ରାଜ୍ୟ ସରକାରଙ୍କ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲରେ ଲେଡି ମାଟ୍ରନ୍‌ଙ୍କ ସୁରକ୍ଷା ଦାବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ୨୦୧୪ ମସିହାରୁ ଲେଡି ମାଟ୍ରନ୍‌ମାନେ ନିଯୁକ୍ତି ପାଇଛନ୍ତି। ହେଲେ ସେମାନେ ସୁରକ୍ଷିତ ନୁହନ୍ତି। ଯେ କୌଣସି ସମସ୍ୟା ହେଲେ ଯାହାର ବି ଭୁଲ ଥାଉନା କାହିଁକି, ମାଟ୍ରନ୍‌ ହିଁ ସରକାର ତଥା ଉଚ୍ଚପଦସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କେବଳ ସରକାର ବା ସରକାରୀ ଅଧିକାରୀ ନୁହନ୍ତି ବରଂ ସାଧାରଣ ଲୋକ ବି ଆକ୍ରମଣ କରୁଛନ୍ତି। ନିକଟ ଅତୀତରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ମୟୂରଭଞ୍ଜ ହାତୀବାରିରେ ଲେଡି ମାଟ୍ରନ୍‌ ବେଲାବତୀ ନାୟକଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବାରୁ ‌ସେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତୁରନ୍ତ ମାଟ୍ରନ୍‌ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିଖିଳ ଓଡ଼ିଶା ଲେଡି ମାଟ୍ରନ୍‌ ମହାସଂଘ ଆଜି ଲୋୟର ପିଏମ୍‌ଜିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାନେତ୍ରୀ ସୁଜାତା ଭୂୟାଁ, ସାଧାରଣ ସମ୍ପାଦିକା କୁମୁଦିନୀ ସାହୁ, କୋଷାଧ୍ୟକ୍ଷା ନର୍ମଦା ରାଉତ, ଯୁଗ୍ମ ସମ୍ପାଦିକା ସଂଯୁକ୍ତା ରାଜ୍‌ ପ୍ରମୁଖ କହିଛନ୍ତି ଯେ ସମସ୍ତ ଲେଡି ମାଟ୍ରନ୍‌ଙ୍କର ସ୍ନାତକ ଓ ସ୍ନାତକୋତ୍ତର ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଅତ୍ୟନ୍ତ ହୀନ ଦୃଷ୍ଟିରେ ବିବେଚନା କରାଯାଉଛି। ଚାକିରି ନବୀକରଣ ଦାୟିତ୍ବ ପ୍ରଧାନ ଶିକ୍ଷକ ହାତରେ ରହିଥିବାରୁ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଉପୁଜୁଥିବା ସମସ୍ୟାକୁ ଉଚ୍ଚ ଅଧିକାରୀଙ୍କ ପାଖରେ ଉଠାଇବା ପାଇଁ ମାଟ୍ରନ୍‌ମାନେ ସାହସ ଜୁଟାଇ ପାରୁନାହାନ୍ତି। ଏଣୁ ଅନେକ ସମସ୍ୟା ଲୁକ୍କାୟିତ ରହିଯାଉଛି। ଏଣୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ କାମ କରିବାକୁ ଦେବା, ୨୪ ଘଣ୍ଟା ବଦଳରେ ୮ ଘଣ୍ଟା କିମ୍ବା ୩ ଗୁଣ ଦରମା ଦେବା, ସ୍କୁଲ ପରିସରରେ ଆବାସ ସହ କାଜୁଆଲ ଓ ମେଡିକାଲ ଲିଭ୍‌ ପ୍ରଦାନ କରିବା, ଅନ୍ୟ ବିଭାଗ ଭଳି କିଛି ବର୍ଷ ପରେ ନିୟମିତ କରିବା, ଭୁଲ୍‌-ଠିକ୍‌ର ତର୍ଜମା ନ କରି ମାଟ୍ରନ୍‌ଙ୍କୁ ବହିଷ୍କାର ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର