ଓଟିଇିଟିରେ ଚାରିଥର ଫେଲ୍ ହେବା ପରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

ଖଲ୍ଲିକୋଟ/ବ୍ରହ୍ମପୁର : ଗତକାଲି ଓଟିଇଟି ପରୀକ୍ଷା ଫଳ ବାହାରିଥିଲା। ଏଥିରେ ଫେଲ୍‌ ହୋଇଥିଲେ ଖଲ୍ଲିକୋଟ ବ୍ଲକ୍‌ ଅର୍ନ୍ତଗତ ମଥୁରା ପଞ୍ଚାୟତ ଅର୍ନ୍ତଗତ ଗୋଲାମଥୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ। ପୂର୍ବରୁ ମଧ୍ୟ ଓଟିଇଟିରେ ସେ ତିନିଥର ଫେଲ୍ ହୋଇଥିଲେ। ତେଣୁ ଚତୁର୍ଥ ଥର ଫେଲ୍ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ ଏବଂ ରାତିରେ ନିଜ ଭଡ଼ାଘରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପାଟିରୁ ଫେଣ ବାହାରୁଥିବାରୁ କୀଟନାଶକ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଖାଇଥିବା ଅନୁମାନ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବଡ଼ ଡାକ୍ତରଖାନାକୁ ପଠାଇଛି। ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି।

ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ମନୋଜ ସାହୁଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଗତ କିଛି ବର୍ଷ ହେଲା ଗୋଲାମଥୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ଦିନ ସେ ତାଙ୍କ ଗାଁକୁ ଯାଇଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟ‌ାରେ ଗାଁରୁ ଫେରି ବିଦ୍ୟାଳୟକୁ ଯାଇଥିଲେ ଏବଂ ୪ଟା ବେଳେ ଭଡ଼ା ଘରକୁ ଫେରିଥିଲେ। ରାତିରେ ଖାଇପିଇ ଘରେ ଶୋଇଥିଲେ। କିନ୍ତୁ ଆଜି ସକାଳ ୯ଟା ପର୍ଯ୍ୟନ୍ତ ଘର କବାଟ ଖୋଲି ନ ଥିଲା। ଘରେ ତାଙ୍କ ମୋବାଇଲ ବହୁ ସମୟ ଧରି ବାଜୁଥିଲା। ପଡ଼ୋଶୀ ସନ୍ଦେହ କରି ଝରକା ଦେଇ ଭିତରକୁ ଦେଖିଲା ବେଳକୁ ଅନ୍ନପୂର୍ଣ୍ଣା ଚଟାଣରେ ପଡ଼ିଥିଲେ, ପାଟିରୁ ଫେଣ ବାହାରୁଥିଲା। ପଡ଼ୋଶୀ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅନ୍ନପୂର୍ଣ୍ଣାଙ୍କ ବାପା, ମାଆ ଓ ଶ୍ବଶୁର ଘର ଲୋକ ପହଞ୍ଚିଥିଲେ। ଅନ୍ନପୂର୍ଣ୍ଣାଙ୍କ ମାଆ ଗଣମାଧ୍ୟମକୁ କହିଛନ୍ତି, ଝିଅ ପୂବର୍ରୁ ୩ ଥର ଓଟିଇଟିରେ ଫେଲ୍‌ ହୋଇଥିଲା। ଗତକାଲି ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ରାତି ୮ଟା ବେଳେ ଫୋନ୍‌ କରି ମୋ ସହ କଥା ହୋଇଥିଲା, ଫେଲ୍ ହୋଇଯିବାରୁ ମନ ଦୁଃଖ କରୁଥିଲା। ଏହି କାରଣରୁ ଆତ୍ମହତ୍ୟା କରିଥିବା ସେ ଅନୁମାନ କରୁଛନ୍ତି। ଖଲ୍ଲିକୋଟ ଥାନା ଅଧିକାରୀ କହିଛନ୍ତି, ଅନ୍ନପୂର୍ଣ୍ଣାଙ୍କ ପରିବାର ଓ ଶାଶୂ ଘର ପକ୍ଷରୁ କୌଣସି ଅଭିଯୋଗ ହୋଇ‌ନାହିଁ। ତେଣୁ ଓଟିଇଟି ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର