ସୁନ୍ଦରଗଡ଼: ପ୍ରେମ କରି ଯୁବତୀଙ୍କୁ କିଛି ଦିନ ଘରେ ରଖିବା ପରେ ସାମାଜିକ ରୀତିନୀତିରେ ବିବାହ କରି ଆଣିବ କହି ଘରକୁ ପଠାଇ ଦେଇଥିଲା ପ୍ରେମିକ। କିନ୍ତୁ ପରେ ଅନ୍ୟ ଜଣେ ଯୁବତୀକୁ ଆଣି ସ୍ତ୍ରୀ କରି ରଖିଲା। ପ୍ରେମିକଠାରୁ ଧୋକା ଖାଇଥିବା ଯୁବତୀ ନ୍ୟାୟ ପାଇଁ ପୁଲିସ, ପ୍ରଶାସନ ପାଖକୁ ଦୌଡ଼ିଲେ। କିନ୍ତୁ କେଉଁଠି ବି ନ୍ୟାୟ ପାଇଲେ ନାହିଁ। ଶେଷକୁ ୨୪ ତାରିଖ ସୋମବାର ଅପରାହ୍ନରେ ଜୋର୍ କରି ପ୍ରେମିକ ଘରେ ପଶି ପତ୍ନୀର ଅଧିକାର ଜାହିର କରିଛନ୍ତି ଯୁବତୀ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା କୁଲୁଟା ପଞ୍ଚାୟତ ଲମତି ଗାଁରେ ଘଟିଥିବା ଏହି ଘଟଣାଟି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ଲମତି ଗ୍ରାମର ଅଶୋକ ସିଂଙ୍କ ପୁଅ ହୃଷୀକେଶ ୨୫)ଓରଫ ଯଦୁଙ୍କ ବାଉରିଡିହି ଗ୍ରାମର ସୁନିତା କୁଲୁ ଓରଫ ମେରୀ(୨୪)ଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ଏହା ଜାଣିବା ପରେ ଲମତି ଗାଁ ଲୋକେ ପ୍ରେମିକ ପ୍ରେମିକାଙ୍କ ହାତ ଧରାଇ ଦେଇଥିଲେ । ଯୁବକଙ୍କ ଘରେ ରହିଥିଲେ ଯୁବତୀ । ମାତ୍ର କିଛି ଦିନ ପରେ ଯୁବକ ଓ ତାଙ୍କ ପରିବାର ଲୋକେ ସାମାଜିକ ରୀତିନୀତିରେ ବୋହୂ କରି ଆଣିବୁ କହି ମିଠା ଆଶ୍ବାସନା ଦେବାରୁ ଯୁବତୀ ନିଜ ଘରକୁ ଫେରି ଯାଇଥିଲେ। ସେଠାରୁ କାମଧନ୍ଦା ଅନ୍ୱେଷଣରେ ଚେନ୍ନାଇକୁ ପଳାଇଥିଲେ । ସେଠାରୁ ଯୁବତୀ ଫୋନରେ ପ୍ରେମିକ ସହ କଥାବାର୍ତ୍ତା କରୁଥିବା ବେଳେ ସାଇକଲ, ମୋବାଇଲ ତଥା ଅନ୍ୟାନ୍ୟ ଜିନିଷପତ୍ର କିଣିବା ପାଇଁ ବିଭିନ୍ନ ସମୟରେ ଅନ ଲାଇନରେ ୧ ଲକ୍ଷ ୬୦ହଜାର ଟଙ୍କା ପଠାଇଥିଲେ । କିନ୍ତୁ ପ୍ରେମିକ ସୁନିତାଙ୍କୁ ଧୋକା ଦେଇ କୁଚିଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଆସିଥିଲ।
ସୁନିତା ଏ ଖବର ପାଇବା ପରେ ଲମତି ଗାଁକୁ ଯାଇ ଏହାର ପ୍ରତିବାଦ କରିଥିଲା। କିନ୍ତୁ ପରେ ପ୍ରେମିକ ହୃଷୀକେଶ ଯୁବତୀଙ୍କ ସବୁତକ ଟଙ୍କା ଫେରାଇ ଦେବାକୁ ରାଜି ହୋଇଥିଲା । ମାତ୍ର ଦିନେ ହୃଷୀକେଶ ଓ ତାଙ୍କ ପରିବାର ଲୋକେ ଯୁବତୀଙ୍କୁ ପଇସା ଫେରାଇବା ବାହାନାରେ ଘରକୁ ଡାକି ନିସ୍ତୁକ ପିଟିବା ସହ ହତ୍ୟା ଧମକ ଦେଇଥିଲେ। ଏତଲା ପରେ ମାମଲା ରୁଜୁ କରିଥିଲା ପୁଲିସ। ଯାହା ଏବେ ସୁନ୍ଦରଗଡ଼ କୋର୍ଟରେ ବିଚାରାଧୀନ ରହିଛି । ତେବେ ସୁନିତା ପ୍ରାୟ ୧୦/୧୨ ଥର ଧାରୁଆଡିହି ଥାନାକୁ ଯାଇ ନ୍ୟାୟ ପାଇଁ ଅନୁନୟ ହୋଇଥିଲେ । କିନ୍ତୁ ତାଙ୍କ ଏତଲାକୁ ଗ୍ରହଣ କରି ନଥିଲା ପୁଲିସ। ତମର ଭୁଲ ଅଛି କହି ଭଗାଇ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏହିସବୁ ଘଟଣାକୁ ନେଇ ସେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ । ଶେଷରେ ସୋମବାର ଅପରାହ୍ନରେ ପ୍ରେମିକ ଘର ଭିତରକୁ ଜୋରଜବରଦସ୍ତ ପଶି ଯାଇଥିଲେ । ପ୍ରେକିକଙ୍କ ପରିବାର ବର୍ଗ ଏହାକୁ ତୀଵ୍ର ବିରୋଧ କରି ପାଟିତୁଣ୍ଡ କରିଥିବା ଜଣାପଡ଼ିଛି । ପ୍ରେମିକ ଘର ନ ଥିବାରୁ ତାଙ୍କ ମା’ ସୁନିତାଙ୍କୁ ଘରକୁ ଚାଲିଯିବାକୁ କହି ମଙ୍ଗଳବାର ସମ୍ବଲପୁର ପୁଅ ପାଖରେ ଛାଡ଼ିଦେବ ବୋଲି ନେହୁରା ହୋଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବତୀ ହୃଷୀକେଶଙ୍କ ଘରେ ରହିଥିବା ସୂଚନା ମିଳିଛି।