ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଆରମ୍ଭ କରିଛି। ଏବେ ୩୦ଟି ଜିଲ୍ଲାରେ ୧୩୫୪ଟି ବସ୍‌ ଚାଲୁଥିବାବେଳେ ଏହାଦ୍ବାରା ୬୦୩୧ଟି ପଞ୍ଚାୟତର ୩.୬୪କୋଟି ଲୋକ ଉପକୃତ ହୋଇଛନ୍ତି। ଖୁବ୍‌ ଶୀଘ୍ର ରାଜ୍ୟର ସବୁ ପଞ୍ଚାୟତରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୋଟ୍ ୧୭୪୫ଟି ବସ୍‌ ଚାଲିବ। ଭିଡିଓ କନଫରେନ୍ସିଂ ଜରିଆରେ ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ କମ୍‌ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବାକୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ ହୋଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ୍‌ ମୂଲ୍ୟ ଅଧା କରାଯାଇଛି।

Advertisment

୩୦ଟି ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହିତ ଯୋଡ଼ିଲା
୩.୬୪ କୋଟି ଲୋକ ଉପକୃତ ହେଲେ
ସମୁଦାୟ ୧୭୪୫ଟି ବସ୍‌ ଚାଲିବ
ଗ୍ରାମାଞ୍ଚଳରେ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ ‘ଲକ୍ଷ୍ମୀ’: ମୁଖ୍ୟମନ୍ତ୍ରୀ

ଆଜି ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍‌ ଚାଲିଲା। ଏହାଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲିଥିବାବେଳେ ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେଲେ। ନୂଆପଡ଼ାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଥିବାବେଳେ ୫ ଲକ୍ଷ ୭୪ ହଜାର ଲୋକ ଉପକୃତ ହେଲେ। ବୌଦ୍ଧର ୫୫ଟି ପଞ୍ଚାୟତରେ ୧୦ଟି ବସ୍‌ ଚାଲିଥିବାବେଳେ ଏଥିରେ ୩ ଲକ୍ଷ ୫୩ ହଜାର ଲୋକ ଉପକୃତ ହେଲେ। ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ବସ୍‌ ଚାଲିଥିବାବେଳେ ଏଥିରେ ୩୪ ଲକ୍ଷ ୪୭ ହଜାର ଲୋକ ଉପକୃତ ହେଲେ। ସେହିପରି ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ ୪୨ଟି ବସ୍‌ ଚାଲିବା ସହିତ ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହୋଇଛନ୍ତି। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମା’ମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍‌ରେ ମା’ମାନଙ୍କ ପାଇଁ ଟିକେଟର ମୂଲ୍ୟ ୫ ଟଙ୍କା ରଖିଛନ୍ତି। ମିସନ ଶକ୍ତି ମା’ମାନଙ୍କ ୟୁନିଫର୍ମ ପାଇଁ ୧୦୦୦ ଟଙ୍କା ପ୍ରଦାନ କରିଛନ୍ତି। ମମତା ଯୋଜନାରେ ମା’ମାନଙ୍କୁ ଆଗରୁ ୫ ହଜାର ଟଙ୍କା ମିଳୁଥିଲା। ଏବେ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ନୂଆ-ଓ ଛାତ୍ରବୃତ୍ତିରେ ପରିବାରର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଝିଅଙ୍କ ପାଇଁ ୧୦ହଜାର ଟଙ୍କା ବ୍ୟବସ୍ଥା କରିଛନ୍ତି। ମିସନ ଶକ୍ତି ମା’ମାନଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଧାୟକ ସ୍ୱରୂପ କୁମାର ଦାସ, ନୂଆପଡ଼ାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ବୌଦ୍ଧରେ ମନ୍ତ୍ରୀ ପଦୀପ କୁମାର ଅମାତ, ବିଧାୟକ ମହିଧର ରଣା, ଗଞ୍ଜାମରେ ବିଧାୟିକା ଲତିକା ପ୍ରଧାନ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିଲେ।