ନିମାପଡା: ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ଓ ମା’ଙ୍କ ସହିତ ବୁଲେଟ୍ରେ ଯାଉଥିବା ମହିଳା ସରପଞ୍ଚଙ୍କ ହାଇୱା ଧକ୍କାରେ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ନିମାପଡ଼ା ଡେଲଟା ଛକରେ ବାଇକ୍ ଆରୋହୀଙ୍କୁ ହାଇୱା ଧକ୍କା ଦେବାରୁ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ଶିକାର ହୋଇଛନ୍ତି ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା (୩୨) ।
ସୂଚନା ଅନୁସାରେ ନିମାପଡ଼ାରୁ ସରପଞ୍ଚ ଦୀପା ବେହେରା ନିଜ ଭାଇ ଓ ମା’ଙ୍କ ସହିତ ଏକ ବୁଲେଟ୍ରେ ବୀରରାମଚନ୍ଦ୍ରପୁରକୁ ଯାଉଥିଲେ। ନିମାପଡ଼ାସ୍ଥିତ ଡେଲଟା ଛକସ୍ଥିତ ନକ୍ଷତ୍ର କଲ୍ୟାଣ ମଣ୍ଡପ ନିକଟ ଦେଇ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟି ଆସୁଥିଲା। ରାସ୍ତା ସଂକୀର୍ଣ୍ଣ ଥିବା ହେତୁ ବୁଲେଟ ଓ ସ୍କୁଟି ଧକ୍କା ହେବା ସ୍ଥିତି ଆସିବାରୁ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବୁଲେଟ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ମହିଳା ସରପଞ୍ଚ ବୁଲେଟ୍ରୁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପାର୍ଶ୍ବ ଦେଇ ନିମାପଡ଼ା ଯାଉଥିବା ଏକ ହାଇୱାର ପଛ ଚକା ମହିଳା ସରପଞ୍ଚଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସରପଞ୍ଚଙ୍କ ମା’ ଓ ଭାଇଙ୍କର ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ମୃତଦେହ ଓ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରିଛି। ହାଇୱା ଚାଳକ ଫେରାର ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଧାରଣା ଦେଇଥିବା ଜଣାପଡ଼ିଛି। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରୁଛି। ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/2aa95c33-57b9-4bec-97d8-398e3afb94c1.jpg)