ବାଲେଶ୍ବର : ଚିଟ୍‌ଫଣ୍ଡ ସଂସ୍ଥା ‘ଲକ୍ଷ୍ୟ ଲେବଲ୍ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍‌ର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୭ କୋଟି ୧୬ ହଜାର ୮୪୦ ଟଙ୍କାକୁ ଆଟାଚ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ୱଜିତ୍ ଦାସ।

Advertisment

୨୦୦୮-୦୯ ମସିହାରେ ବାଲେଶ୍ୱରରେ ଖୋଲିଥିବା ଏହି ଠକ ସଂସ୍ଥା ଅଧିକ ଅର୍ଥ ମିଳିବାର ପ୍ରଲୋଭନ ଦେଖାଇ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରୁ ୬ ହଜାର ୭୧୫ ଜଣ ଜମାକାରୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ତେବେ ଧାର୍ଯ୍ୟ ସମୟରେ ଟଙ୍କା ଫେରସ୍ତ ନକରିବାରୁ ହିମାଂଶୁ ଶେଖର ପାଣିଗ୍ରାହୀଙ୍କ ସମେତ ଅନ୍ୟ ଜମାକାରୀମାନେ ସଂସ୍ଥା ବିରୋଧରେ ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମାମଲାର ତଦନ୍ତ ଦାୟିତ୍ବ ନେଇଥିଲା। ଏ ନେଇ ୨୦୧୭ ମସିହା ମେ ୩ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ ଓ ଦସ୍ତାବିଜ୍‌ ପ୍ରମାଣ ଆଧାରରେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଶନିବାର ଏହି ମାମଲାର ରାୟ ଶୁଣାଇଛନ୍ତି। ଫଳରେ ସଂସ୍ଥାର ବିଭିନ୍ନ ବ୍ୟାଙ୍କର ୧୦ଟି ଆକାଉଣ୍ଟରେ ଥିବା ଟଙ୍କା ସରକାରଙ୍କ ଅଧୀନକୁ ଯାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।