ଉଗ୍ରତାରା ନୋଡାଲ୍‌ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ହତ୍ୟାକୁ ୨ବର୍ଷ ବିତିଲା : ଅର୍ଦ୍ଧାହାରରେ ବାପାମା’, କାଠ ବିକିଲେ ଚୁଲି ଜଳୁଛି

ନିରାକାରପୁର : ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ଉଗ୍ରତାରା ନୋଡାଲ୍‌ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ (୨୫)ଙ୍କୁ ଗତ ୨୦୧୮ ମସିହା ଜାନୁଆରି ୪ତାରିଖରେ ଅତି ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା। ମୃତ ଶିକ୍ଷୟିତ୍ରି ଅଞ୍ଜଳି ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ତାଙ୍କ ଭାଇକୁ ଚାକିରି ଓ କ୍ଷତିପୂରଣ ବାବଦକୁ ୨୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ତଥା ଅନ୍ୟାନ୍ୟ ଶିକ୍ଷକସଂଘ ପକ୍ଷରୁ ଦାବି କରାଯାଇଥିଲା। ସେ ସମୟରେ ମଧ୍ୟ ପ୍ରଶାସନ ପକ୍ଷରୁ ସରକାରୀ ସ୍ତରରେ ବିଚାର କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତିମାନ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ୨ ବର୍ଷ ବିତି ଯାଇଛି। ଘର ଚଳିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ଅଞ୍ଜଳିଙ୍କ ବାପା ଜଙ୍ଗଲରୁ କାଠ କାଟି ଗାଁ’ ଗାଁ’ ବୁଲି ବିକିଲେ ଘରେ ଚୁଲୁ ଜଳୁଛି।

ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ଉଗ୍ରତାରା ନୋଡାଲ୍‌ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ (୨୫) ସ୍କୁଲ୍‌ରୁ ଫେରୁଥିବା ବେଳେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେ ସମୟରେ ହତ୍ୟାକାରୀକୁ ଗିରଫ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିଦ ହଜିଯାଇଥିଲା। ତେବେ ସେହି ମାସ ୨୦ତାରିଖରେ ଅଭିଯୁକ୍ତ ଜଟଣୀ ଥାନା ତରାବୋଇ ହରିଡ଼ାମଲ୍ଲ ଗ୍ରାମର କୁନୁ ଜେନା (୩୫)ଙ୍କୁ ଗିରଫ କରାଯାଇଥିଲା। ତେବେ ଅଞ୍ଜଳି ଘରର ଏକମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ଭାଇକୁ ଚାକିରି ଓ ପରିବାରୁକୁ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ପ୍ରଶାସନ ପକ୍ଷରୁ ସରକାରୀ ସ୍ତରରେ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଅଞ୍ଜଳି ହତ୍ୟାକାଣ୍ଡକୁ ଇତିମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ଭାଇକୁ ଚାକିରି ମିଳିବା ଦୂରେ ଥାଉ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କାଣି କଉଡ଼ିଟିଏ ମଧ୍ୟ ପରିବାରକୁ ମିଳି ନାହିଁ। ଏପରିକି ତାଙ୍କ ପ୍ରାପ୍ୟ ମଧ୍ୟ ମିଳିନାହିଁ ବୋଲି ମୃତ ଅଞ୍ଜଳିଙ୍କ ପିତା ବସନ୍ତ ଦେହୁରୀ କହିଛନ୍ତି। ପରିସ୍ଥିତି ଏବେ ଏଭଳି ଯେ, ନିକଟସ୍ଥ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହକରି ଗାଁ ଗାଁ ବୁଲି ବିକ୍ରି କଲେ ଘରେ ଚୁଲି ଜଳେ ବୋଲି ତାଙ୍କ ମାଆ ଅମି ଦେହୁରୀ କହିଲା ବେଳେ କାନ୍ଦି ପକାଇଥିଲେ। ସେହିପରି ଯୁକ୍ତ ଦୁଇରେ ପାଠ ପଢୁଥିବା ପୁଅକୁ ମଧ୍ୟ ଆବଶ୍ୟକ ଅନୁସାରେ ବହିଖାତା ଯୋଗାଇପାରୁ ନଥିବା କଥା କହିଛନ୍ତି। ଜିଲ୍ଲାପ୍ରଶାସନ ଏହି ପରିବାରପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର