ଅସଦାଚରଣ ମାମଲା : ଜଣେ ପ୍ରଧାନଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌, ଆଉ ଜଣେ ଗିରଫ

ରିପୋର୍ଟ ଏକତରଫା ବୋଲି କହିଲେ ପୀଡ଼ିତା
ଅଭିଯୁକ୍ତଙ୍କ ସହ ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି
ମୟୂରଭଞ୍ଜରେ ଅଭିଯୁକ୍ତ ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଫସିଲେ ପ୍ରଧାନଶିକ୍ଷୟିତ୍ରୀ

ବାଲିଆପାଳ/ବେତନଟୀ : ଘଟଣା କିନ୍ତୁ ଦୁଇଟି। ଗୋଟିଏ ଘଟଣାରେ ଜଣେ ପ୍ରଧାନଶିକ୍ଷକଙ୍କୁ ତଦନ୍ତ ପରେ କ୍ଲିନ୍‌ଚିଟ୍‌ ଦିଆଯାଇଥିବାବେଳେ ଅନ୍ୟ ଏକ ଘଟଣାରେ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା। ଅନ୍ୟ ଏକ ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କ ସପକ୍ଷରେ ଓକିଲାତି କରିଥିଲେ ପ୍ରଧାନଶିକ୍ଷୟିତ୍ରୀ। ଯାହାକି, ତାଙ୍କୁ ମହଙ୍ଗା ପଡ଼ିଛି ଏବଂ ପୁଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଛି।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜାଠିଆ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ଅଭିଯୋଗକୁ ନେଇ ଗତକାଲିଠାରୁ ଚର୍ଚ୍ଚା ଲାଗି ରହିଥିଲା। ୬ ମାସ ତଳୁ ପ୍ରଧାନଶିକ୍ଷକ ପ୍ରଧାନଶିକ୍ଷକ ରତିକାନ୍ତ ଜେନାଙ୍କ ବିରୋଧରେ ଶାରୀରିକ ଅସଦାଚରଣ ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ପୀଡ଼ିତା ଶିକ୍ଷୟିତ୍ରୀ। ହେଲେ, ସବୁ ଆଡ଼ୁ ନିରାଶ ହେବା ପରେ ସେ ବାଧ୍ୟ ହୋଇ ଗଣମାଧ୍ୟମର ସାହାରା ନେଇଥିଲେ। ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ। ଏଥିସହିତ, ଅଭିଯୋଗକାରୀ ଶିକ୍ଷୟିତ୍ରୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ, ଏଭଳି ଏକପାଖିଆ ତଦନ୍ତକୁ ନେଇ ପୀଡ଼ିତା ବିସ୍ମୟ ପ୍ରକଟ କରିବା ସହ ସରକାରୀ କଳର ତଦନ୍ତ ରିପୋର୍ଟ ସଂପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଖୁଣ୍ଟାପୁର ଚିନ୍ତାମଣି-ତିଳୋତ୍ତମା ଆବାସିକ ବାଳିକା ଉଚ୍ଚବିଦ୍ୟାଳୟରେ ଦ୍ବିତୀୟ ଘଟଣା ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପୁଲିସ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତାରାଣୀ ପତିଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି, ଏହି ଘଟଣାରେ ଖୋଦ୍‌ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅଭିଯୁକ୍ତ ଅଛନ୍ତି।

ଆଜି ଏକ ବୈଠକ ଡକାଇ ପ୍ରଧାନ ଶିକ୍ଷୟିତ୍ରୀ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ଏହାକୁ ନେଇ ଅଭିଭାବକମାନେ ପାଟିତୁଣ୍ଡ କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ସ୍କୁଲରେ ପହ‌ଞ୍ଚିଥିଲା। ଏହି ମାମଲାରେ ଆଉ କାଳବିଳମ୍ବ ନ କରି ପୁଲିସ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପତିଙ୍କୁ ଗିରଫ କରି ବାରିପଦା ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର