ମିଛ କହି ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିବାହ ମହଙ୍ଗା ପଡ଼ିଲା: ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ମାମଲା ରୁଜୁ 

ଜୟପୁର: ନାଲକୋରେ ଜଣେ ଅଧିକାରୀ ବୋଲି ମିଛ କହି ଜନୈକ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବାହା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହା ଜଣାପଡିବା ପରେ ମହିଳା ଅଧିକାରୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ନାମରେ ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ନେଇ ଏତଲା ଦେଇଛନ୍ତି। ଜୟପୁର ଟାଉନ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସ୍ବାମୀ, ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ନାମ ଏତଲାରେ ଦରଜ କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ସହରରେ ଏଭଳି ଘଟଣା ଘଟିଛି।

ରିତୁଙ୍କ ଅଭିଯୋଗ ଅନୁଯାୟୀ ପୁଲିସ କହିଛି ଯେ, ମେଟ୍ରୋମନିଆଲ ସାଇଟ ଦେଖି ଗତ ଫେବ୍ରୁଆରି ୯ତାରିଖ ଜୟପୁର ପାରାବେଢ଼ା ଶ୍ରୀରାମନଗର ଅଂଚଳର ରାଜାରାମ ସିଂଙ୍କ ଝିଅ ତଥା ପ୍ରଶାସନିକ ଅଧିକାରୀ ରିତୁ ସିଂ ଲିଙ୍ଗରାଜନଗର ଅଂଚଳର ରୁଦ୍ରନାଥ ରଥଙ୍କ ପୁଅ ହରିହର ରଥଙ୍କ ସହ ବାହା ହୋଇଥିଲେ। ହରିହର ମେଟ୍ରୋମନିଆଲ ସାଇଟରେ ସେ ନାଲକୋର ନୂଆଦିଲ୍ଲୀସ୍ଥିତ ବ୍ୟବସାୟିକ କାର୍ଯ୍ୟାଳୟରେ ଡେପୁଟି ମ୍ୟାନଜର (ଫାଇନାନ୍ସ) ଭାବେ କାମ କରୁଥିବା ଦର୍ଶାଇଥିଲେ। ଏହାକୁ ଦେଖି ଉଭୟଙ୍କ ପରିବାରବର୍ଗଙ୍କ ସହମତିରେ ବାହାଘର ହୋଇଥିଲା।

ତେବେ ଶୁକ୍ରବାର ହରିହରଙ୍କୁ ରିତୁ ଭିଡିଓ କଲ କରିବାରୁ ହରିହର ଅଳ୍ପ ସମୟ ପାଇଁ  ଆସି ପରେ ବନ୍ଦ କରିଦେଇଥିଲେ। ହ୍ବାଟ୍‌ସଆପ୍‌ ଲାଇଭ୍ ଲୋକେସନ୍ ବାରମ୍ବାର ମାଗିବାରେ ବି ସେ ଦେଇନଥିଲେ। ଏପରିକି ହରିହର କେଉଁଠି କାମ କରୁଛନ୍ତି ତାହାର ଠିକଣା ମାଗିବାରେ ବି ସେ ଦେଖାଇ ନଥିଲେ। ଏଣୁ ସନ୍ଦେହ ଘନିଭୂତ ହୋଇଥିବା ଶ୍ରୀମତୀ ସିଂ ଏତଲାରେ ଦର୍ଶାଇଛନ୍ତି।

ଜୟପୁର ଲିଙ୍ଗରାଜନଗରରେ ଥିବା ତାଙ୍କ ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କୁ ଏନେଇ ପଚାରିବାରେ ବି ସେମାନେ କିଛି ଉତ୍ତର ଦେଇନଥିଲେ। ଫଳରେ ହରିହର ନାଲକୋରେ ଚାକିରି କରୁଛନ୍ତି ବୋଲି ମିଛ କହି ତାଙ୍କୁ ଠକିଥିବା ସେ ସ୍ପଷ୍ଟ ହୋଇଥିଲେ। ତାଙ୍କ ସ୍ବାମୀ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିବା ସହ ମାନସିକ, ଶାରିରୀକ ନିର୍ଯାତନା ଦେଇଥିବା ଶ୍ରୀମତୀ ସିଂ ଅଭିଯାଗରେ ଉଲ୍ଲେଖ କରିଛନ୍ତି। ସେଭଳି ତାଙ୍କ ଶାଶୁ, ଶ୍ବଶୁର, ଓ ନଣନ୍ଦ ମଧ୍ୟ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ସହ ସବୁ ବେଳେ ଅଧିକା ଟଙ୍କା ଆଣିବାକୁ ଦାବି କରୁଥିବା ସେ କହିଛନ୍ତି। ଜୟପୁର ଟାଉନପୁଲିସ ଶ୍ରୀମତୀ ସିଂଙ୍କ ଏତଲାକୁ ଭିତ୍ତି କରି ତାଙ୍କ ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କୁ ଥାନାକୁ ଆଣି ପଚାରାଉଚାରା କରି ଛାଡ଼ି ଦେଇଛନ୍ତି।

ହରିହରଙ୍କ ମା’ କହିଛନ୍ତି ଯେ, ଗତ ମାସେ ହେବ ତାଙ୍କ ପୁଅ – ବୋହୂଙ୍କ ନିକଟରେ ଯାଇ କି ସେ ଥିଲେ। କିନ୍ତୁ କ’ଣ ହୋଇଛି ସେ ଜାଣିନାହାନ୍ତି। ପୁଅ ନାଲ‌କୋରେ ଚାକିରି ପାଇଥିବା ଏବଂ ତାଙ୍କ ନାଁ ‌ୱେଟିଂଲିଷ୍ଟରେ ରହିଛି ଏବଂ ଚାକିରି ଶୀଘ୍ର ପାଇଯିବ ବୋଲି କହିଛନ୍ତି ଶ୍ବଶୁର। ତେବେ ଉଭୟଙ୍କ ମଧ୍ୟରେ କ’ଣ ହୋଇଛି ସେ ଜାଣି ନଥିବା କହିଛନ୍ତି। କିନ୍ତୁ ପୁଲିସ  ନଂ ୧୪୧/୨୩ ଓ ଦଫା ୪୧୭, ୪୧୯, ୪୯୮(କ), ୨୯୪,୩୪ ଆଇପିସି ସହ ୪ ଯୌତୁକ ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସିଦ୍ଧାର୍ଥ ବେହେରା।

 

 

ସମ୍ବନ୍ଧିତ ଖବର