ମାଲକାନଗିରି: ମାଲକାନଗିରି ଜିଲ୍ଲାରୁ ଟଙ୍କିକିଆ ଚାଉଳ ଆରମ୍ଭ ହୋଇଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ମାଲକାନଗିରିରୁ ଆରମ୍ଭ କରିଥିଲି। ଓଡ଼ିଶା ବିକାଶର ଲଞ୍ଚ ପ୍ୟାଡ୍‌ ସାଜିଥିବା ମାଲକାନଗିରି ଜିଲ୍ଲାରୁ ଆଜି ‘ଲକ୍ଷ୍ମୀ’ ଯୋଜନା ଶୁଭାରମ୍ଭ କରି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ମାଲକାନଗିରି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଗତିରେ ମାଲକାନଗିରି ଜିଲ୍ଲାର ଭୂମିକା ସଂପର୍କରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ କାର୍ଯ୍ୟାଳୟ ମାଲକାନଗିରି ଗସ୍ତ ବେଳେ ଆପଣଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ଏହାପରେ ଲକ୍ଷ୍ମୀ ଯୋଜନାର ପରିକଳ୍ପନା ହୋଇଥିଲା। ଏହି ଯୋଜନା ପରିବହନ ଓ ଗମନାଗମନ ବ୍ୟବସ୍ଥାକୁ ରୂପାନ୍ତର କରିବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ ବସ୍‌ ଚଳାଚଳ କରିବ। ମାଲକାନଗିରି ଜିଲ୍ଲାରେ ଆଜି ୩୬ଟି ବସ୍‌ ଚଳାଚଳ କରିଛି ଏବଂ ୧୧୧ଟି ପଞ୍ଚାୟତକୁ ସେବା ମିଳିଛି। ପଞ୍ଚାୟତ ବିକାଶର ଏହି ନୂତନ ଧାରାରେ ଆଗକୁ ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଯୋଡ଼ାଯିବ। ଯୋଗାଯୋଗର ବିକାଶ ପଥରେ ସମାଜର ପ୍ରତ୍ୟେକ ବର୍ଗ ସାମିଲ ହୋଇ ଉପକୃତ ହେବେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଖୁବଶୀଘ୍ର ମାଲାକନଗିରି ଜିଲ୍ଲା ସାମିଲ ହେଲେ ଗାଁରେ ବି ସହର ଭଳି ସୁବିଧା ମିଳିବ। ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଷ୍ଟୋନ। କାରଣ ସ୍ବାଭିମାନ ଅଞ୍ଚଳରେ ଆଜି ବିକାଶର ଆଲୋକ ପହଞ୍ଚି ସାରିଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

publive-image

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇଥିଲେ। ତେସେହିପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବକ୍ତବ୍ୟ ରଖି ଆଗକୁ ଆଉ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଯୋଜନାରେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ପ୍ରତି ବ୍ଲକରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଉଛି। ସୁନ୍ଦର ଓଡ଼ିଶା ଓ ସୁନାର ଓଡ଼ିଶା ଗଠନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଜିଲ୍ଲା ପରିଷଦ ସଭାପତି ସମାରୀ ତାଙ୍ଗୁଲ, ଏସ୍‌ଡିସି ଅଧ୍ୟକ୍ଷ ଆଡମା ରାବା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ନୂଆ ବସ୍‌ ସେବାକୁ ଶୁଭାରମ୍ଭ କରିଥିଲେ। ଏହାପରେ ମାଲକାନିଗିରି ଷ୍ଟାଡିୟମରୁ ବସ୍‌ରେ ଯାତ୍ରା କରି ଏମ୍‌ଭି-୩ ସ୍ଥିତ ନୂତନ ବସ୍‌ଷ୍ଟପ୍‌ ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର, ଓଏସ୍‌ଆରଟିସି ସିଏମ୍‌ଡି ଦିପ୍ତେଶ ପଟ୍ଟନାୟକ, ଡିଆଇଜି ଚରଣ ସିଂ ମୀନା, ଏସ୍‌ପି ନିତେଶ ୱାଧୱାନୀ ପ୍ରମୁଖ ଉପସ୍ଥିତ ଥିଲେ।