ପୁରୀ: ମାନବୀୟ ଲୀଳାଧାରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ମଣିଷ ଭଳି ଲୀଳା ସଂରଚନା କରନ୍ତି। ରଥଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇଥିଲେ ହେଁ ପତ୍ନୀ ମହାଲକ୍ଷ୍ମୀଙ୍କୁ ନନେଇଥିବାରୁ ଶ୍ରୀମନ୍ଦିରର ମାଲିକାଣୀ ମହାଲକ୍ଷ୍ମୀ ବଚନିକା କରନ୍ତି। ଏହାକୁ ‘ଲକ୍ଷ୍ମୀ ନାରାୟଣ କଳି’ ବୋଲି ମଧ୍ୟ ଅଭିହିତ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୟବିଜୟ ଦ୍ବାର ନିକଟରେ ପହଞ୍ଚିବା ପରେ ଦ୍ବାରର ବାହାର ପଟେ ଦଇତାସେବକ ସ୍ବାଇଁମହାପାତ୍ର ଏବଂ ଲକ୍ଷ୍ମୀଦେବୀଙ୍କ ପକ୍ଷରୁ ଦ୍ବାରର ଭିତର ପଟେ ଭିତର ଗାଏଣୀ ଦେବଦାସୀ ରହି ବଚନିକା କରୁଥିଲେ। ମାତ୍ର ଶ୍ରୀମନ୍ଦିରରୁ ଦେବଦାସୀ ସେବା ବିଲୁପ୍ତ ହେବା ପରେ ଭିତରପଟେ ଲକ୍ଷ୍ମୀଙ୍କ ପକ୍ଷରୁ କେହି ରହୁନାହାନ୍ତି। ମତାନ୍ତରେ ଏବେ ଭିତରଚ୍ଛ ମହାପାତ୍ର ସେବକ ଏହି ଦାୟିତ୍ବ ତୁଲାଉଛନ୍ତି। ବଚନିକାରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ବାର୍ତ୍ତାଳାପ ହେବାର ବିଧି ରହିଥିଲେ ହେଁ ଆଉ ବିଶେଷ ସେପରି ବଚନିକା ହେଉନାହିଁ। ପତି ପତ୍ନୀଙ୍କ ମଧ୍ୟରେ ରାଗ ରୁଷା ଓ ମାନ ଅଭିମାନର ଏହା ନିଚ୍ଛକ ପ୍ରତିଫଳନ। ନୀଳାଦ୍ରିବିଜେ ଦିନ, ଅର୍ଥାତ ମହାପ୍ରଭୁ ରଥରୁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବା ଦିନ ହିଁ ଏହି ଅପୂର୍ବ ଲୀଳା ସଂରଚନା ହୋଇଥାଏ। ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରଥଯାତ୍ରାରେ ସାଥିରେ ନେଇନଥିବାରୁ ହେରାପଞ୍ଚମୀରେ ଯାଇ ରଥ ଭାଙ୍ଗିଦେଇ ଆସିଥାନ୍ତି। ତଥାପି ମା’ଙ୍କ ଅଭିମାନ ଭାଙ୍ଗେନାହିଁ।

Advertisment

ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ ସିଂହଦ୍ବାରଠାରେ ବଚନିକା ହୋଇ ନ ଥାଏ। ବରଂ ଏହା ଶ୍ରୀମନ୍ଦିର ଜୟବିଜୟ ଦ୍ବାରଠାରେ ହୋଇଥାଏ। ପୂର୍ବରୁ ଦଇତାସେବକ ଓ ଦେବଦାସୀଙ୍କ ମଧ୍ୟରେ ବଚନିକା ହେଉଥିଲା। ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି ବୋଲି ସ୍ବତ୍ବଲିପିରେ ଉଲ୍ଲେଖ ରହିଛି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଲକ୍ଷ୍ମୀନାରାୟଣ ବଚନିକା ପରମ୍ପରା ଧୀରେଧୀରେ ଲୁପ୍ତ ହେବାକୁ ବସିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତରକାଠ ସମ୍ମୁଖ ଭଣ୍ଡାରଘରଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି କରାଯାଏ। ସନ୍ଧ୍ୟାଧୂପ ସରିବା ପରେ ବିଜେ କାହାଳୀ ବାଜି ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରତ୍ନବେଦି ଅଭିମୁଖେ ଯାଆନ୍ତି। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଗୋଟିପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରନ୍ତି। ମାତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟମଣ୍ଡପକୁ ଆସନ୍ତି।

ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାଆନ୍ତି। ଏତିକି ବେଳେ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦେବଦାସୀମାନେ ଯାଇ ସିଂହଦ୍ବାରକୁ ବନ୍ଦ କରିଦେବାର ପ୍ରଥା ରହିଛି। କିଛି କ୍ଷଣ ପରେ ପୁଣି ଦ୍ବାର ଖୋଲିଯାଏ। ପୁନଶ୍ଚ ଶ୍ରୀଜଗନ୍ନାଥ ମହାପ୍ରଭୁ ଜୟବିଜୟ ଦ୍ବାର ନିକଟରେ ବିଜେ କରିବା ସମୟରେ ସେହି ଦ୍ବାର ମଧ୍ୟ ଭିତର ପଟୁ ବନ୍ଦ କରାଯାଇଥାଏ। ଶ୍ରୀଜଗନ୍ନାଥ ସିଂହଦ୍ବାରରେ ପହଞ୍ଚିବା ପରେ ସିଂହଦ୍ବାର ଫିଟାଇ ଦିଅନ୍ତି। ଏହି ପ୍ରଥା ଏବେ ବି ପାଳନ ହେଉଛି, କିନ୍ତୁ ସେ ଦାୟିତ୍ବ ତୁଲାଇବାକୁ ଆଉ ଦେବଦାସୀମାନେ ନାହାନ୍ତି।