ଭୋଟ ପୂର୍ବରୁ ମାଓ ଆକ୍ରମଣ ଯୋଜନା ପଣ୍ଡ : ଏନ୍‌କାଉଣ୍ଟରରେ ମହିଳା କ୍ୟାଡର ମୃତ

ଘଣ୍ଟାଏ ଧରି ଗୁଳି ବିନିମୟ,ଗ୍ରେନେଡ ମାଡ଼, ଛତ୍ରଭଙ୍ଗ ଦେଲେ ୨୫ ମାଓବାଦୀ, ୧୫ ଆହତ ୪ ବନ୍ଧୁକ, ‌୩ ଗ୍ରେନେଡ୍ ଜବତ, ଏସ୍‌ଓଜି ଓ ଡିଭିଏଫ୍‌ର ମିଳିତ ଅପରେସନ୍‌ ଜାରି ରହିଛି: ଡିଜି

ଫୁଲବାଣୀ/ବାଲିଗୁଡା/ଭୁବନେଶ୍ବର : ଭୋଟଗ୍ରହଣ ପୂର୍ବରୁ କନ୍ଧମାଳରେ ବଡ଼ଧରଣର ଆକ୍ରମଣ ପାଇଁ ମାଓବାଦୀଙ୍କ ଯୋଜନା ଥିଲା। ବାଲିଗୁଡ଼ା ଥାନା ଇଲାକାରେ ୨୦ରୁ ୨୫ ମାଓବାଦୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ମାତ୍ର, ଠିକଣା ସମୟରେ ସୁରକ୍ଷା ଯବାନଙ୍କ ପକ୍ଷରୁ ତତ୍‌କ୍ଷଣାତ ଅପରେସନ୍‌ କରାଯିବା ଫଳରେ ଏହି ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଏହି ଅପରେସନ୍‌ ସମୟରେ ଜଣେ ମହିଳା କ୍ୟାଡର୍‌ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସ‌ାରେ, ଭୋଟଗ୍ରହଣ ପୂର୍ବରୁ ମାଓବାଦୀମାନେ ଆକ୍ରମଣ ପାଇଁ ଏକ ବଡ଼ଧରଣର ଯୋଜନା ପ୍ରସ୍ତୁତ କରୁଥିଲେ। ଗୋଇନ୍ଦା ବିଭାଗ ନିକଟରେ ଏହି ଖବର ରହିଥିଲା। ଆଜି ସକାଳେ ବାଲିଗୁଡା ଥାନା ପରମପାଙ୍ଗା ପଞ୍ଚାୟତ ସୁକୁଙ୍ଗିଆ ବିଦ୍ୟାଳୟ ନିକଟ ଗଛରେ ସିପିଆଇ (ମାଓବାଦୀ) ବାଘୁନା ଡିଭିଜନାଲ କମିଟିର ଲାଲ ରଙ୍ଗର ବ୍ୟାନର୍‌ ଦେଖିବାକୁ ମିଳିଥିଲା। ଯେଉଁଥିରେ,
ଭୋଟ ବର୍ଜନ ପାଇଁ ଆହ୍ବାନ ଦିଆଯିବା ସହିତ ବିପ୍ଳବୀ ଲୋକ ସରକାର ଗଢ଼ିବା ପାଇଁ ଆହ୍ବ‌ାନ ଦିଆଯାଇଥିଲା। ଏହା ଜାଣିବା ପ‌େର ପୁଲିସ୍‌ ସଜାଗ ହୋଇଥିଲାବ ଏବଂ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର୍‌ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ବାଲିଗୁଡା ଥାନା ରୁତୁଙ୍ଗିଆ ପଞ୍ଚାୟତ କୁଞ୍ଜଲାଙ୍ଗୁ ନିକଟ ରାମପାଦାରି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଥିବା ଜାଣିବା ପରେ ପୁଲିସ ସୁରକ୍ଷା କର୍ମୀମାନେ ସେ ଆଡ଼କୁ ଅଗ୍ରସର ହୋଇଥିଲେ। ସେଠାରେ ପ୍ରଥମେ ମାଓବାଦୀଙ୍କ ପଟୁ ଗୁଳିମାଡ଼ ହୋଇଥିଲା। ଏହାପରେ ପୁଲିସ ଓ ସୁରକ୍ଷା ଯବାନ ଆଖିବୁଜା ଗୁଳିବର୍ଷା କରିଥିଲେ। ପୂର୍ବାହ୍ନ ୭ଟାରୁ ୮ଟା ପର୍ଯ୍ୟନ୍ତ ଉଭୟ ପଟୁ ଏକ ଘଣ୍ଟା କାଳ ଗୁଳି ବିନିମୟ ସହ ଗ୍ରେନେଡ୍ ମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିଲା। ହେଲେ ୨୦ରୁ ୨୫ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଏବଂ ୧୫ ମାଓବାଦୀ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାପରେ କ୍ୟାମ୍ପରୁ ୪ଟି ବନ୍ଧୁକ, ଗୋଟିଏ ୩୦୩ ରାଇଫଲ, ୩ଟି ହାଣ୍ଡ ଗ୍ରେନେଡ୍‌, ଗୋଟିଏ ଲ୍ୟାଣ୍ଡ ମାଇନ୍‌ ସମେତ ବିସ୍ଫୋରଣ ସାମଗ୍ରୀ ଜବତ କରାଯାଇଥିଲା।

ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଉପସ୍ଥିତି ଜାହିର୍ ଓ ଆକ୍ରମଣ ଯୋଜନା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ମାଓପ୍ରବଣ ଇଲାକାରେ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ଏବଂ ଭୋଟରଙ୍କୁ ସୁରକ୍ଷା ଦେବାକୁ ଏବେଠାରୁ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସହ ସଜାଗ ହେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଭୁବନେଶ୍ବରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ‌େଯ, ତୁମୁଡ଼ିବନ୍ଧ ଠାରେ ଏସ୍‌ଓଜି ଓ ଡିଭିଏଫ୍‌ ମିଳିତ ଅପରେସନରେ ମାଓ କ୍ୟାମ୍ପ ଧ୍ବସ୍ତବିଧ୍ବସ୍ତ ହୋଇଛି। ଉଭୟ ଫୋର୍ସ ଅପରେସନ୍‌ ଜାରି ରଖିଛନ୍ତି। ଅନ୍ୟମାନଙ୍କୁ ଠାବ କରାଯିବ ବୋଲି ଡିଜି ଡା. ଶର୍ମା କହିଛନ୍ତି।

ଗଣତନ୍ତ୍ରକୁ ବିରୋଧ କରି ମାଓବାଦୀମାନେ ନିର୍ବାଚନ ପ୍ରତ୍ୟାଖ୍ୟାନ ଘୋଷଣା କରିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚଳିତ ବର୍ଷ ଅର୍ଥାତ୍‌ ୩ ମାସ ମଧ୍ୟରେ ୧୩ଟି ବାମପନ୍ଥୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଦୁଇଟି ଜାଗାରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଜଣେ ସିପିଆଇ କ୍ୟାଡର୍‌ର ମାଓବାଦୀ ମୃତ୍ୟୁବରଣ କରିଛି। ୧୫ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରିବାକୁ ପୁଲିସ ସକ୍ଷମ ହୋଇଛି। ନିର୍ବାଚନ ପାଇଁ ସୁରକ୍ଷା ସହ ସମାନ୍ତରାଳ ଭାବରେ ଲଗାତାର ଏଭଳି ଚଢ଼ଉ ଜାରି ରହିବ ବୋଲି ଡିଜି ଡା. ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର