ଆରଡି: ଆରଡିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଜୁନ ୪ତାରିଖରେ ପାଳିତ ହେବ। ଏଥିପାଇଁ ଆଜି ଅପରାହ୍ନରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଥିଲା। ସକାଳେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିଲା। ଚଳିତ ବର୍ଷ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢ଼ୀ ବରପିତା ଭାବେ ଚୟନ ହୋଇଥିବା ବେଳେ କନ୍ୟାପିତା ଭାବେ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି।
ଚଳିତ ବର୍ଷ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟରେ ପୁଣି ଦୁଲୁକିବ ଆରଡିପୀଠ। ଲଗ୍ନ ଚିଟାଉ ଥାଳ ଉଠା ନୀତି ପାଇଁ ଆଜି ବରପିତା ଦୁଷ୍ମନ୍ତ ପାଢୀ ନିଜର ଜ୍ଞାତିକୁଟୁମ୍ବ ସହ ବାଜା ରୋଷଣୀ ସହ ଏକ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରଶେଖର ଦାଶଙ୍କ ପୁରୋହିତ ଚନ୍ଦ୍ରମଣି ପାଢୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ବାରା ଲଗ୍ନ ଚିଟାଉ ତାଳପତ୍ରରେ ଲେଖା ହେବା ପରେ ପଠନ କରାଯାଇଥିଲା।
ଏପରିକି ବିବାହ ବେଦୀରେ ଯୌତୁକ ବାବଦକୁ ବାବାଙ୍କୁ କନ୍ୟାପିତା ୨ହଳ ନାଗନାଗୁଣୀ ସହ ୨ହଳ ବୃଷଭ, ୨ଏକର ଶ୍ମଶାନ ଜମି ଓ ନଗଦ ୫୦୧ଟଙ୍କା ଦେବା ପାଇଁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ପରେ ଲଗ୍ନଥାଳ ବରପିତାଙ୍କୁ ଟେକି ଦେଇଥିଲେ। ଏହି ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହେଉଥିବାରୁ ଆଜି ମଣିବାବାଙ୍କ ମାନବୀୟ ଲୀଳା ଭାବେ ଲଗ୍ନ ସରିବା ପରେ ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲ୍ଲାର ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/17-11.jpg)