ଲହଣ୍ଡା ଗଣହତ୍ୟା ମାମଲା, ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗୁଣି ସନ୍ଦେହରେ ପରିବାରର ୬ ଜଣଙ୍କୁ ମାରିଥିଲେ

କେନ୍ଦୁଝର/ଚମ୍ପୁଆ: ବହୁଚର୍ଚ୍ଚିତ ଲହଣ୍ଡା ଗଣହତ୍ୟା ମାମଲାର ଶୁଣାଣି କରି ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ଏଥିସହିତ ଜଣକୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୫ ମସିହାରେ ‌କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଲହଣ୍ଡା ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଚାଲିବା ପରେ ଆଜି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଳ‌ଗୋବିନ୍ଦ ବାରିକ ରାୟ ଶୁଣାଇଛନ୍ତି। ଏହି ରାୟ ଅନୁସାରେ, ଅଭିଯୁକ୍ତ ତଥା ଲହଣ୍ଡା ଗ୍ରାମର ମାନା ମୁଣ୍ଡା (୩୦), ରତ୍ନା ମୁଣ୍ଡା (୩୮), ବାଗୁନ ମୁଣ୍ଡା (୩୨), ଉମା ମୁଣ୍ଡା(୩୨), ତୁମ୍ବା ମୁଣ୍ଡା (୪୫) ଓ ଈଶ୍ୱର ମୁଣ୍ଡା(୨୩)ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥବା ବେଳେ ଏକମାତ୍ର ମହିଳା ଅଭିଯୁକ୍ତ ପାଣ୍ଡରି ମୁଣ୍ଡାକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏମାନଙ୍କୁ ଭାରତୀୟ ପିଙ୍ଗଳକୋଡ୍‌ର ଗୁଣିଗାରେଡ଼ି ଧାରା ୪(୧) ଅନୁସାରେ ଦଣ୍ଡିତ କରାଯାଇଛି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦାୟ ହେଲେ ଆଉ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଯୋଡା ବ୍ଲକ ଲହଣ୍ଡା ମୁଣ୍ଡା ସାହିରେ ରହୁଥିଲେ ଗୁରା ମୁଣ୍ଡା(୪୬)ଙ୍କ ପରିବାର। ଗୁରାଙ୍କ ସମେତ ତାଙ୍କ ପତ୍ନୀ ବୁଦୁନୀ ମୁଣ୍ଡା(୪୩) ଓ ୪ ପୁଅ, ୨ ଝିଅ ଥିଲେ। ଗୁରାଙ୍କ ବଡ଼ଭାଇ ତୁମ୍ବା ମୁଣ୍ଡାଙ୍କର ବାରମ୍ବାର ଦେହ ଖରାପ ହେଉଥିଲା। ଗୁରା ଓ ତାଙ୍କ ପତ୍ନୀ ଗୁଣି ଗାରେଡ଼ି କରୁଥିବାରୁ ତାଙ୍କର ଦେହ ଖରାପ କରୁଛନ୍ତି ବୋଲି ସେ ସନ୍ଦେହ କରୁଥିଲା। ସେମାନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲେ ସେ ସୁସ୍ଥ ହୋଇଯିବ ବୋଲି ଧରି ନେଇଥିଲା। ଏଥିପାଇଁ ସୁଯୋଗ ଉଣ୍ଡୁଥିଲା। ୨୦୧୫ ଜୁଲାଇ ୧୩ ତାରିଖ

ଭୋର୍‌ରେ ପୂର୍ବ ଯୋଜନା ଅନୁସାରେ ଗୁରା ମୁଣ୍ଡା, ତାଙ୍କ ପତ୍ନୀ ଓ ଚାରି ପୁଅ, ଦୁଇ ଝିଅଙ୍କୁ ଶୋଇଥିବା ଅବସ୍ଥାରେ ଅନ୍ୟମାନଙ୍କ ସହଯୋଗରେ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗୁରା ମୁଣ୍ଡା, ତାଙ୍କ ପତ୍ନୀ ବୁଧୁଲି ମୁଣ୍ଡା, ପୁଅ ସୁନୀଲ ଓ କୁଶନାଥଙ୍କ ସମେତ ଦୁଇ ଝିଅ ସମ୍ବାରୀ ଓ ନମିତା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଅତ୍ୟନ୍ତ ଗୁରୁତର ଭାବେ ଅନ୍ୟ ଦୁଇ ପୁଅ ଗଣ୍ଠିଆ ଓ ଶମ୍ଭୁନାଥ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ। ଖବର ପାଇ ଯୋଡ଼ା ପୁଲିସ ଜୁଲାଇ ୧୨ ତାରିଖ ଦିନ ଲହଣ୍ଡାରେ ପହଞ୍ଚି ୬ଜଣଙ୍କ ମୃତଦେହ ଉଦ୍ଧାର କରି ଗୁରୁତର ଦୁଇ ପୁଅଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ଯୋଡ଼ା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆର ଅତିରିକ୍ତ ଜିଲ୍ଲା ଦୌରଜଜଙ୍କ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି। ଏହି ମାମଲାରେ ୯ ଜଣଙ୍କୁ ପୁଲିସ ଗିରଫ କରିଥିଲା। ତନ୍ମଧ୍ୟରୁ ୭ ଜଣ ଦଣ୍ଡିତ ହୋଇଛନ୍ତି ଏବଂ ପ୍ରମାଣ ଅଭାବରୁ ଦୁଇଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।

ସମ୍ବନ୍ଧିତ ଖବର