ଘଟଗାଁ: ଗୋବର ଓ ନଷ୍ଟ ହୋଇଯାଇଥିବା ପରିବାକୁ ବ୍ୟବହା‌ର କରି ଜିଆଖତ ପ୍ରସ୍ତୁତ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଡ଼ଜାମୁପଶି ପଞ୍ଚାୟତ ନଳବିଲା ଗ୍ରାମର ଝରଣା ମହାନ୍ତ। ବନ ବିଭାଗ ଜରିଆରେ ଏହାକୁ ବିକ୍ରି କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। 

Advertisment

ସାତବର୍ଷ ତଳେ ଝରଣା ଗ୍ରାମର ମହିଳାମାନଙ୍କୁ ନେଇ ମା’ ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଝରଣା ଗୋଷ୍ଠୀର ସଭାପତି ଅଛନ୍ତି। ନିରୁପମା ମହାନ୍ତ ସମ୍ପାଦିକା, ଗୁରୁବାରୀ ମହାନ୍ତ, ଗୋଲାପ ମହାନ୍ତ, ସହଚର ମହାନ୍ତ, ଦେବକୀ ମହାନ୍ତ, ସମ୍ବାରୀ ମହାନ୍ତ, ଋକ୍ମିଣୀ ମହାନ୍ତ, ମଞ୍ଜୁଲତା ମହାନ୍ତ ପ୍ରମୁଖ ଗୋଷ୍ଠୀର ସଦସ୍ୟ ରହିଛନ୍ତି। ପୂର୍ବରୁ ଏହି ଗୋଷ୍ଠୀର ସଦସ୍ୟମାନେ ଖଲିପତ୍ର ପ୍ରସ୍ତୁତ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକୁଥିଲେ।  ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଠାବ ହେବା ପରେ ଜଙ୍ଗଲରୁ ପତ୍ର ସଂଗ୍ରହ କରିବାକୁ ବନ ବିଭାଗ ବାରଣ କରିଥିଲା। ମହିଳାମାନେ ଖଲିପତ୍ର ପ୍ରସ୍ତୁତ କରିପାରି ନଥିଲେ।

ପରେ ବନ ବିଭାଗ ଏହି ଗୋଷ୍ଠୀର ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ଝରଣାଙ୍କ ସମେତ ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ଗୋବର, ପରିବା ଚାଷରୁ ବାହାରୁଥିବା ବର୍ଜ୍ୟବସ୍ତୁ ବ୍ୟବହାର କରି ଜିଆଖତ ପ୍ରସ୍ତୁତ କଲେ। ଗତବର୍ଷ ଏହି ଗୋଷ୍ଠୀର ମହିଳାମାନେ ବନ ବିଭାଗକୁ ୫୦୦ ବସ୍ତା ଜିଆ‌ଖତ ବିକ୍ରି କରିଥିଲେ। ଏଠାରୁ ସଂଗୃହୀତ ହୋଇଥିବା ଜିଆଖତକୁ ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାକୁ ପଠାଯାଇଥିଲା। ଗତବର୍ଷ ଜିଆଖତ ବିକ୍ରି କରି ଝରଣା ୬୦ ହଜାର ଟଙ୍କା ରୋଜଗାର କରିଥିଲେ। ଚଳିତବର୍ଷ ୧ ଲକ୍ଷ ଟଙ୍କାର ଜିଆଖତ ବିକ୍ରି କରିଥିବା ସେ କହିଛନ୍ତି। କେବଳ ଝରଣା ନୁହନ୍ତି ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ମଧ୍ୟ ଜିଆଖତ ବିକ୍ରି କରି ଭଲ ରୋଜଗାର କରିଛନ୍ତି। ଅତିସହଜ‌ରେ ଜିଆଖତ ପ୍ରସ୍ତୁତ ହୋଇପାରୁଥିବା ବେଳେ ବନ ବିଭାଗ ଏହାକୁ କିଣି ନେଉଥିବାରୁ କୌଣସି ସମସ୍ୟା ହେଉନଥିବା ଝରଣା କହିଛନ୍ତି।