ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ଭାବେ ବିଜେଡିର ଲଲାଟେନ୍ଦୁ ପରିଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହା ସହ ଉପାଧ୍ୟକ୍ଷ ଆସନ ପାଇଁ ସଂଖ୍ୟାଗରିଷ୍ଠ ବିଜେଡିରେ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ଦଳର ହାଇକମାଣ୍ଡ ପଠାଇଥିବା ମୁଦା ଲଫାପାରେ କାଉନସିଲର୍ ଲଲାଟେନ୍ଦୁ ପରିଡ଼ାଙ୍କ ନାମ ଆସିବା ପରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବିଜେପିରୁ କି ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ। ଏହା ପରେ ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ଭାବେ ଶ୍ରୀ ପରିଡ଼ାଙ୍କୁ ନିର୍ବାଚିତ କରାଯାଇଛି।
ସୂଚନାଯୋଗ୍ୟ, ୧୯ଟି ଆସନରୁ ବିଜେଡି ସର୍ବାଧିକ ୧୧ଟି ଆସନରେ ବିଜୟୀ ହୋଇ ମ୍ୟାଜିକ ନମ୍ବରକୁ ଡେଇଁ ଯାଇଥିଲେ। କିନ୍ତୁ ଉପାଧ୍ୟକ୍ଷ ପଦବି ପାଇଁ ଦଳରେ ତିନି ଆଶାୟୀ ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ଜିଲ୍ଲା ଉପସଭାପତି ଲଲାଟେନ୍ଦୁ ପରିଡ଼ା, ଯୁବନେତା ଅନିଲ ମହାପାତ୍ରଙ୍କ ମଧ୍ୟରେ ଟଣାଓଟରା ଲାଗିଥିବାରୁ ଏହାର
ଫାଇଦା ନେଇ ବିଜେପି ଉପାଧ୍ୟକ୍ଷ ଆସନ ହାତେଇ ନେବ ବୋଲି ଯୋଜନା କରୁଥିଲା। କିନ୍ତୁ ନୂଆ ନିୟମରେ ସରକାର କ୍ରସ ଭୋଟିଂ ବାଟକୁ ବନ୍ଦ କରି ଦେବା ପରେ ବିଜେପି ଓହରି ଯାଇଥିଲା। ଭୋଟଦାନ କେନ୍ଦ୍ରରେ ନିଯୁକ୍ତ ରାଜନୈତିକ ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ସମ୍ପୃକ୍ତ ଦଳର କାଉନସିଲରମାନେ ଭୋଟ ଦେଇ ଦେଖାଇବା ନିୟମ ଯୋଗୁଁ ଭୋଟ ବାକ୍ସରେ ପକାଇବା ନିୟମ କ୍ରସ ଭୋଟିଂ ସୁଯୋଗକୁ ଛଡ଼ାଇ ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/c20b31ac-048c-42f0-ac0b-2de4e9af5bdd.jpg)