ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଉଷାବତୀ ସାହୁ ଓ ତାଙ୍କ ସ୍ୱାମୀ ଶେଷଦେବ ସାହୁଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏନଏଚ ୪୯ ବାଘମୁଣ୍ଡା ଲୁହୁରାପଡ଼ା ନିକଟ ପୋଲ ଉପରେ ଏହି ଦୁର୍ଘଟଣା ଶୁକ୍ରବାର ଅପରାହ୍ଣ ୩ଟା ୧୫ରେ ଘଟିଛି। ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ (ସିଜି ୧୩ଏଲ ୧୮୦୯) ରାସ୍ତାର ପ୍ରାୟ ୨୫ ଫୁଟ୍ ତଳକୁ ଖସି ପଡ଼ିଛି। ଉଷାବତୀ ସାହୁ ୨୦୦୨-୦୭ ମଧ୍ୟରେ ବାଘମୁଣ୍ଡା ସମିତି ସଭ୍ୟା ଏବଂ ୨୦୧୨-୧୭ ମଧ୍ୟରେ ସରପଞ୍ଚ ଭାବେ ନିର୍ବାଚିିତ ହୋଇ କାର୍ଯ୍ୟ କରିଥିଲେ। ଜାତୀୟ ରାଜପଥ ଉପରେ ଦୁଇଟି ପିକଅପ ଭ୍ୟାନ (ସିଜି ୧୩ଏଲଏ ୨୦୪୨ ଓ ସିଜି ୧୩ଏଲଏ ୧୮୦୯) ବେଲପାହାଡ଼ ପଟୁ ରାୟଗଡ଼ ଅଭିମୁଖେ ଆଗପଛ ହୋଇ ଯାଉଥିଲେ। ବିପରୀତ ପଟୁ ସିଂଘାରପୁରରୁ ଏକ ଦଶାହ କାର୍ଯ୍ୟ ଯୋଗଦେଇ ସାରି ଶେଷଦେବ ସାହୁ ଓ ଉଷାବତୀ ଏକ ବାଇକ୍ (ଓଆର ୨୩ଏଫ ୬୦୭୦)ରେ ନିଜ ଗାଁ ବାଘମୁଣ୍ଡାକୁ ଫେରୁଥିଲେ। ହଠାତ ଦ୍ୱିତୀୟ ପିକ୍ଅପ୍ ଭ୍ୟାନ୍ଟି ଅତିକ୍ରମ କରିବାରୁ ବାଇକ୍ଟି ମଝିରେ ରହିଯାଇଥିଲା ଏବଂ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟ ପରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଉଷାବତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ସଦର ହସ୍ପିଟାଲରେ ଶେଷଦେବଙ୍କୁ ମୃତ ଘୋଷଣା କରାଯାଇଛି। ଲଖନପୁର ଆଇଆଇସି ବୈକୁଣ୍ଠନାଥ ସେଠ ସଦଳବଳ ଉଦ୍ଧାର କାର୍ଯ୍ୟ କରାଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଘଟଣାରେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଦୁର୍ଘଟଣାରେ ଲଖନପୁର ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ଓ ତାଙ୍କ ସ୍ୱାମୀ ମୃତ
/sambad/media/post_attachments/wp-content/uploads/2017/10/Untitled-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)