ଖାକି ବର୍ଦିର ଦାଦାଗିରି: ମର୍ଣ୍ଣିଂୱାକ୍‌ରେ ଆସି ଚା’ ପିଉଥିବା ଯୁବକଙ୍କୁ ମାଡ଼

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ପୁରୁଣା ଚେକ୍‌ଗେଟ୍‌ ନିକଟରେ ଖାକି ବର୍ଥିଦିର ଦାଦାଗିରି ଦେଖିବାକୁ ମିଳିଛି। ସେଠାରେ ଥିବା ଏକ ଦୋକାନରେ ବୁଧବାର ସକାଳେ ଚା’ ପିଉଥିବା ସମୟରେ ଗଡ଼ତିଆ ଟିକିରାର ଜଣେ ଯୁବକଙ୍କୁ ସୋହେଲା ସବ୍‌ଜେଲର ଅବସ୍ଥାପିତ ମହିଳା ଜେଲର ସାଦା ପୋଷାକରେ ଆସି ହଠାତ୍‌ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଥିସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାର ଧମକ ମଧ୍ୟ ଦିଆଯାଇଛି।

ପ୍ରକାଶ ଯେ, ବୁଧବାର ସକାଳ ସାଢ଼େ ୬ଟାରେ ସୋହେଲା ଗଡ଼ତିଆ ଟିକିରାର ଯୁବକ ନେତ୍ରାଂଶୁ ଗଡ଼ତିଆ ସ୍ଥାନୀୟ ପୁରୁଣା ଚେକଗେଟ ନିକଟରେ ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ଜଣେ ମହିଳା ପଛପଟୁ ଆସି ଅତର୍କିତ ଭାବେ ତାଙ୍କ ଗାଲରେ ଦୁଇ ଶକ୍ତ ଚାପୁଡ଼ା ମାରିଥିଲେ। ଯୁବକ ଜଣକ ଏହାର ପ୍ରତିବାଦ କରିବାରୁ ମହିଳା ଜଣକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାର ଧମକ ଦେଇଥିଲେ। ସାଦା ପୋଷାକରେ ଆସି ଚାପୁଡ଼ା ମାରିଥିବା ମହିଳା ଜଣକ ସୋହେଲା ସବ୍‌ଜେଲର ସୁପରିନ୍‌ଟେଣ୍ଡେଣ୍ଟ ବୋଲି ଜାଣିବାକୁ ପାଇଥିବା ନେଇ ସୋହେଲା ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ମହିଳା ସୁପରିନ୍‌ଟେଣ୍ଡେଣ୍ଟଙ୍କ ନାମରେ ଏହା ଆଗରୁ ନିଜ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ କଥା କଥାକେ ରୋବ ଝାଡ଼ି ଗାଳିଗୁଲଜ କରୁଥିଲେ। ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିବା କାରଣରୁ କର୍ମଚାରୀମାନେ ଏହାର ପ୍ରତିବାଦ ମଧ୍ୟ କରି ନପାରି ମୁଣ୍ଡପାତି ସହୁଥିବା ଜଣାପଡିଛି। ଆଜିର ଏହି ଘଟଣା ସଂପର୍କରେ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡତିଆଙ୍କୁ ପଚରା ଯିବାରୁ ଅଭିଯୋଗ ହୋଇଥିବା ଏବଂ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର