ଚଣ୍ଡିଖୋଲ: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବଡ଼ଚଣା ବ୍ଲକର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଠାକାର ଅନନ୍ୟ ପରମ୍ପରା ଅନୁଯାୟୀ ଗୋଟିଏ ପଥରରେ ନିର୍ମିତ ପଞ୍ଚ ଦେବତା- ଗଣେଶ, ସୂର୍ଯ୍ୟ, ବିଷ୍ଣୁ, ଦୁର୍ଗା ଓ ମହାଦେବ ପୂଜା ପାଇ ଆସୁଛନ୍ତି। ଆଜି ଭୋର ୪ ଟାରୁ ମଙ୍ଗଳ ଆଳତି, ବଡ଼ସିଂହାର ବେଶ ପରେ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା। ପ୍ରଭୁ ମହାବିନାୟକଙ୍କ ଦୁର୍ଲଭ ଦର୍ଶନ ପାଇଁ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଛୁଟି ଆସିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣି, ବିଧାୟକ ଅମର ପ୍ରସାଦ ଶତପଥୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଓ କଂଗ୍ରେସ ନେତା କ୍ୟାପ୍ଟେନ ରାଜ ନାରାୟଣ ମହାପାତ୍ର ପ୍ରମୁଖ ପଞ୍ଚଦେବଙ୍କୁ ଦର୍ଶନ କରିଥିଲେ।
ମନ୍ଦିର ପାଦଦେଶରେ ଶତାଧିକ ଅସ୍ଥାୟୀ ଦୋକାନ ଖୋଲିଛି। ଭିଡ଼ ନିୟନ୍ତ୍ରଣ ସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯାଜପୁରରୋଡ୍ ଏସ୍ଡିପିଓ ସଂଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଥାନାରୁ ୩୦ରୁ ଅଧିକ ପୁଲିସ ଅଧିକାରୀ ଓ ୩ ଶହ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ଆଜି ରାତି ୧୨.୫ ମିନିଟରେ ଏଠାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବଡ଼ଚଣା ବ୍ଲକର ଛତିଆ, ନାନପୁର ପଟଣା, ବୈରୀ, ଅମିୟଝରି, ସମିଆଁ, ଦେଉଳକୁର, ବଦଘୁମୁରି, ବାଲିପଡ଼ିଆ, ରଇପୁର, ଶାଳାପଡ଼ା, ହରିପୁର, ଭାକୁଡ଼, ବହାଦୁରନଗର, କଳାଶ୍ରୀ, ବିକ୍ରମତିରଣ, ଅରଖପୁର, ବେଣାପୁର, ବନ୍ଦାଳ ଓ ବନ୍ଦରେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିରରେ ଆଜି ମହାଶିବରାତ୍ରି ପାଳନ କରାଯାଇଛି।