ବାଣପୁରରେ ଲଖିମପୁର ଘଟଣା: ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ସୀମା ଟପିଲା, ବିଜେପି ସମର୍ଥକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ ବିଧାୟକ

ଜନତାଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ
ବାଣପୁରରେ ୧୪୪ ଧାରା ଜାରି, ପୁଲିସ ମୁତୟନ

ଖୋର୍ଦ୍ଧା/ ବାଣପୁର : ସମୟ ହୋଇଥିଲା ପୂର୍ବାହ୍ନ ପ୍ରାୟ ୧୧ଟା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା ବାଣପୁର ବ୍ଲକ ଅଫିସ। ହଠାତ୍ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡି (ରେଂଜ ରୋଭର ଡିସକଭରି-ଓଡି୦୨ ଏୱାଇ ୫୭୭୫)ରେ ଯାଇ ପହଞ୍ଚିଥିଲେ ବାଣପୁର ବ୍ଲକ୍‌ କାର୍ଯ୍ୟାଳୟ ସାମ୍ନାରେ। ସେତେବେଳକୁ ବ୍ଲକ ସାମ୍ନାରେ ଖଚାଖଚ ଭି଼ଡ଼। ବିଧାୟକଙ୍କୁ ବିଜେପି କର୍ମୀମାନେ ବିରୋଧ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ଉପସ୍ଥିତି ଅନାବଶ୍ୟକ ଥିବା କହି ବିଧାୟକଙ୍କ ଗାଡ଼ିକୁ ଘେରି ଯାଇଥିଲେ। ହେଲେ ଡରିନଥିଲେ ବିଧାୟକ। ବରଂ ବେଧଡ଼କ ଭାବେ ଏବଂ ନାଟକୀୟ ଢଙ୍ଗରେ ଭିଡ଼ ଭିତରକୁ ଗାଡ଼ି ପୂରାଇ ବଢ଼ିଥିଲେ ଆଗକୁ। ମଣିଷ ଜୀବନ ଯେମିତି ତାଙ୍କ ପାଇଁ ପୋକ ମାଛି ସଦୃଶ ଥିଲା। ବିଧାୟକଙ୍କ ବହୁ ମୂଲ୍ୟର ଗାଡ଼ି ଧକ୍କା ଦେଇ, ଦଳି ଦେଇଥିଲା ଲୋକଙ୍କୁ, ଠିକ୍ ଉତ୍ତରପ୍ରଦେଶର ଲଖିମପୁର ଖେରି ଘଟଣା ଭଳି। ସାମ୍ନାରେ ଥିବା ମହିଳା, କିଛି ଲୋକ ଏବଂ ପୁଲିସ ଛିଟିକି ପଡ଼ିଥିଲେ। ଚିତ୍କାରରେ କମ୍ପିଥିଲା ସ୍ଥାନୀୟ ଅଞ୍ଚଳ। ଆଉ ଏହି ଘଟଣା ସମସ୍ତଙ୍କୁ ତତାଇ ଦେଇଥିଲା। ଉତ୍ତ୍ୟକ୍ତ ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ଗାଡ଼ି ଅଟକାଇ ନିର୍ଘାତ ମାଡ଼ ମାରିଥିଲେ ବିଧାୟକଙ୍କୁ। ପୂରା ଲହୁଲୁହାଣ କରିଦେଇଥିଲେ। ଏହି ଘଟଣାରେ ୭ଜଣ ପୁଲିସ ସମେତ ୨୨ଜଣ ଆହତ ହୋଇଛନ୍ତି। ଏଥିରେ ୧୪ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ବି ଅଛନ୍ତି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଧଳାରଙ୍ଗର ରେଞ୍ଜରୋଭର ଗାଡ଼ିକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି।

ଶନିବାର ଦିନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସହିତ ଓଡ଼ିଶା ରାଜନୀତିରେ ଏଭଳି ଏକ କଳଙ୍କିତ ଘଟଣା ଯୋଡି ହୋଇଛି, ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଭାଇରାଲ୍ ଏହି ଭିଡ଼ିଓ ଯିଏ ଦେଖୁଛନ୍ତି, ସିଏ ହତବାକ୍ ହୋଇପଡୁଥାନ୍ତି। ଏହି ଘଟଣାକୁ ଛି ଛି କରିଛନ୍ତି ଓ ଏଭଳି ଲୋମହର୍ଷକ ଘଟଣା ବିରୋଧରେ ସବୁ ମହଲରୁ ନିନ୍ଦାବାଦ କରାଯାଇଛି। ରାଜ୍ୟରେ ବିପର୍ଯ୍ୟୟ ଆଇନଶୃଙ୍ଖଳାର ଯେଉଁ ଭୟାନକ ଚିତ୍ର ଏଥର ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ରାଜ୍ୟବାସୀ ଦେଖି ଆସୁଥିଲେ, ଆଜି ବାଣପୁରରୁ ଆସିଥିବା ଚିତ୍ର ବୟାନ କରୁଛି ଯେ ଏହା ଯେମିତି ସବୁ ସୀମା ସରହଦ ଟପିଗଲାଣି। କେହି କାହାକୁ ଆଉ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏମିତିକି ପୁଲିସ ସେଠାରେ ଉପସ୍ଥିତ ଥିଲେ ବି ନା ବିଧାୟକ ନା ବିଜେପି କର୍ମୀ କେହି ବି ଭ୍ରୂକ୍ଷେପ କରିନାହାନ୍ତି। ସମସ୍ତେ ଆଇନକୁ ମୋଡ଼ିମକଚି ଦେଇଛନ୍ତି। ଏହି ଘଟଣା ଆଜି ରାଜ୍ୟର ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରିଛି। ରାଜ୍ୟରେ ପୂର୍ବରୁ କେବେ ଏମିତି ଘଟଣା ଘଟିଥିବା ନଜିର ନାହିଁ ବୋଲି ବରିଷ୍ଠ ରାଜନେତାମାନେ ମତ ବ୍ୟକ୍ତ କରିଛନ୍ତି।

ଘଟଣା ଥିଲା ଏମିତି:
ବାଣପୁର ବ୍ଲକ୍‌ର ୧୭ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୫ଜଣ ବିଜେଡି ସମର୍ଥନରେ ଜିତିଥିଲେ। ଅନ୍ୟ ୧୨ଜଣ ବିଜୟୀ ବିଜେପିର ସମର୍ଥକ। ଏଣୁ ବାଣପୁରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେପି ସମର୍ଥନରେ ଜିତିବା ପ୍ରାୟତଃ ନିଶ୍ଚିତ ଥିଲା। ହେଲେ ବିଜେପି ପକ୍ଷରୁ ଦୁଇଜଣ ଅଧ୍ୟକ୍ଷ ପଦକୁ ଆଖେଇଥିଲେ। ଜଣେ ଅମରେନ୍ଦ୍ର ରଣସିଂହ ଓ ଅନ୍ୟ ଜଣକ ହେଲେ କନ୍ଦର୍ପ ଜେନା। ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ବ୍ଲକ୍‌ ଅଧ୍ୟକ୍ଷ ପଦବିକୁ ହାତେଇ ନେବାକୁ ନିଜର ରାଜନୈତିକ ଗୋଟିଚାଳନା କରିବା ଆରମ୍ଭ କରିଥିଲେ। ବିଜେପି ସମର୍ଥନରେ ଜିତିଥିବା କନ୍ଦର୍ପ ଜେନା ଯଦି ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହୁଅନ୍ତି ଓ ବିଜେପି ସମର୍ଥନରେ ଜିତିଥିବା କିଛି ପ୍ରାର୍ଥୀଙ୍କୁ ଆଣିପାରନ୍ତି ତେବେ ନିଜର ସମର୍ଥନ ଦେବାକୁ ବିଧାୟକ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ। ଏହି କଥା ପ୍ରଚାରିତ ହେବାପରେ ବିଜେପି ମହଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଶନିବାର ଦିନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜଣେ ବିଜେପି ସମର୍ଥିତ ସମିତି ସଭ୍ୟଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବିଜୟୀ ସମିତି ସଭ୍ୟ କନ୍ଦର୍ପ ଜେନାଙ୍କୁ ଶୁକ୍ରବାରେ ରାତିରେ କେତେକ ଦୁର୍ବୃତ୍ତ ଅପହରଣ କରିନେଇଥିବା କନ୍ଦର୍ପ ଜେନାଙ୍କ ପତ୍ନୀ ଦମୟନ୍ତୀ ଜେନା ଶନିବାର ଥାନାରେ ଅଭିଯୋଗ କରିଥିଲେ।

 

ଏଭଳି ଏକ ପୃଷ୍ଠଭୂମିରେ ଶନିବାର ସକାଳେ ନିର୍ବାଚନ ପାଇଁ ବ୍ଲକ୍‌ କାର୍ଯ୍ୟାଳୟ ଖୋଲିଥିଲା। କନ୍ଦର୍ପ ନିଖୋଜ ନେଇ ଆଲୋଚନା ସରଗରମ ରହିଥିଲା। ବିଜୟୀ ବିଜେପି ସମର୍ଥିତ ସଭ୍ୟମାନେ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ଅର୍ଥାତ୍ ପ୍ରାୟ ୧୧ଟା ବେଳକୁ ଚିଲିକା ବିଧାୟକ ନିଜେ କାର ଚଳାଇ ସେଠାରେ ପହଞ୍ଚିଥିଲେ। ସେ ବ୍ଲକ୍‌ରେ ପଶିବାକୁ ଉଦ୍ୟମ କରିବାରୁ ତାଙ୍କୁ ବିରୋଧ ହୋଇଥିଲା। ଏହି ସମୟରେ ତାଙ୍କ ଗାଡି କିଛି ଲୋକଙ୍କ ଦେହରେ ବାଜିଯାଇଥିଲା। ଏହିଥିରୁ ଉଚ୍ଚବାଚ୍ଚ ଆରମ୍ଭ ହୋଇଥିଲା ଓ ବିଜେପି କର୍ମୀମାନେ ବିଧାୟକଙ୍କ ଗାଡିକୁ ଘେରିଯାଇ କାଚ ବା଼ଡ଼େଇଥିଲେ। ବାଣପୁର ଆଇଆଇସି ରଶ୍ମି ରଂଜନ ସାହୁ ଓ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଭିଡ଼କୁ ହଟାଇବାକୁ ଉଦ୍ୟମ କରିଥିଲେ। ହେଲେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ହାବଭାବ ବଦଳିଯାଇଥିଲା। ସେ କାର୍‌ର ଗତିକୁ ହଠାତ୍ ବଢ଼ାଇ ଆଗକୁ ମାଡ଼ିଚାଲିଲେ ଏବଂ ସାମ୍ନାରେ ଥିବା ସମସ୍ତଙ୍କୁ ଠେଲି ନେଇଯାଇଥିଲେ। ଏଥିରେ ଆଇଆଇସି ଶ୍ରୀ ସାହୁଙ୍କ ସମେତ ପ୍ରାୟ ୨୨ଜଣ ଆହତ ହୋଇଥିଲେ। ଜଣେ ମହିଳାଙ୍କ ମୁହଁ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାଦେଖି ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। କାର୍ ଭିତରୁ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଟାଣି ଆଣି ଲାତ-ଗୋଇଠା ମାରିଥିଲେ। ନିକଟରେ ଥିବା ଦୋକାନରୁ ବାଉଁଶ ଆଦି ଆଣି ନିର୍ଘାତ ମାଡ଼ ଦେଇଥିଲେ। ଏହି ସମୟରେ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ବିଧାୟକଙ୍କୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ବିଧାୟକଙ୍କ କାର୍‌ଟିକୁ ଭାଙ୍ଗି ଚୂର୍‌ମାର୍‌ କରିଦେଇଥିଲେ। ସୂଚନା ପାଇ ୨ ପ୍ଲାଟୁନ୍ ପୁଲିସ ଫୋର୍ସ, ଖୋର୍ଦ୍ଧା ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଅଲେଖଚନ୍ଦ୍ର ପହି, ଅତିରିକ୍ତ ଏସ୍‌ପି, ୫ଟି ଥାନାର ଆଇଆଇସି ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପ୍ରାୟ ସାଢେ଼ ୩ଟା ବେଳେ କେନ୍ଦ୍ରାଞ୍ଚଳ ଆଇଜି ବାଣପୁର ଥାନାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ବିଧାୟକ ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଆହତଙ୍କ ମଧ୍ୟରୁ କିଛି ଭୁବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି।

ଉଲ୍ଲେଖଥାଉକି, ଭୋଟଗ୍ରହଣର ଶେଷ ସମୟ (ଅପରାହ୍ଣ ୪ଟା) ସୁଦ୍ଧା ନିଖୋଜ କୁହାଯାଉଥିବା କନ୍ଦର୍ପ ଜେନାଙ୍କ କିନ୍ତୁ ଦେଖା ମିଳିନଥିଲା। ନିର୍ବାଚନ ଅଧିକାରୀ ତାଙ୍କୁ ଅପେକ୍ଷା କରିବାପରେ ୪ଟା ୧୫ରେ ଫଳାଫଳ ଘୋଷଣା କରିଥିଲେ। ଏଥିରେ ବିଜେପି ସମର୍ଥିତ ଅମରେନ୍ଦ୍ର ରଣସିଂହ ୧୧ଟି ଭୋଟ ପାଇ ବିଜୟୀ ହୋଇଥିଲେ। ଫଳାଫଳ ଘୋଷଣା ପରେ ଅମରେନ୍ଦ୍ର ବ୍ଲକ୍‌ କାର୍ଯ୍ୟାଳୟ ବାହାରକୁ ଆସି କହିଥିଲେ ଯେ ୨୦୧୯ ନିର୍ବାଚନ ପରଠାରୁ ବିଧାୟକଙ୍କ ଏଭଳି ଗୁଣ୍ତାଗିରି ଚିଲିକାର ଲୋକମାନେ ଦେଖିଆସିଛନ୍ତି। ଏଭଳି ଏକାଧିକ ଘଟଣା ଘଟିଛି। ଆଜି ଯେଉଁଭଳି ସେ କାର୍ଯ୍ୟ କରିଛନ୍ତି ସେଥିରେ ସେ ଜାଣିଶୁଣି ଗଣ୍ତଗୋଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସିଥିଲେ। ପୁଲିସ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ତେବେ ତାଙ୍କର ସମର୍ଥକମାନେ ଆହତ ହୋଇଥିବା ସେ ଶୁଣିଛନ୍ତି, ସେମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ଉତ୍ତେଜନା ଆପାତତଃ ହ୍ରାସ ପାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣପୁରରେ ୧୪୪ ଧାରା ଜାରି କରାଯିବା ସହ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଅତିରିକ୍ତ ଅଧିକାରୀ ନିୟୋଜିତ ଅଛନ୍ତି। ପୁଲିସର ରିପୋର୍ଟ ଅନୁସାରେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ଶ୍ରୀ ପହି କହିଛନ୍ତି।

ସମ୍ବନ୍ଧିତ ଖବର