ପଦ୍ମପୁର : ଆମ୍ବ ଚାଷ କରି ଲକ୍ଷପତି ହେବା ଘଟଣା ବିରଳ। ଗ୍ରାମାଂଚଳରେ ଚାଷ କରି ରାଜ୍ୟ ବାହାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପଦ୍ମପୁର ଉପଖଣ୍ତ ଜାମଖାରୀ ଗ୍ରାମର ଯୁବ ଆମ୍ବ ଚାଷୀ ସୁଜିତ ବିଶ୍ବାଳ।
ବାପା କମ୍ବୋପାଣି ବିଶ୍ବାଳ ଜଣେ ଅଗ୍ରଣୀ ଚାଷୀ। ତାଙ୍କ ପ୍ରେରଣାରେ ସୁଜିତ ଆମ୍ବଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ଶିକ୍ଷିତ ଯୁବକ ହୋଇ ମଧ୍ୟ ଚାକିରି ପଛରେ ନ ଗୋଡାଇ ୧୦ରୁ ୧୫ ଜଣ ବେକାରୀ ଯୁବକଙ୍କୁ କାମ ଧନ୍ଦା ଯୋଗାଇ ପାରିଛନ୍ତି। ଅଂଗନଦୀ କୂଳରେ ୧୦ ଏକର ପରିମିତ ଜମିରେ ୨୦୦୩ ମସିହାରେ ଦଶେରୀ, ଲାଂଗଡା, ଆମ୍ରପଲ୍ଲୀ, ନିଲମ, ମଲ୍ଲିକା, ବମ୍ବେଗ୍ରୀନ, ବାଇଗଣ ପଲ୍ଲୀ, ତୋତାପଲ୍ଲୀ, ସିନ୍ଧୁ, ମାଡ୍ରାସ ଆଲଫାନସୋ, ଥାଇଲେଣ୍ତ ରେଡ୍ ଆଦି ପ୍ରଜାତିର ୬୦୦ଟି ଆମ୍ବ ଚାରା ରୋପଣ କରିଥିଲେ ସୁଜିତ। ଜଳସେଚନର ସୁବିଧା ପାଇଁ ପ୍ରତ୍ୟେକ ଗଛ ମୂଳରେ ଏକ ଛିଦ୍ର ଥିବା ମାଠିଆ ରଖିଥିଲେ। ପ୍ରତିଦିନ ପମ୍ପ ସାହାଯ୍ୟରେ ପାଣି ମାଠିଆରେ ଭର୍ତ୍ତି କରାଯାଉଥିଲା। ୨୦୦୬ରୁ ଆମ୍ବ ଆଦାୟ ଦେଲା।
/sambad/media/post_attachments/wp-content/uploads/2021/06/mango2.jpg)
ଛତିଶଗଡ଼ ସମେତ ସ୍ଥାନୀୟ ବଜାରରେ ଜାମଖାରୀ ଆମ୍ବ ଫାର୍ମର ଚାହିଦା ବୃଦ୍ଧି ପାଇଲା। ଚଳିତ ବର୍ଷ କୋଭିଡ କଟକଣାରୁ ବଜାର ବନ୍ଦ ରହିଲା। ତଥାପି ଏହି ଆମ୍ବର ସୁନାମ ବନାରସ ପର୍ଯ୍ୟନ୍ତ ପ୍ରଚାରିତ ହେଲା। ଆମ୍ବ ବ୍ୟବସାୟୀ ଆସି ଟ୍ରକ୍ ଯୋଗେ ଆମ୍ବ ନେଇଗଲେ। ଚଳିତ ବର୍ଷ ୩୦୦ କ୍ବିଣ୍ଟାଲ ଆମ୍ବ ବନାରସ, ରାୟଗଡ଼ ପଠାଇଛନ୍ତି ସୁଜିତ। ଆମ୍ବ କେଜି ପ୍ରତି ବଜାରରେ ୨୦ ରୁ ୩୦ ଟଂକା ଥିବା ବେଳେ ବଜାର ବନ୍ଦ ଥିବାରୁ ୧୮ଟଙ୍କାରେ ସେ ବିକ୍ରି କରିଛନ୍ତି। ଏକକାଳୀନ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସେ ରୋଜଗାର କରି ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/mango-1.jpg)