ଭୁବନେଶ୍ବର: ରାଜ୍ୟରେ ରକ୍ତଦାନ, ଭାଷାଜ୍ଞାନ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ‘ଆମ ଓଡ଼ିଶା’ ଓ 'ସମ୍ବାଦ ସାହିତ୍ୟଘର' ନିଶା ନିବାରଣ କ୍ଷେତ୍ରରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତାମାସ ୧୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବ ନିଶା ନିବାରଣ ବ୍ରତ ଦିବସ। ଲକ୍ଷେ ମହିଳା ରାକ୍ଷୀ ବାନ୍ଧି ନିଶା ନିବାରଣ ବତ୍ର ପାଳନ କରିବେ। ରାଜ୍ୟର ସବୁ ବ୍ଲକ୍ ଓ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

Advertisment

ସମାଜରେ ମଦ୍ୟପାନ ସାଙ୍ଗକୁ ନିଶା ସେବନ ବଢ଼ିବାରେ ଲାଗିଛି। ନିଶା ସେବନ କାରଣରୁ ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ଯାଉଛି। ବିଶେଷକରି ଯୁବପିଢ଼ି ଏହାର ଅଧିକ ଶିକାର ହେଉଛନ୍ତି। ମଦ ବ୍ୟବସାୟରୁ ରାଜ୍ୟ ସରକାରଙ୍କୁ ବିପୁଳ ରାଜସ୍ବ ମିଳୁଥିବାରୁ ଏହାକୁ ବନ୍ଦ କରିବା ପାଇଁ କୌଣସି ସରକାର ଆଗ୍ରହ ଦେଖାଉନାହାନ୍ତି। ଗୁଜରାଟ ଓ ବିହାର ଭଳି ରାଜ୍ୟରେ ମଦବିକ୍ରି ନିଷିଦ୍ଧ ହୋଇଥିଲେ ହେଁ ଏହା ଶତ ପ୍ରତିଶତ ସଫଳତା ହାସଲ କରିପାରିନାହିଁ। ମଦ ବିକ୍ରି ବନ୍ଦ ହେଲେ ଚୋରା ବେପାରୀଙ୍କ ହାତକୁ ଭାଗ୍ୟ ଟେକି ଦେବା ଭଳି ପରିସ୍ଥିତି ହେବ। ତେଣୁ ପରିବାରରୁ ନିଶା ନିବାରଣ ବନ୍ଦ ହେଲେ ଏହା ସୁଦୂର ପ୍ରସାରୀ ହୋଇପାରିବ।

୧୯ ଅଗଷ୍ଟରେ ସବୁ ବ୍ଲକ୍ ଓ ପୌରାଞ୍ଚଳରେ ଆୟୋଜିତ ହେବ କାର୍ଯ୍ୟକ୍ରମ
ରାଜ୍ୟବ୍ୟାପୀ ୪ଶହ କେନ୍ଦ୍ର
ପ୍ରତି କେନ୍ଦ୍ରରେ ୧୫୦ ପୁରୁଷଙ୍କୁ ରାକ୍ଷୀ ପିନ୍ଧାଇବେ ୧୫୦ ମହିଳା

ଏହାକୁ ଲକ୍ଷ୍ୟ ରଖି 'ଆମ ଓଡ଼ିଶା' ଓ 'ସମ୍ବାଦ ସାହିତ୍ୟଘର' ପକ୍ଷରୁ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ ଦିବସ ପାଳନ କରାଯିବ। ରାଜ୍ୟରେ ୪ଶହ କେନ୍ଦ୍ରରେ ଏହାକୁ ପାଳନ କରାଯିବ। ପ୍ରତି କେନ୍ଦ୍ରରେ ୧୫୦ଜଣ ମହିଳା ୧୫୦ ପୁରୁଷଙ୍କୁ ରାକ୍ଷୀ ପିନ୍ଧାଇବେ। ଭାଇମାନେ ଭଉଣୀମାନଙ୍କୁ ଏକ ସଂକଳ୍ପର ଉପହାର ଦେବେ। କେବେ ନିଶାଦ୍ରବ୍ୟ ଛୁଇଁବେ ନାହିଁ ବୋଲି ଶପଥ କରିବେ। କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ଏହି ବ୍ରତରେ ସବୁ ଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ‘ସମ୍ବାଦ-ଆମ ଓଡ଼ିଶା’ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନିଶା ନିବାରଣକୁ ଏକ ବ୍ରତ ଭାବେ ପାଳନ କଲେ ଏହାର ପ୍ରଭାବ ପଡ଼ିବ। ପ୍ରତି ଝିଅ ପୁଅକୁ ରାକ୍ଷୀ ବିନ୍ଧିବା ନେଇ ଯେଉଁ ବାର୍ତ୍ତା ରହିଛି ତାହା ନିଶା ନିବାରଣ ସହ ଯୋଡ଼ି ହୋଇଯିବ। ଏଥିପାଇଁ ‘ସମ୍ବାଦ ସାହିତ୍ୟ ଘର’ର ସମସ୍ତ ଶାଖାର କର୍ମକର୍ତ୍ତା ୨୭ ଜୁଲାଇ ଶନିବାର ପୂର୍ବାହ୍ନ ୧୧ଟାରେ ଅଧ୍ୟକ୍ଷଙ୍କ ସହ ଏକ ଆଭାସୀ ପ୍ରସ୍ତୁତି ବୈଠକରେ ଏକାଠି ହେବେ ବୋଲି ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି। ସଂପୃକ୍ତ କର୍ମକର୍ତ୍ତାବୃନ୍ଦ ନିଜନିଜ ଶାଖାର ସଂଯୋଜକଙ୍କଠାରୁ ଲିଙ୍କ୍ ସଂଗ୍ରହ କରି ଉକ୍ତ ଜୁମ୍ ମିଟିଂରେ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି।