ଭୁବନେଶ୍ୱର: ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ବିଜେଡି ନେତା ଓ ନେତ୍ରୀ ଆରମ୍ଭ କରିଦେଇଥିବା ପ୍ରଳାପ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ। ରାଜ୍ୟ ସଡ଼କ ପରିବହନ ନିଗମର କ୍ଷତି ପାଇଁ ଦାୟୀ କିଏ? କେଉଁ ସରକାର ସମୟରେ ଓଏସ୍‌ଆରଟିସି (ଓଡ଼ଶା ରାଜ୍ୟ ପରିବହନ ନିଗମ) ବ୍ୟାପକ କ୍ଷତିକୁ ପଳାଇଲା? ଓଏସ୍‌ଆରଟିସିର ମୂଲ୍ୟବାନ ଜମିକୁ ବିଭିନ୍ନ ଘରୋଇ କମ୍ପାନିଙ୍କୁ ଶାଗ, ମାଛ ଦରରେ କିଏ ବିକ୍ରି କରିଥିଲା ? ଓଡ଼ିଶାବାସୀଙ୍କ ଟଙ୍କାକୁ ନିଜ ସ୍ୱାର୍ଥ ପାଇଁ କେଉଁମାନେ କାହା ସ୍ୱାର୍ଥରେ ଘରୋଇ କମ୍ପାନି ହାତରେ ଟେକି ଦେଲେ? ଏହାର ଉତ୍ତର ବିଜେଡି ଦେବା ଉଚିତ ବୋଲି ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା କହିଛନ୍ତି। ଏହାସହ ସେ କହିଛନ୍ତି ଯେ ଆଜି ବିଜେଡି ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପରେ ଶ୍ରୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ରାଜନୈତିକ ଉଦ୍ଦେଶ୍ୟରେ ‘ଲକ୍ଷ୍ମୀ’ ବସ୍ ଯୋଜନା ଆରମ୍ଭ କରିଥିଲା। ଯାତ୍ରୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡିର ଦଳୀୟ ସ୍ୱାର୍ଥ ଏଥିରେ ଥିଲା। ଲକ୍ଷ୍ମୀ ବସ୍‌ରେ ଯାତ୍ରୀ ସଂଖ୍ୟା କମ୍ ଥିଲା, କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ସଭା ପାଇଁ ଏହି ବସ୍‌ରେ ଲୋକଙ୍କୁ ବୁହା ଯାଉଥିଲା। ଏହି ଯୋଜନା ପାଇଁ ବିଜେଡି ସରକାର କେତେ ବଜେଟ୍ କରିଥିଲା, ତା’ର ହିସାବ ନାହିଁ। ଏହି ବସ୍‌ରେ ବିଜେଡିର ଦଳୀୟ ଚିହ୍ନ ଓ ଦଳୀୟ ରଙ୍ଗର ଷ୍ଟିକର ଲଗାଯାଇଥିଲା। ଏହି ଷ୍ଟିକରକୁ ପରବର୍ତୀ ସମୟରେ ଛଡ଼ା‌ଇବା ବେଳେ ଜଣାପଡ଼ୁଛି ଯେ, ଯଦି ୨୦୨୪ରେ ବିଜେଡି ସରକାର ଗଠନ କରିଥାନ୍ତା, ତେବେ ବିଜୁ ଯୁବ ବାହିନୀ, ପିଠା ଭଳି ‘ଲକ୍ଷ୍ମୀ ବସ୍’ ଯୋଜନାକୁ ମଧ୍ୟ ବନ୍ଦ କରିଦେଇଥାନ୍ତେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

Advertisment

ଏହା ସେ କହିଛନ୍ତି ଯେ ‘ବିଜୁ ଗାଁ ଗାଡ଼ି’ କେତେ ସଫଳ ହେଲା? ଏହି ଯୋଜନା ବନ୍ଦ ହେବା ବେଳେ ବିଜେଡି ନେତାନେତ୍ରୀମାନେ କାହିଁକି ପ୍ରଶ୍ନ କରିନଥିଲେ? ‘ଲକ୍ଷ୍ମୀ ବସ୍‌’ ଯୋଜନାରେ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ବାଟମାରଣା ହୋଇଛି। ସମସ୍ତ ଦିଗକୁ ସମୀକ୍ଷା କରି ନବଗଠିତ ବିଜେପି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନୂଆ ରୂପରେଖ ପ୍ରସ୍ତୁତ କରାଯାଉଛି ଏବଂ ଖୁବଶୀଘ୍ର ଏହାର ସଫଳ ରୂପାୟନ ହେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ଏହାସହ ସେ କହିଛନ୍ତି ଯେ ୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ବିଜେଡି ଯେଉଁଭଳି ଲଜ୍ଜାଜନକ ମନ୍ତବ୍ୟ ଦେଉଛି, ଏହାଠୁ ବଡ଼ ଦୁର୍ଭାଗ୍ୟଜନକ କଥା କିଛି ନଥାଇପାରେ।