ରାଇରଙ୍ଗପୁର ସିଟି: ହିତାଧିକାରୀ ଜାଣିନାହାନ୍ତି, ଅଥଚ ସେମାନଙ୍କ ନାଁରେ ‌ପୋଖରୀ ଖୋଳାଯାଇଥିବା ଦର୍ଶାଇ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଛି। କେବଳ ଜଣେ କି ଦି’ଜଣ ନୁହନ୍ତି, ବହୁ ହିତା‌ଧିକାରୀଙ୍କ ନାମରେ ଅର୍ଥ ଚଳୁ କରାଯାଇଛି। ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗରେ ଏହିଭଳି ଏକ ବଡ଼ ଦୁର୍ନୀତି ସାମ୍‌ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାପାଳ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସୀମାନ୍ତ ତିରିଂ ବ୍ଲକ୍‌ ଅଞ୍ଚଳର ଚାଷୀଙ୍କ ପାଇଁ ପୋଖରୀ ଖୋଳିବା ନିମନ୍ତେ ପ୍ରକଳ୍ପ ମଞ୍ଜୁର ହୋଇଥିଲା। କେବଳ ପଣ୍ଡୁପାଣି ପଞ୍ଚାୟତ ଅଞ୍ଚଳରେ ମୋଟ ୨୫ ଜଣ ଚାଷୀଙ୍କ ପୋଖରୀ ଖୋଳିବା ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲା। କିଛି ଚାଷୀଙ୍କ ପୋଖରୀ ଖୋଳା କାର୍ଯ୍ୟ ଆରମ୍ଭ ନ କରି କାଗଜପତ୍ରରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ଦର୍ଶାଯାଇଛି। ତେବେ, ଏ ବାବଦରେ ଅନୁଦାନ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ପଣ୍ଡୁପାଣି ଗାଁର ଚାଷୀ ହେମେନ୍ଦ୍ର ଶୁଣ୍ଢିଙ୍କ ୨୦ ×୨୦ ମିଟର ଆକାର ପୋଖରୀ ଖୋଳିବା ପାଇଁ ବିଭାଗ ପକ୍ଷରୁ ୧ ଲକ୍ଷ ୮୩ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା। ତାଙ୍କ ପୋଖରୀ ଖୋଳା କାର୍ଯ୍ୟ ଜାରି ରହିବା ସହିତ ୧ ଲକ୍ଷ ୧ ହଜାର ୨୬୫ ଟଙ୍କା ଖର୍ଚ୍ଚ ହୋଇଛଇ ବୋଲି ବିଭାଗ ପକ୍ଷରୁ ଦର୍ଶାଇଛନ୍ତି। ବାସ୍ତବରେ ତାଙ୍କ ନାଁରେ କୌଣସି ପୋଖରୀ ଖୋଳାଯାଇ ନାହିଁ ବୋଲି ଚାଷୀ ହେମେନ୍ଦ୍ର କହିଛନ୍ତି। ସେହିପରି, ପଣ୍ଡୁପାଣି ଗାଁର ସିଙ୍ଗରାଏ ସୋରେନଙ୍କ ୨୦ ×୨୦ ମିଟର ଆକାର ପୋଖରୀ ଖୋଳିବା ପାଇଁ ୧ ଲକ୍ଷ ୮୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପୋଖରୀ ଖୋଳିବା ପାଇଁ ୪୨ ହଜାର ୫୭୦ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ତାଙ୍କ ନାଁରେ ମଧ୍ୟ କୌଣସି ପୋଖରୀ ଖୋଳାଯାଇ ନାହିଁ ବୋଲି ସିଙ୍ଗରାଏ କହିଛନ୍ତି। ଏହିପରି ପୋଖରୀ ଖନନରେ ମହାଦୁର୍ନୀତିର ଚିତ୍ର ସାମନାକୁ ଆସିଛି।  ଚାଷୀମାନେ ଏହି ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳ ହେମକାନ୍ତ ସଏଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାପାଳ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।