ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ମଧ୍ୟରାତ୍ରରୁ ଭକ୍ତମାନେ ଲମ୍ବାଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି। ମହାପ୍ରଭୁଙ୍କ ଦର୍ଶନଲାଭ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।
ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଯେହେତୁ ଉଠା ଦୋକାନୀଙ୍କ ଯୋଗୁ ଟ୍ରାଫିକ୍ ଯନ୍ତ୍ରଣା କି ଗାଡ଼ିମୋଟରର ଭିଡ଼ ନଥିଲା, ସେହିଦୃଷ୍ଟିରୁ ଭକ୍ତମାନେ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭଲ ଅନୁଭୂତି ନେଇ ଫେରିଥିଲେ। ଭକ୍ତମାନେ ଆଜି ମାର୍କେଟ୍ ଛକରୁ ଛାୟାପ୍ରଦ ବାରିକେଡ୍ ଦେଇ ସିଂହଦ୍ବାରରେ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ବାକି ତିନିଦ୍ବାରରେ ପ୍ରସ୍ଥାନ କରିଥିଲେ। ଆଜି ବି ଥିଲା ପବିତ୍ର ଶାମ୍ବ ଦଶମୀ। ଏହି ସୁଯୋଗକୁ ମଧ୍ୟ ଭକ୍ତମାନେ ହାତଛଡ଼ା କରିନଥିଲେ।