ବାଣପୁରରେ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି! ମାଡ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି,୧୫ ବିଜେପି କର୍ମୀ ଓ ୯ ପୁଲିସ କର୍ମଚାରୀ ଆହତ

ବାଣପୁର: ଓଡ଼ିଶାରେ ଉତ୍ତର ପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି ହୋଇଥିବା କୁହାଯାଉଛି। ସେଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ବେଳେ ସମାନ ଧରଣର ଅପରାଧ ଶାସକ ବି‌ଜୁ ଜନତା ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଘଟାଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଆଜି ବାଣପୁର ବ୍ଲକ ଅଫିସରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଉଥିଲେ। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯିବାରୁ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏହାପ‌ରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ୯ ଜଣ ପୁଲିସ କର୍ମଚାରୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ଖବର ମିଳିଛି । ଘଟଣାପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ପୁଲିସ ତାଙ୍କୁ  ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାକୁ ପଠାଇଛି। ଏହାପରେ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ବାଡ଼େଇ ଚୁରମାର କରିଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଏସଡିପିଓ ମାନସ ବାରିକଙ୍କ ନେତୃତ୍ବରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ ଆଇଆଇସିଙ୍କୁ ବି ଆକ୍ରମଣ ହୋଇଥିବା ସୂଚନା ରହିଛି।


ସ୍ଥାନୀୟ ଲୋକଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ଶୋଭାଯାତ୍ରାରତ ବିଜେପି କର୍ମୀଙ୍କ ଉପରେ ଚଢ଼ିଯିବା ଫଳରେ ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନଥିବା ନେଇ ବାଲୁଗାଁ ଏସଡିପିଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର