ରାଜଧାନୀରେ ଚାଞ୍ଚଲ୍ୟ : ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା

କାରଣ ଅସ୍ପଷ୍ଟ; ପ୍ରେମ-ପ୍ରତାରଣା ନା ଆଉ କିଛି?, ରାତି ୩ଟାରେ ଫେସବୁକ୍‌‌ରେ ଅନ୍‌ଲାଇନ୍‌ ଥିଲେ

ଭୁବନେଶ୍ୱର, : ରାଜଧାନୀର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର୍‌ ମ୍ୟାନେଜର୍‌ ଆର୍‌. ରଞ୍ଜିତା ରାଓଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଆଜି ସକାଳୁ ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ହାଉସିଂବୋର୍ଡ କଲୋନି ଏମ୍‌ଆଇଜି-୫୧ରେ ଥିବା ତାଙ୍କ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରାଯାଇଛି। ୟୁକୋ ବ୍ୟାଙ୍କ ଭଳି ଏକ ସରକାରୀ ବ୍ୟାଙ୍କ୍‌ରେ ଉଚ୍ଚ ଦରମାରେ ଚାକିରି କରିଥିବା ଜଣେ ଉଚ୍ଚଶିକ୍ଷିତା ଯୁବତୀଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା; କାହିଁକି ସେ ଆତ୍ମହତ୍ୟା ଭଳି ରାସ୍ତାକୁ ବାଛିନେଲେ; ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପରିବାର ଲୋକ ଅସୁସ୍ଥତା କାରଣରୁ ରଞ୍ଜିତା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କହୁଥିବାବେଳେ ରଞ୍ଜିତାଙ୍କ ମୋବାଇଲ ଫୋନ୍, ଫେସବୁକ୍ ଓ ହ୍ୱାଟସ୍ଆପ ଷ୍ଟାଟସ୍‌ କିନ୍ତୁ ଭିନ୍ନ ଦିଗକୁ ଇସାରା କରୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଅନଲାଇନ୍‌ ରହିବା ସହ ରାତି ୩ଟା ୧୮ ମିନିଟରେ ଫେସବୁକ୍‌ରେ ଅନେକ ଦୁଃଖଭରା ପ୍ରେମ ଗୀତ ନିଜ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି। ଯାହାକୁ ନେଇ ତାଙ୍କ ମୃତ୍ୟୁ ପଛରେ କେହି ଜଣେ ଯୁବକ( ହୁଏତ ପୁରୁଷ ବନ୍ଧୁ)ଙ୍କ ପରୋକ୍ଷ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପ୍ରେମ ଓ ପ୍ରତାରଣା ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ପୁଲିସ ରଞ୍ଜିତାଙ୍କ ମୋବାଇଲ ମଧ୍ୟ ଜବତ କରିଛି। ଏହାଛଡ଼ା ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା ଆରମ୍ଭ କରିଛି। ଏ ନେଇ ଖଣ୍ଡଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ କ୍ୟାପିଟାଲ ହସ୍ପିଟାଲରେ ରଞ୍ଜିତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଇବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ରଞ୍ଜିତାଙ୍କ ନିଜ ଘର ନବରଙ୍ଗପୁରରେ। ୨୦୧୬ ମସିହାରେ ସେ ୟୁକୋ ବ୍ୟାଙ୍କରେ ସିନିୟର୍‌ ବ୍ୟାଙ୍କ ମ୍ୟାନେଜର୍‌ ଭାବେ ଯୋଗ ଦେବା ପରେ ସେହି ଘରେ ବାପା, ମା’ଙ୍କ ସହ ଭଡ଼ାରେ ରହୁଥିଲେ। ଝିଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନାହାନ୍ତି, ରଞ୍ଜିତାଙ୍କ ବାପା ଆର୍. ନାରାୟଣ ରାଓ। ସେ କହିଛନ୍ତି, ଝିଅ ଜଣେ ଉଚ୍ଚଶକ୍ଷିତା, ମନୋବଳ ବହୁତ ଦୃଢ଼। କିନ୍ତୁ ସେ ଖାଇବା ପିଇବାରେ ଛୁଆ ବେଳୁ ବହୁତ ଅବହେଳା କରିଥାଏ। ଏଥିପାଇଁ କିଛି ଦିନ ତଳେ ସେ ଚେତାଶୂନ୍ୟ ହୋଇ ଯାଇଥିଲା। ଡାକ୍ତରଖାନାରେ ଭର୍ତି କରାଯିବା ପରେ ଡାକ୍ତର ତା’ର ହିମୋଗୋବ୍ଲିନ କମ୍ ଥିବା କହିଥିଲେ। ଗତକାଲି ରାତିରେ ସେ ଆମ ସହ ଲୁଡୁ ଓ ଚେସ୍‌ ଖେଳିଥିଲା, ଟିଭି ବି ଦେଖିଥିଲା। ଆମକୁ ଖାଇବାକୁ ଦେବା ପରେ ବିଛଣା ମଧ୍ୟ ପାରି ଦେଇଥିଲା। କିନ୍ତୁ ଆଜି ସକାଳୁ ଏମିତି ଅବସ୍ଥା। ରଞ୍ଜିତା କାହାକୁ ପ୍ରେମ କରୁଥିଲେ କି ପ୍ରଶ୍ନରେ ତାଙ୍କ ବାପା କହିଛନ୍ତି, ସେ ମୋ ସହିତ ସବୁ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଥାଏ। କିନ୍ତୁ କାହାକୁ ସେ ପ୍ରେମ କରୁଥିବା ସମ୍ପର୍କରେ କିଛି କହି ନ ଥିଲା। ଯଦି କହିଥା’ନ୍ତା, ମୁଁ ସେଠି ତା’ର ବାହାଘର କରି ଦେଇଥାନ୍ତି। କାରଣ ବଡ଼ ଝିଅ ମଧ୍ୟ ପ୍ରେମ କରି ବିବାହ କରିଛି। କିନ୍ତୁ ସେ କହୁଥିଲା ରିର୍ଜଭ ବ୍ୟାଙ୍କର ପରୀକ୍ଷା ଅଛି, ତା’ ପରେ ବାହାଘର କଥା ଚିନ୍ତା କରିବ ବୋଲି। କିନ୍ତୁ ରାତି‌ରେ କ’ଣ ଘଟିଲା, କିଛି ଆମେ ଜାଣିପାରିଲୁ ନାହିଁ। ରଞ୍ଜିତାଙ୍କ ମା’ ମଧ୍ୟ କହିଛନ୍ତି, ସେ ଜଣେ ଖୁସ୍‌ ମିଜାଜ୍‌ର ଝିଅ। ଭୁବନେଶ୍ୱରରେ ଜମି ଓ କାର୍‌ କିଣିବ ବୋଲି ମୋତେ ଦୁଇ ଦିନ ତଳେ କହିଥିଲା। କିନ୍ତୁ ସେ ଗତ କିଛି ଦିନ ଧରି ଚୁପଚାପ୍ ରହୁଥିଲା। ଆଉ ଦିନକୁ ଦିନ ଝଡ଼ି ଯାଇ ଦୁର୍ବଳ ହୋଇଯାଉଥିଲା।

ତେବେ ରଞ୍ଜିତାଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ ଭିନ୍ନ ଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ସେ ଅସୁସ୍ଥତା କାରଣରୁ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି? ଯଦି ଅଛି, କ’ଣ? ମାନସିକ ଚାପରେ ଥିଲେ କି ? କାର୍ଯ୍ୟାଳୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା କି ? ଅର୍ଥନୈତିକ କ୍ଷେତ୍ରରେ ଚାଲିଥିବା ମାନ୍ଦାବସ୍ଥାରେ ତାଙ୍କ କାର୍ଯ୍ୟ ଉପରେ କିଛି ପ୍ରଭାବ ପଡ଼ିଛି କି? ଏହାଛଡ଼ା ରଞ୍ଜିତା ଅବିବାହିତା ଥିଲେ, ଏକା ରହୁଥିଲେ, କାହା ସହ ତାଙ୍କର ସମ୍ପର୍କ ଥିଲା କି? ଏସବୁ ପ୍ରଶ୍ନର ଏବେ ଉତ୍ତର ଖୋଜିବା ଆରମ୍ଭ କରିଛି ପୁଲିସ। କିନ୍ତୁ ରଞ୍ଜିତାଙ୍କ ମୋବାଇଲ ଫୋନ ପୁଲିସର ତଦନ୍ତକୁ ଭିନ୍ନ ଆଡ଼କୁ ନେଉଛି। କାରଣ ସେ ଗତକାଲି ରାତି ୩ଟା ୧୮ରେ “ମାନା କେ ହମ୍ ୟାର ନେହିଁ’ ଗୀତକୁ ନିଜ ଫେସବୁକରେ ପୋଷ୍ଟ କରିଥିଲେ। ଏହା ଛଡ଼ା ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଭଲ ପାଉଥିଲେ ବୋଲି ସୂଚନା ମିଳିଛି। ସେ ଆତ୍ମହତ୍ୟାର ଦୃଶ୍ୟକୁ ଅନ୍ୟ କାହା ସହିତ ଲାଇଭ କରିଛନ୍ତି କିମ୍ବା ନାହିଁ ତା’ର ମଧ୍ୟ ତଦନ୍ତ ଚାଲିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଏ ସମ୍ପର୍କରେ ଖଣ୍ଡଗିରି ଥାନା ଇନ୍ସପେକ୍ଟର୍‌ ରଶ୍ମିରଂଜନ ମହାପାତ୍ର କହିଛନ୍ତି, ପୁଲିସ ତାଙ୍କ ମୋବାଇଲ୍‌, ଲାପଟପ୍‌ ଆଦି ଜବତ କରିଛି। ସେଥିରେ କ’ଣ ସବୁ ତଥ୍ୟ ରହିଛି, ପୁଲିସ ଯାଞ୍ଚ କରୁଛି। ଏହାଛଡ଼ା ପୁଲିସ ତାଙ୍କ ମୋବାଇଲ ନମ୍ବରର କଲ-ଡିଟେଲ୍ସ ଯାଞ୍ଚ କରୁଛି। ଗତକାଲି ରାତିରେ ସେ ଶେଷ ଥର ପାଇଁ କାହା ସହିତ କଥା ହୋଇଥିଲେ, ତାହା ପୁଲିସ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୁଲିସ ଆଜି ବେଙ୍ଗାଲୁରୁରେ ରହୁଥିବା ରଞ୍ଜିତାଙ୍କ ବଡ଼ ଭଉଣୀଙ୍କ ସହ କଥା ହେଲା ବେଳେ ଜାଣିବାକୁ ପାଇଛି କି ରଞ୍ଜିତା ବିଭିନ୍ନ ସମୟରେ ଚୁପଚାପ୍‌ ରହୁଥିଲେ। କିଛି ଦିନ ତଳେ ସେ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ।

ସମ୍ବନ୍ଧିତ ଖବର