ପୁରୀ: ସମାଜ ପରିବର୍ତ୍ତନ ପାଇଁ ଆମେ ଆଜି ଯାହା ଭାବୁଛେ, ୫ଶହ ବର୍ଷ ତଳେ ବଳରାମ ଦାସଙ୍କ ଭଳି ବିଜ୍ଞ ବ୍ୟକ୍ତିତ୍ବମାନ ଭାବି ସାରିଥିଲେ। ଲେଖନୀ ଜରିଆରେ ସମାଜ ପରିବର୍ତ୍ତନର ବାର୍ତ୍ତାବହ ସାଜିଥିଲେ। ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣ ଏହାର ଜ୍ବଳନ୍ତ ଉଦାହରଣ। ଆଜି ଆମେ ଯେଉଁ ମହିଳା ସଶକ୍ତୀକରଣ, ସ୍ବଚ୍ଛତା କଥା କହୁଛେ, ୫ଶହ ବର୍ଷ ତଳେ ଲକ୍ଷ୍ମୀପୁରାଣ ଏହି ବାର୍ତ୍ତା ଦେଇ ସମାଜରେ ବିପ୍ଳବ ଆଣିଥିଲା। ପ୍ରତି ଓଡ଼ିଆଙ୍କ ଘରେ ଆଜି ବି ଏହା ଅନୁକରଣୀୟ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରରେ ଆଜିଠାରୁ ତ୍ରିଦିବସୀୟ ଅନ୍ତର୍ଜାତୀୟ ଲକ୍ଷ୍ମୀପୁରାଣ ଆଲୋଚନାଚକ୍ର ଆରମ୍ଭ ହୋଇଛି। ଦେଶ ବିଦେଶରୁ ୩ଶହ ଗବେଷକ, ଅଧ୍ୟାପକ, ବିଦ୍ବାନ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଛନ୍ତି। ଆଲୋଚନାଚକ୍ରକୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବିଜ୍ଞାନୀମାନେ ଲକ୍ଷ୍ମୀ ପୁରାଣର ବୈଜ୍ଞାନିକ ଅନୁଶୀଳନ କରନ୍ତୁ। ଲୋକେ ବି ଏହାର ବୈଜ୍ଞାନିକ ତତ୍ତ୍ବକୁ ବୁଝନ୍ତୁ। ଲକ୍ଷ୍ମୀପୁରାଣକୁ ବି ବିଭିନ୍ନ ଭାଷାରେ ରଚନା କରାଯାଉ। ସାହିତ୍ୟ ଜରିଆରେ ସମାଜ ସୁଧାର ହେଉ। ଓଡ଼ିଆମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଯେ ବଳରାମ ଦାସଙ୍କ ଭଳି ମହାମନୀଷିମାନେ ଏହି ମାଟିରେ ଜନ୍ମ ନେଇଛନ୍ତି। ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶ୍ବର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ। ଶ୍ରୀ ପ୍ରଧାନ କହିଥିଲେ, ସଂସ୍କୃତ ହେଉଛି ସବୁ ଭାଷାର ଆଦ୍ୟ ଭାଷା। କମ୍ପୁଟରରର ଭାଷା(କୋଡିଂ ଓ ଡିକୋଡିଂ) ହେଉଛି ସଂସ୍କୃତ। ସୁପର କମ୍ପୁଟର ବି ସଂସ୍କୃତ ଭାଷାରୁ ତିଆରି।
ଭାରତରେ ଯେତେ ଭାଷା ଅଛି, ସଂସ୍କୃତ ଭାଷା ସର୍ବଶ୍ରେଷ୍ଠ। ଯେଉଁ ଛାତ୍ରଛାତ୍ରୀମାନେ ସଂସ୍କୃତ ପଢ଼ୁଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଶିକ୍ଷକ, ଶିକ୍ଷୟିତ୍ରୀ ହେବା ଆଶାରେ ପଢ଼ୁଛନ୍ତି। ଅଳ୍ପ କିଛି ଅଧ୍ୟାପକ ହେବାର ଆଶା ରଖିଛନ୍ତି। କିନ୍ତୁ ସଂସ୍କୃତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଚିକିତ୍ସା, ବୈଷୟିକ କ୍ଷେତ୍ରରେ ବି ଆଗ୍ରହ ଦେଖାନ୍ତୁ। ସାରା ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତ ଭାଷାରେ ଅଛି, ଏଣୁ ବିଶ୍ୱକୁ ଜ୍ଞାନ ଦେବାର ଅଭିଳାଷ ରଖନ୍ତୁ। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରାୟ ୧୦୦ କୋଟି ଟଙ୍କାରେ ସଦାଶିବ ପରିସର ଉନ୍ନତୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅନୁଦାନରୁ ୩୬ କୋଟି ବ୍ୟୟରେ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ଟଙ୍କା ବ୍ୟୟରେ ଛାତ୍ରାବାସ(ଛାତ୍ରୀ), ୨୮ କୋଟି ଟଙ୍କା ବ୍ୟୟରେ ଛାତ୍ରାବାସ(ଛାତ୍ର), ୭ କୋଟି ବ୍ୟୟରେ ଷ୍ଟାଫ୍ କ୍ୱାର୍ଟର୍ସ, ୭ କୋଟି ଟଙ୍କା ବ୍ୟୟରେ ଅତିଥି ଭବନ ଓ ଆନୁଷଙ୍ଗିକ କାମ କରାଯିବ। ପରେ ଯଦି ଆହୁରି ଟଙ୍କା ଆବଶ୍ୟକ ପଡ଼େ, ଏହି ଅର୍ଥ ବି ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।
କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀନିବାସ ବରଖଡ଼ି, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପଦ୍ମଶ୍ରୀ ସି କେ ଶାସ୍ତ୍ରୀ, ପ୍ରଫେସର ହରେକୃଷ୍ଣ ଶତପଥୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ଜାତୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶିକ୍ଷା ମନ୍ତ୍ରାଳୟ ଯୁଗ୍ମ ସଚିବ ଡ. ନୀତା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ଓ ଅନ୍ୟମାନେ ଲକ୍ଷ୍ମୀପୁରାଣ ଉପରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।