ତାମ୍ପରା ମଧୁର ଜଳ ହ୍ରଦରେ ‘ଲେକ୍‌ ଭ୍ୟୁ ପାର୍କ’ର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଗୋପାଳପୁର ବନ୍ଦରରେ ଏଲ୍ଏ‌ନ୍‌ଜି‌ ଟର୍ମିନାଲ ପ୍ରତିଷ୍ଠା ହେବ: କେନ୍ଦ୍ରମନ୍ତ୍ରୀ

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତାମ୍ପରାସ୍ଥିତ ମଧୁର ଜଳ ହ୍ରଦରେ ‘ଲେକ୍‌ ଭ୍ୟୁ ପାର୍କ’ର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୮ କୋଟି ୩୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏହି ପାର୍କର ନିର୍ମାଣ ହୋଇଛି। କେନ୍ଦ୍ର ସରକାରଙ୍କ ‘ସ୍ବଦେଶ ଦର୍ଶନ ଯୋଜନା’ରେ କୋଷ୍ଟାଲ ଏରିଆରେ ଥିବା ଗଂଜାମ ଜିଲ୍ଲାର ତାମ୍ପରା ଓ ଗୋପାଳପୁର, ପୁରୀ ଜିଲ୍ଲାର ସାତପଡା ଓ ଖୋର୍ଦ୍ଧା ଜିଲ୍ଲାର ବରକୁଳର ଭିତ୍ତିଭୂମି ବିକାଶ ଦିଗରେ ୭୧କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ତାମ୍ପରା ଠାରେ ଲେକ୍‌ ଭ୍ୟୁ ପାର୍କ ପ୍ରତିଷ୍ଠା ହୋଇପାରିଛି।

‘ଲେକ୍‌ ଭ୍ୟୁ’ ପାର୍କର ଶୁଭ ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୫୦୦ ମିଟର ବିଶିଷ୍ଟ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ୨୬ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଏହି କାମକୁ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି। କେନ୍ଦ୍ର ସରକାର ସ୍ବଦେଶ ‌ଦର୍ଶନ ଯୋଜନାରେ ଓଡ଼ିଶାର ୪ଟି ପ୍ରକଳ୍ପ ହାତକୁ ନେଇଛନ୍ତି। ଏଥି ପାଇଁ ୭୦ କୋଟି ୮୦ ଲକ୍ଷଟଙ୍କା ମଂଜୁରୀ ହୋଇଛି। ଏହି ୪ଟି ପ୍ରକଳ୍ପ ଗୁଡ଼ିକ ତାଂପରା, ଗୋପାଳପୁର, ବରକୁଳ ଓ ସାତପଡ଼ା ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଂଜାମରେ ବହୁ ସମ୍ଭାବନା ରହିଛି। ଏହାକୁ ଉପଯୋଗ କରିବା ପାଇଁ ସମସ୍ତେ ଦୃଷ୍ଟି ଦେବା ଦରକାର।

ଶରଣ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୧ କୋଟି ଟଙ୍କାର ଅନୁଦାନ 

ଗଂଜାମ ଜିଲ୍ଲା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ୩ଟି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଗଂଜାମ ଜିଲ୍ଳାର ପୋଲସରା ବ୍ଲକର ମଥୁରା ନିକଟ ମାଳଦା ଠାରେ ଶରଣ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୧ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିବେ। ମହାପ୍ରଭୁଙ୍କ ଳୀଳାକ୍ଷେତ୍ର ବିକାଶ ପାଇଁ କେନ୍ଦ୍ର ସରକାର କାମ କରିବେ। ସେହିଭଳି ଶରଣ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ ମାଧ୍ୟମରେ ବଉଳମାଳ ପଥରରେ ସ୍ବାଗତ ତୋରଣ କରାଯିବ।

ଗୋପାଳପୁରରେ ଏଲ୍‌ଏନ୍‌ଜି ଟର୍ମିନାଲ

ଗୋପାଳପୁର ବନ୍ଦରରେ ଏଲ୍ଏ‌ନ୍‌ଜି‌ ଟର୍ମିନାଲ ପ୍ରତିଷ୍ଠା ହେବ। ଏଥି ପାଇଁ ଗେଲ ଭଳି ବୃହତ୍ ସଂସ୍ଥା ସହିତ ଆଲୋଚନା କରାଯାଇଛି। ଗୋପାଳପୁର ପୋର୍ଟ କତ୍ତୃର୍ପକ୍ଷ ସହ ଆଲୋଚନା ମଧ୍ୟ ଆଲୋଚନା ହୋଇଛି। ସେହିଭଳି ଗୋପାଳପୁର ଠାରେ ଏଚ୍‌ପି‌ସିଏଲ୍‌, ଆଇଓସିଏଲ୍‌ ଓ  ବିପିସିଏଲ୍‌ ଉଦ୍ୟ‌ମରେ ଅଏଲ ଡିପୋ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ଖୋର୍ଦ୍ଧା ଡିପୋ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେବଳ ଏତିକି ନୁହେଁ ଗଂଜାମ ସୀମାଦେଇ ଦକ୍ଷିଣ ଭାରତକୁ ଗ୍ୟାସ ପାଇପଲାଇନ୍‌ ଯିବ।

ମହେନ୍ଦ୍ର ଗିରିକୁ ରାମାୟଣ ସର୍କିଟ ପାଇଁ ପ୍ରସ୍ତାବ

ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେଓ କହିଛନ୍ତି ତାମ୍ପରା ଠାରେ ‘ଲେକ୍‌ ଭ୍ୟୁ’ର ସୌନ୍ଦର୍ଯ୍ୟକରଣ ହୋଇଥିବା ବେଳେ ଉତ୍ତମ ପାଦଚଲା ରାସ୍ତା, ଫୁଡ୍ କୋଟ, ଟଏଲେଟ, ପିଇବା ପାଣିର ବ୍ୟବସ୍ଥା ହୋଇଛି। ଏଥି ସହ ଆକର୍ଷଣୀୟ ଲେକ୍ଭ‌ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । ପର୍ଯ୍ୟଟନ ବିଭାଗର ଉନ୍ନତି ଦିଗରେ ବର୍ତ୍ତମାନ ସୁଦ୍ଧା ୧୫ ଶହ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିଯିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ର ଗିରିକୁ ରାମାୟଣ ସର୍କିଟରେ ସାମିଲ କରିବାକୁ କେନ୍ଦ୍ରକୁ ବିବରଣୀ ଦେଇଛନ୍ତି। ଏହା ପର୍ଯ୍ୟଟନ ମନ୍ତ୍ରାଳୟରେ ବିଚାରାଧୀନ ରହିଛି।

ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ବେହେରା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ସବକଲେକ୍ଟର ଓ ବିଡିଏ କମିସନର ଆଦି ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ପର୍ଯ୍ୟଟନର ବିକାଶ ଓ ସେଥିରେ ନିଯୁକ୍ତି ସୃଷ୍ଟି କରିବା ବର୍ତ୍ତମାନର ଆହ୍ବାନ। ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର।

ସମ୍ବନ୍ଧିତ ଖବର