି କରିଥାଏ। ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବଡ଼ଗୁଡ଼ା ସାହିବାସିନ୍ଦା ପୂର୍ବରୁ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ପାଖରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମବାସୀ ଅସ୍ଥାୟୀ ପୋଲ ନିର୍ମାଣ କରି ଯାଆସ କରୁଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଠାରେ ପିଚୁ ରାସ୍ତା ନିର୍ମାଣ ସହିତ ନଈ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର