ଲଳିତ କଳା ଏକାଡେମି ପୁରସ୍କାର ପ୍ରଦାନ ସମାରୋହ: ବଂଶୀଧରଙ୍କୁ ‘ଧର୍ମପଦ ପୁରସ୍କାର’

ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ରଙ୍କ ସମେତ ୫ଜଣଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’, ୭ ଶିଳ୍ପୀଙ୍କୁ ‘ଚାରୁକଳା ପୁରସ୍କାର’

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ବର୍ଷ ୨୦୨୨ ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’ ସମେତ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଦିନ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୯୪ ବର୍ଷୀୟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ମର୍ଯ୍ୟାଦାଜନକ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାରସ୍ବରୂପ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ ବେହେରା ଓ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣାଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ରେ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।

ମନୋନୀତ ୭ ଶିଳ୍ପୀଙ୍କୁ ‘୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର’ ପ୍ରଦାନ କରାଯାଇଛି। ଭାସ୍କର୍ଯ୍ୟ କଳାରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଶିଳ୍ପୀ ଅଶାନ୍ତ ଦାସ, ମୁଦ୍ରଣ କଳାରେ ଶିଳ୍ପୀ ରବିନାରାୟଣ ଗୁପ୍ତା ଓ ଶିଳ୍ପୀ ଟୁକୁନା ଡାକୁଆ, ପାରମ୍ପରିକ ଚିତ୍ରକଳାରେ ଶିଳ୍ପୀ ନିରଞ୍ଜନ ମୁଖୀ, ଚିତ୍ରକଳାରେ ଶିଳ୍ପୀ ଶୀତିକାନ୍ତ ସାମନ୍ତସିଂହାର ଓ ଶିଳ୍ପୀ ଅମିତ କୁମାର ଓଝାଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିଳ୍ପୀମାନେ ସେମାନଙ୍କର ସାଧନା ଓ ସମର୍ପଣ ଭାବ ନେଇ କଳାକ୍ଷେତ୍ରକୁ ପ୍ରସ୍ଫୁଟିତ କରିଛନ୍ତି। ଉତ୍କର୍ଷ କଳା ଯୋଗୁଁ ଆମ ରାଜ୍ୟ ‘ଉତ୍କଳ’ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ଏହାର ସାକ୍ଷୀ। ସେହିପରି ବିଦେଶରେ କାମ୍ବୋଡିଆ, ଇଣ୍ଡୋନେସିଆର ବାଲିଦ୍ୱୀପରେ କଳାର ଆଲେଖ୍ୟ ରହିଛି। ରାଜ୍ୟ ସଂସ୍କୃତି ବିଭାଗ କଳା ଓ ସଂସ୍କୃତିର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିଆସୁଛି। ଏଥିପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।
ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏକାଡେମିର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ, ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ଧନ୍ୟବାଦ ଦେଇଥିଲେ। ମୃତ୍ୟୃଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କ ସମ୍ପର୍କରେ…
‘ଧର୍ମପଦ ପୁରସ୍କାର’ ପାଇବା ପରେ ଚିତ୍ରଶିଳ୍ପୀ ଶ୍ରୀ ପ୍ରତିହାରୀ ଖୁସିବ୍ୟକ୍ତ କରିଛନ୍ତି। ନିଜ ଭିତର କଳା ଓ ପ୍ରତିଭାକୁ ଉତ୍ତରପିଢ଼ିଙ୍କ ପାଖରେ ଉତ୍ତାରିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି ଓ ଆଗକୁ ମଧ୍ୟ ନିଜ ଭିତରେ ଯେଉଁ କଳା ଅଛି ସେ କଳାରେ ଅନେକ ଚିତ୍ରଶିଳ୍ପୀ ତିଆରି କରିବି ବୋଲି ସେ କହିଛନ୍ତି। ଆଗକୁ ଆହୁରି ମହାବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ଚିତ୍ରକଳା ଶିଖାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। କଳା ଓ ଶିଳ୍ପୀର ବିକାଶ ପା‌ଇଁ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗର ଉଦ୍ୟମ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ୧୯୨୮ରେ କେନ୍ଦ୍ରାପଡ଼ାରେ ଜନ୍ମିତ ଶ୍ରୀ ପ୍ରତିହାରୀ ଶାନ୍ତି ନିକେତନ କଳା ଭବନରୁ ୧୯୫୮ ମସିହାରେ କଳା ଶିକ୍ଷା କରିଥିଲେ। ସେ ଟେମ୍ପରା, ଧୌତଚିତ୍ର, ଜଳରଙ୍ଗ ଚିତ୍ର ତଥା କାଠ ଖୋଦେଇରେ ସିଦ୍ଧହସ୍ତ। ଚିତ୍ରରେ ସେ ଭାରତର ପ୍ରସିଦ୍ଧ ‘ଫ୍ରେସ୍‌କୋ ଚିତ୍ର’ (ଯାହା ଅଜନ୍ତା ଗୁମ୍ଫାଚିତ୍ର ଶୈଳୀରେ ହୋଇଥାଏ) ଶୈଳୀରେ ଅନେକ ଚିତ୍ର ଅଙ୍କନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଦୀର୍ଘ ୩୦ ବର୍ଷ ଧରି ସେ ବିହାରର ପାଟଣାଠାରେ ‘ଉପେନ୍ଦ୍ର ମହାରଥୀ ଇଣ୍ଡଷ୍ଟ୍ରିଆଲ ଡିଜାଇନ’ରେ ଡିଜାଇନର୍‌ ଭାବେ ସଫଳତାର ସହ କାର୍ଯ୍ୟ କରି ୧୯୮୮ ମସିହାରେ ସରକାରୀ ଚାକିରିରୁ ଅବ୍ୟାହତି ନେଇଥିଲେ। ତାଙ୍କର ଉଚ୍ଚକୋଟୀର କଳାକୃତି ପାଇଁ ୧୯୭୨ ମସିହାରେ ସେ ‘ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର’ ପାଇବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ଅନେକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର