ଗ୍ୟାସ ପାଇପ୍‌ ଲାଇନ ପାଇଁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଭୁଶୁଡ଼ିଲା

ବ୍ୟାସନଗର: ରାସ୍ତାଘାଟ ଉଜାଡ଼ୁଛି ଗ୍ୟାସ ପାଇପ୍ ଲାଇନ ପ୍ରକଳ୍ପ। ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ଖୋଳି ଖିନ୍‌ଭିନ୍‌ କରି ଛାଡ଼ି ଦେଇଛି ଠିକାସଂସ୍ଥା। ଏବେ ବ୍ୟାସନଗର ପୌରପାଳିକା ଦ୍ବାରା କରାଯାଇଥିବା ଲକ୍ଷାଧିକ ଟଙ୍କାର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଏହି ପାଇପ୍‌ ଲାଇନ୍‌ ଗାତରେ   ଭୁଶୁଡ଼ି ପଡ଼ିଛି। ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ ସମ୍ମୁଖରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଏବେ ଭୂଇଁରେ ଲୋଟିଛି। ୨୦୨୧ ମସିହାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପୌରାଞ୍ଚଳର ୨୧ଟି ସ୍ଥାନରେ ୨୧ଟି ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏଥି ମଧ୍ୟରେ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଆଜି ଗ୍ୟାସ ପାଇପ ଲାଇନ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ବେଫିକର ମନୋଭାବରୁ ଭୁଶୁଡ଼ି ପଡ଼ିଛି। ଏହି ରାସ୍ତାରେ ଯାତାୟାତରେ ସମସ୍ୟା ଉପୁଜିଛି। ଏହି ରାସ୍ତା ଦେଇ କୋରେଇ, ରସୁଲପୁର ବ୍ଲକର ଅନ୍ୟୂନ ୧୩ ଟି ପଞ୍ଚାୟତର ଲୋକେ ଯିବାଆସିବା କରିଥାନ୍ତି। ଏଥିସହ ମହିଳା ମହାବିଦ୍ୟାଳୟ, ଅନେକ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ଯାଇଥାନ୍ତି।

ଗ୍ୟାସ ପାଇପ ଲାଇନ କାର୍ଯ୍ୟ କରୁଥିବା ଠିକାସଂସ୍ଥା ରାସ୍ତା ମରାମତି ନହେବା ପର୍ଯ୍ୟନ୍ତ ପାଇପ ବିଛାଇବା କାମ କରିବନି ବୋଲି ଯାଜପୁର ରୋଡ୍‌ ଥାନାରେ ନାଗରିକ ସମାଜ ପକ୍ଷରୁ ହୋଇଥିବା ବୈଠକରେ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାକୁ ପାଳନ କରୁନାହିଁ। ବରଂ ବିଳମ୍ବିତ ରାତିରେ ଯୋଉଠୁ ପାରି ସେଇଠି ରାସ୍ତାକୁ ଖୋଳି ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ସହରରେ  ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଗ୍ୟାସ ପାଇପ କାମ କରୁଥିବା ଠିକାସଂସ୍ଥା ତାହାକୁ ନଷ୍ଟ କରିବାରେ ସାମାନ୍ୟ ଦ୍ବିଧା କରୁନାହିଁ। ଏହାକୁ ନେଇ ଲୋକେ ତାତିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେଣି।

ସମ୍ବନ୍ଧିତ ଖବର