ପୁରୀ ଜିଲ୍ଲାରେ ଅଢ଼େଇ ଲକ୍ଷ ଲୋକ ଜଳବନ୍ଦି: କଣାସ, ଗୋପ ସ୍ଥିତି ସଙ୍ଗିନ

କଲବଲ କରୁଛି ମକରା, ରାଜୁଆ, ଧନୁଆ, କୁଶଭଦ୍ରା, ଲଘୁଚାପ ବର୍ଷା ଆଣିପାରେ ଆହୁରି ବିପଦ

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ଦୁର୍ଦ୍ଦଶା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ଓ ଲେଉଟା ପାଣି ଗାଁ ଗଣ୍ଡାକୁ ବୁଡ଼ାଇବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି। ବନ୍ୟା ପାଣିର ଆଁ ଜିଲ୍ଲାର ୩ଶହରୁ ଅଧିକ ଗାଁ’କୁ ଗ୍ରାସ କରିସାରିଲାଣି। ଫଳରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। କିଏ ଘର ଛାତ ଉପରେ ତ କିଏ ନଈ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଗାଈଗୋରୁ, ମଣିଷ ସମସ୍ତେ ଭୋକଉପାସରେ ଏକାଠି ଦିନ କାଟୁଛନ୍ତି। ସବୁଠୁ ଅଧିକ ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ଓ ଗୋପ ବ୍ଲକ୍‌ରେ। ମକରା, ରାଜୁଆ, କୁଶଭଦ୍ରା ଆଦି ନଦୀବନ୍ଧର ଘାଇ ଦେଇ ବନ୍ୟାଜଳ ପ୍ରଖର ବେଗରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ନିମାପଡ଼ା, ଡେଲାଙ୍ଗ, ପିପିଲି ବ୍ଲକ୍‌ ସ୍ଥିତି ବି ଖରାପ। ସେପଟେ ପାଣିପାଗ ବିଭାଗ ପୁନର୍ବାର ଲଘୁଚାପଜନିତ ବର୍ଷା ପାଇଁ ସତର୍କ ସୂଚନା ଜାରି କରିବା ପରେ ସ୍ଥିତି ଆହୁରି ଉତ୍କଟ ହେବା ଆଶଙ୍କାରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପରେ ଦୟା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ଚାଲିଥିଲା। ଆଜି ୨ ଫୁଟରୁ ଅଢ଼େଇ ଫୁଟ ଜଳସ୍ତର କମିଥିଲେ ବି ଦୟା ବିପଦସଂକେତ ତଳକୁ ଖସିନି। କଣାସ ବ୍ଲକ୍‌କୁ ଏହା ବୁଡ଼ାଇ ରଖିଛି। ତିନି ଦିନ ତଳୁ ଦୟା ନଦୀର ଶାଖା ନଈ ମକରାରେ ସୃଷ୍ଟ ହୋଇଥିବା ଘାଇ କ୍ରମେ ବଢ଼ି ଶହେ ଫୁଟ ଆକାର ନେଲାଣି। ପ୍ରଶାସନ ଏହାକୁ ବନ୍ଦ କରିବାରେ ବିଫଳ ହୋଇଥିବାରୁ ବନ୍ୟାଜଳ ଗହୀର ଦେଇ ବିଭିନ୍ନ ଗାଁରେ ପଶିଲାଣି। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ମୁତାବକ, ମକରା ନଈର ଘାଇ ଫଳରେ କଣାସ ବ୍ଲକ୍‌ର ୧୫ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ୨୦ହଜାରରୁ ଅଧିକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଦୟା ନଦୀର ଜଳସ୍ତର ଆଜି ୫.୪୯ ମିଟର ଉଚ୍ଚରେ ରହିଥିବା ବେଳେ ୧୦ରୁ ଅଧିକ ଗାଁ’ ଜଳମଗ୍ନ ହୋଇଛି ଓ ୧୨ରହଜାରରୁ ଅଧିକ ଲୋକ ଜଳବନ୍ଦୀ ଅଛନ୍ତି। ସେହିଭଳି ରାଜୁଆ ନଈର ୩ଶହ ଫୁଟ ଘାଇ ଆଜି ବି ଗଡ଼ସାନପୁଟ ପଞ୍ଚାୟତ ସହ ଆଖପାଖ ଅଞ୍ଚଳକୁ ବୁଡ଼ାଇଛି। ଫଳରେ ୧୪ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ୧୦ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି।

ଗୋପ ବ୍ଲକ୍‌ ଦେଇ ପ୍ରବାହିତ କୁଶଭଦ୍ରା ଜଳସ୍ତରେ ବିପଦସଂକେତ ତଳକୁ ଖସିଛି। ବିପଦସଂକେତ ୭.୭୨ ମିଟର ଥିବାବେଳେ ଆଜି ୭.୨୦ ମିଟର ଜଳସ୍ତର ପ୍ରବାହିତ ହେଉଛି। କିନ୍ତୁ ଗୋପ ବ୍ଲକ୍‌ର ଖଣ୍ଡିଆକୁଦ ଘାଇ ଆଜି ସୁଦ୍ଧା ବନ୍ଦ ହୋଇନଥିବାରୁ ଏହି ବାଟ ଦେଇ ବନ୍ୟାଜଳ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି। ଫଳରେ ୭ଟି ପଞ୍ଚାୟତର ଶତାଧିକ ଗାଁ’ ଜଳମଗ୍ନ ହୋଇଛି। ୨୮ହଜାର ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଆଜି ବି ବେଲପୁର ପଞ୍ଚାୟତର ଖଣ୍ଡିଆକୁଦ ଓ ବେହେରାସାହି ଗାଁ’ ଜଳଘେରରେ ରହିଛି। ବନ୍ୟାଜଳ ଏହି ଗାଁ’କୁ ସଂଯୋଗ କରୁଥିବା ରାସ୍ତା ଉପରେ ୩ରୁ ୪ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଲୋକେ ଗାଁ’ରୁ ବାହାରିବା କଷ୍ଟକର ହୋଇପଡ଼ିଛି। ବାଲିଘାଇ-ଗୋପ ରାସ୍ତାରେ ଆଜି ବି ୩ ଫୁଟ ଉଚ୍ଚରେ ପାଣି ଚାଲୁଛି। ସେପଟେ ଧନୁଆର ‌ପଛୁଆ ପାଣି ଗୋପ ବ୍ଲକ୍‌ର ଡଭାର, ରାହାଙ୍ଗରଡ଼ା, ନୂଆ ଖୋଲମରା ପଞ୍ଚାୟତକୁ ଜଳମଗ୍ନ କରିଛି। ଫଳରେ ୧୦ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି। ଘରେ ଘରେ ପାଣି ପଶିଲାଣି।

ଭାର୍ଗବୀ ନଦୀର ଶାଖା ନଈ ଧନୁଆର ବନ୍ୟା ପାଣି ନିମାପଡ଼ା ବ୍ଲକ୍‌ର ବଡ଼ମାଛପୁର, ସଗଡ଼ା, ଧନୁଆ, ଅଲଣ୍ଡା, ବଡ଼ସିରିଗୁଡ଼ା, ବାମନାଳ, ସାଇଁସ ଶାସନ, ବଡ଼ଶିରୁବଳା ଆଦି ପଞ୍ଚାୟତର ୬୯ଟା ଗାଁ’କୁ ଜଳମଗ୍ନ କରିଛି। ୪୪ହଜାରରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ନିମାପଡ଼ା-ଭୁବନେଶ୍ବର ରାସ୍ତାର କାଜିପାଟଣାଠାରେ ଏବେ ବି ପ୍ରାୟ ୨ କିଲୋମିଟର ଧରି ୪ ଫୁଟ ଉଚ୍ଚର ବନ୍ୟାପାଣି ଚାଲିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ନିମାପଡ଼ା-ବଳଙ୍ଗା ରାସ୍ତାର ବଡ଼ଶିରୁବଳା ପଞ୍ଚାୟତ ତୋରିଅବନ୍ଧଠାରେ ବି ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର