ଲକ୍ଷ୍ମୀଯୋର ପ୍ରସଙ୍ଗ: ନରସିଂହଙ୍କୁ କଳିକେଶଙ୍କ ଟାର୍ଗେଟ!

ପେଟି କଣ୍ଟ୍ରାକ୍ଟର ନିମ୍ନମାନର କାମ କରିଥିବା ନେଇ ଟ୍ୱିଟ୍‌

ବଲାଙ୍ଗୀର: ବଲାଙ୍ଗୀର ସହରର ପ୍ରାକୃତିକ ନାଳା ଲକ୍ଷ୍ମୀଯୋର। ସହରର ସାମାଜିକ, ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ବିବର୍ତ୍ତନର ମୂକସାକ୍ଷୀ ଲକ୍ଷ୍ମୀଯୋର। ଆଗରୁ ଲକ୍ଷ୍ମୀଯୋରରେ ପାଣି ବୋହୁଥିଲା। ହେଲେ ରାଜନୀତି ହେଉନଥିଲା। କିନ୍ତୁ ଏବେ ଶୁଖିଲା ଲକ୍ଷ୍ମୀଯୋରକୁ ନେଇ ଜୋରଦାର ରାଜନୀତି। ଗତ କିଛି ଦିନର ନିରବତା ପରେ ପୁଣି ଥରେ ଲକ୍ଷ୍ମୀଯୋର ପ୍ରସଙ୍ଗରେ ଟ୍ୱିଟ୍‌ କରି ହିସାବ ମାଗିଛନ୍ତି ପୂର୍ବ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ। ଏପରିକି ପେଟି କଣ୍ଟ୍ରାକ୍ଟରମାନଙ୍କ ଦ୍ୱାରା ୨୨କୋଟି ଟଙ୍କାର ପ୍ରକଳ୍ପରେ ନିମ୍ନମାନର କାମ ହୋଇଥିବାରୁ ଏହାର ତଦନ୍ତ ସରକାର କରନ୍ତୁ ବୋଲି ସିଏମ୍‌ଓ ଓଡ଼ିଶା, ୫-ଟି ମୋ ସରକାର ଓ ଚିଫ୍‌ ସେକ୍ରେଟାରିଙ୍କୁ ଟ୍ୱିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ବଲାଙ୍ଗୀର ଜିଲ୍ଲାରେ ବିଜେଡି ବ୍ଲକ୍‌ ଅଧ୍ୟକ୍ଷ ପେଟି କଣ୍ଟ୍ରାକ୍ଟର କାମ କରୁଥିବା ଅଭିଯୋଗ ଆଣିଥିଲେ। ତାପରେ ପେଟି କଣ୍ଟ୍ରାକ୍ଟରକୁ ନେଇ ଜୋରଦାର ରାଜନୀତି। ନରସିଂହଙ୍କ ଅଭିଯୋଗ ଉପରେ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ, ‘ଉଲଟା ଚୋର କୋତୱାଲ କୋ ଡାଁଟେ।’ ଗୋଟି ଗୋଟି କରି ହିସାବ ଦେଇ କଳିକେଶ କହିଥିଲେ, ୨୦୧୪ ପରେ ବଲାଙ୍ଗୀରରେ ପେଟି କଣ୍ଟ୍ରାକ୍ଟର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗରୁ ନଥିଲା। ତେଣୁ ଜିଲ୍ଲାରେ କେଉଁ ପରିବାରର ଓ କାହା ପୁତୁରା ଓ ଭାଇ ପେଟି କଣ୍ଟ୍ରାକ୍ଟର ଭାବରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗର କାମ କରୁଛନ୍ତି ତାହାର ତଦନ୍ତ କରାଯାଉ।

ନିଜ ପରିବାର ଲୋକ କଲେ ଠିକ୍‌, ଅନ୍ୟମାନେ କଲେ ପେଟି କଣ୍ଟ୍ରାକ୍ଟର କି ବୋଲି ପ୍ରଶ୍ନ କରିଥିଲେ କଳିକେଶ। ବଲାଙ୍ଗୀର ରାଜନୀତିରେ ଗତ କିଛି ଦିନ ଧରି ପେଟି କଣ୍ଟ୍ରାକ୍ଟର ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଲକ୍ଷ୍ମୀଯୋର ପ୍ରକଳ୍ପ ପେଟି କଣ୍ଟ୍ରାକ୍ଟର ତାଲିକାରେ ଯୋଡ଼ି ହୋଇଯାଇଛି। ନିଜ ଟ୍ୱିଟ୍‌ରେ କଳିକେଶ ଭାଙ୍ଗିଯାଇଥିବା ଲକ୍ଷ୍ମୀଯୋରର ଫଟୋ ଦେଇ ଲେଖିଛନ୍ତି, ୨୨କୋଟି ଟଙ୍କାର କାମ କିଏ କରିଥିଲା? କେଉଁ ସ୍ଥାନୀୟ ନେତାଙ୍କ ସଂପୃକ୍ତି ଥିଲା? ଏ କାମରେ କିଏ କିଏ ପେଟି କଣ୍ଟ୍ରାକ୍ଟର ଥିଲେ? କିନ୍ତୁ କଳିକେଶଙ୍କ ଟ୍ୱିଟ୍‌କୁ ନେଇ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ହେଲେ ବିଧାନସଭାରେ ନରସିଂହଙ୍କ ପେଟି କଣ୍ଟ୍ରାକ୍ଟର ଅଭିଯୋଗ ପରେ ଜିଲ୍ଲା ରାଜନୀତିରେ ଠିକାଦାରଙ୍କ ଦବଦବାକୁ ନେଇ ଚର୍ଚ୍ଚା। କିନ୍ତୁ ଏସବୁ ଭିତରେ ପୁଣି ଥରେ ଲୋକଙ୍କ ଭିତରେ ଲକ୍ଷ୍ମୀଯୋର। କାରଣ ଆଗକୁ ପୁଣି କୋଟି କୋଟି ଟଙ୍କାର କାମ ହେବ। ହେଲେ ୨୨ କୋଟି ଖର୍ଚ୍ଚ ହେଲା ପରେ ଲକ୍ଷ୍ମୀଯୋର ସତ୍ତା ହରାଇବାକୁ ବସିଛି। ୫ ବର୍ଷ ନପୂରୁଣୁ ଚେକ୍‌ଡ୍ୟାମ ଭାଙ୍ଗିଗଲାଣି। ଗାଡୱାଲ ପୋତି ହୋଇଗଲାଣି। ଲକ୍ଷ୍ମୀଯୋରର ଭୂଗୋଳ ବଦଳିଗଲାଣି। ୨୨ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ନହୋଇ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ଆଗାମୀ ଦିନର ବଲାଙ୍ଗୀର ରାଜନୀତିରେ ଲକ୍ଷ୍ମୀଯୋର ଏକ ମୁଖ୍ୟ ପ୍ରସଙ୍ଗ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର