ରାୟଗଡା: ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ ରଚନା ଲାଗି ସ୍ତମ୍ଭକାର ତଥା ଗବେଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଲାଡ଼ଲି ମିଡିଆ ଆୱାର୍ଡରେ ସମ୍ମାନିତ କରାଯାଇଛି। ରାଜସ୍ଥାନ ଇଣ୍ଟରନେସେନାଲ ସେଣ୍ଟର, ଜୟପୁରଠାରେ ଅକ୍ଟୋବର ୨୧ ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରର ମିଡିଆ ବ୍ୟକ୍ତିତ୍ବ ଓ ବୁଦ୍ଧିଜୀବୀଙ୍କ ସମାବେଶ ମଧ୍ୟରେ ଶ୍ରୀ ସାହୁଙ୍କୁ ଏଇ ଜାତୀୟ ସ୍ତରର ସମ୍ମାନରେ ସମ୍ମାନିତ କରାଯାଇଛି। ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ, ଫିଚର, ଖବର, ଡକ୍ୟୁମେଣ୍ଟାରି, ରେଡ଼ିଓ ଫିଚର ଆଦି ବିଭିନ୍ନ ବର୍ଗରେ ପ୍ରାର୍ଥୀତ୍ବଙ୍କୁ ଏଥିପାଇଁ ଚୟନ ହୋଇଥିଲା।
ସ୍ତମ୍ଭ ଲେଖାକ୍ରମରେ ଦୈନିକ ଧରିତ୍ରୀ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ "ଝିଅ କେବଳ ଝିଅ ନୁହେଁ" ପାଇଁ ପୂର୍ବ ଭାରତ ପ୍ରାନ୍ତରୁ ଦ୍ବିତୀଚନ୍ଦ୍ରଙ୍କୁ ଚୟନ କରାଯାଇଛି। ପିପୁଲସ ଫାଷ୍ଟ ଓ ୟୁଏନଏଫପିଏ ମିଳିତ ସହଯୋଗରେ ଲୋକ ସମ୍ବାଦ ସଂଗଠନର ଆୟୋଜନରେ ଆୟୋଜିତ ଲାଡ଼ଲି ମିଡିଆ ଓ ଆଡଭେଟାଇଜମେଣ୍ଟ ଆୱାର୍ଡ ସମାରୋହରେ ଜୟପୁରସ୍ଥ ବାବା ଆମଟେ ଦିବ୍ୟାଙ୍ଗ ବିଶ୍ଵବିଦ୍ୟାଳୟର ଭାଇସ ଚାନସଲେର ଡ଼ଃ ଦେବ ସ୍ବରୂପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ୟୁଏନଏଫପିଏର ଭାରତର ଚିଫ ପଲିସି ଓ ପାର୍ଟନେର ଜୟଦେବ ବିଶ୍ଵାସ, ରାଜସ୍ଥାନ ମହିଳା ସଶକ୍ତିକରଣର ପ୍ରମୁଖ ସ୍ବର ପାଲଟିଥିବା ଭୌରାଦେବୀ ସମେତ ଭାରତର ବିଭିନ୍ନ ମିଡ଼ିଆର ପ୍ରମୁଖ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗ ଦେଇଥିଲେ।
ପିପୁଲସ ଫାଷ୍ଟର ସିଇଓ ଏ ଏଲ ଶାରଦା ଏହାକୁ ସଞ୍ଚାଳନ କରିଥିଲେ। ଚୂଡାନ୍ତ ପର୍ଯ୍ୟାୟରେ ଥିବା ଭାରତର ୧୩ଟି ଭାଷାର ୮୫୭ଟି ଆବେଦନ ମଧ୍ୟରୁ ଦେଶର ଚାରୋଟି ପ୍ରାନ୍ତରରୁ ୮୭ ଜଣଙ୍କୁ ଏହି ସମ୍ମାନନଜକ ପୁରସ୍କାର ଲାଗି ଚୟନ କରାଯାଇଥିଲା । ପୁନଃ ଥଇଥାନ ଯୋଜନା କ୍ରମରେ ସରକାରୀ ଚାକିରିରେ ନିଯୁକ୍ତି ଦେବାରେ ଭାରତୀୟ ପରିବାରର ଥିବା ଏକମାତ୍ର ବିବାହିତ କନ୍ୟା ସନ୍ତାନମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଦୈନିକ ଧରିତ୍ରୀରେ ପ୍ରକାଶିତ "ଝିଅ କେବଳ ଝିଅ" ପାଇଁ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ ଲେଖା ଜୁରୀମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଏହାକୁ ପୁରସ୍କାର ଲାଗି ଚୟନ କରାଯାଇଥିଲା। ବୃତ୍ତିଗତ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ରାୟଗଡସ୍ଥ ବିଲେଷୁ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଭାବେ କର୍ମରତ ଦ୍ବିତୀଚନ୍ଦ୍ର ପ୍ରବୃତ୍ତିରେ ଜଣେ ଲେଖକ। ରାଜ୍ୟ ଶିକ୍ଷକ ସମ୍ମାନରେ ସମ୍ନାନିତ ଶ୍ରୀସାହୁ ଉଭୟ ଶିକ୍ଷା ଓ ସାହିତ୍ୟ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ। ଦୀର୍ଘ ୨୦ ବର୍ଷ ଧରି ଦୈନିକ ଧରିତ୍ରୀ ସମେତ ଓଡ଼ିଆର ପ୍ରମୁଖ ଦୈନିକ ଖବରକାଗଜର ସ୍ତମ୍ଭକାର ଭାବେ ଓଡ଼ିଶାରେ ସେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ସ୍ତମ୍ଭ ଲେଖା ପାଇଁ ଏଭଳି ସମ୍ମାନ ପାଇବା ପରେ ଶ୍ରୀ ସାହୁ ଖୁସି ପ୍ରକଟ କରିବା ସହ ପ୍ରଚୁର ଭଲ ପାଇ ଆସୁଥିବା ତାଙ୍କ ପାଠକପାଠିକା, ଶୁଭେଛୁଙ୍କୁ ଏହି ସମ୍ମାନ ସମର୍ପିତ ବୋଲି କହିଛନ୍ତି ଏବଂ ଏଥିସହ ଦୈନିକ ଧରିତ୍ରୀର ସମ୍ପାଦକ ତଥା ସମ୍ପାଦକମଣ୍ଡଳୀ ନିକଟରେ କୃତଜ୍ଞତା କରିଛନ୍ତି। ଏହି ସମ୍ମାନ ପାଇବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବୁଦ୍ଧିଜୀବୀଗଣ ଶ୍ରୀସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Rgda-Dwiti-Sahu-got-Ladli-Award-1.jpg)