ଯାଜପୁରସଦର: ମହିଳାମାନେ ଆଉ ଘର ଚାରିକାନ୍ଥରେ ସୀମିତ ନାହାନ୍ତି। ଯାଜପୁର ବ୍ଲକ୍‌ ନାଥସାହି ପଞ୍ଚାୟତ ନାଥସାହି ଗାଁର ଲକ୍ଷ୍ମୀ ଦାଶ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଲକ୍ଷ୍ମୀ ଶାଶୂ ‌ଘରେ ବୋହୂର କର୍ତ୍ତବ୍ୟ କରିବା ସହ ୨୦୧୭ ମସିହାରୁ ନିଜସ୍ବ ଉଦ୍ୟମ ଓ ଗ୍ରାମର ମହିଳାଙ୍କ ସହଯୋଗରେ ଏବେ ଜଣେ ସଫଳ ଉଦ୍ୟୋଗୀ। ସେ ପ୍ରିଣ୍ଟିଂ ଓ ଷ୍ଟିଚିଂକୁ ବୃତ୍ତି ଭାବେ ବାଛିନେଇ ରୋଜଗାରକ୍ଷମ ହେବା ସହ ଗାଁ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ରୋଜଗାର ଖୋଜୁଥିବା ମହିଳାମାନଙ୍କୁ ଏକତ୍ରିତ କରି ସେ ବ୍ୟବସାୟ ଆରମ୍ଭ କରିଥିଲେ। 

Advertisment

ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ଋଣ ନେଇ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ବ୍ୟାଗ, ସ୍କୁଲ୍‌ ୟୁନିଫର୍ମ, ଜାତୀୟ ପତାକା, ବିଭିନ୍ନ ପୋଷାକ ପ୍ରିଣ୍ଟିଂ ଆଦି ଭିନ୍ନଭିନ୍ନ କାର୍ଯ୍ୟର ଅର୍ଡର ନେଇ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି। ନିଜ ଅଞ୍ଚଳର ୨୭ ଜଣ ମହିଳାଙ୍କୁ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ‌‌ରୋଜଗାରକ୍ଷମ କରାଇପାରିଛନ୍ତି। ଉତ୍ପାଦିତ ସାମଗ୍ରୀକୁ ଲକ୍ଷ୍ମୀ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପଲ୍ଲିଶ୍ରୀ ମେଳା, ଓର୍‌ମାସ ମେଳା ଓ ସରକାରୀ ମେଳା ମହୋତ୍ସବରେ ବିକ୍ରି କରୁଥିବାବେଳେ ସ୍ଥାନୀୟ ବଜାରରେ ମଧ୍ୟ ଏହି ଜିନିଷର ଚାହିଦା ରହୁଛି। ଅନେକ ସମୟରେ ମହିଳାମାନେ ସରକାରୀ ସହାୟତା ଓ ଋଣକୁ ଭୁଲ ବାଟରେ ଲଗାଉଥିବାବେଳେ ଲକ୍ଷ୍ମୀଙ୍କ ପରି ମହିଳା ନିଜ ପରିବାର ସହ ଗାଁ ପାଇଁ ମଧ୍ୟ ଉଦାହରଣ ସାଜିଛନ୍ତି। ନିଜର ଉଦ୍ୟମ ଓ ସହଯୋଗୀ ମହିଳାମାନଙ୍କ ସହାୟତାରେ ବାର୍ଷିକ ୩/୪ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି। ଆଗାମୀ ଦିନରେ ସେ ନିଜର ବ୍ୟବସାୟକୁ ବଢ଼ାଇ ଅଧିକସଂଖ୍ୟକ ମହିଳାଙ୍କୁ ଯୋଡ଼ିବାକୁ ଆଶା ରଖିଛନ୍ତି।