ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଆଜି

ବନ୍ଦ ରହିବ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ପଞ୍ଚକରେ ପାଇଁ ବଢ଼ିଲା ପୁଲିସ୍‌ ବ୍ୟବସ୍ଥା

ପୁରୀ : ପବିତ୍ର ଧର୍ମ ମାସ କାର୍ତ୍ତିକର ପଞ୍ଚକ ଆଜି (ସୋମବାର)ଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ହରି ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ସୋମବାର ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ତଥା ଠିଆକିଆ ବେଶ ଅନୁଷ୍ଠିତ ହେବ। ପ୍ରଭୁ ଶ୍ରୀଭୁଜ, ପୟର, କିରିଟି, କୁଣ୍ଡଳ ଭଳି ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ। ତେବେ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ସୁଯୋଗରୁ ବଞ୍ଚିତ ହେବେ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଚଳିତ ମାସ ୧୬ ତାରିଖରେ ବାଙ୍କଚୂଡ଼ ତଥା ବାମନ ବେଶ ଓ ଗରୁଡ଼ ନୀତି, ୧୭ ତାରିଖରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେ‌ଶ ଏବଂ ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ପଞ୍ଚକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୁଣ୍ୟ ଅର୍ଜନର ବିଶ୍ବାସ ରହିଛି। ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମହାତ୍ମ୍ୟ ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ ଏସ୍‌ପି କେ ବିଶାଲ ସିଂହ କହିଛନ୍ତି, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏଥିପାଇଁ ମରିଚି କୋଟ ଛକଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୁଲିସ୍‌ ନିୟୋଜିତ ହେବେ। ୩ ଜଣ ଅତିରିକ୍ତଏସ୍‌ପି, ୧୦ ଜଣ ଡିଏସ୍‌ପି, ୩୦ ଇନ୍ସପେକ୍ଟର୍‌ ମଧ୍ୟ ନିୟୋଜିତ ହେବେ। ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର