ମାଲକାନଗିରି: ମାଲକାନଗିରି ବିଧାନସଭା ଆସନ ପାଇଁ ବିଏସପି ପ୍ରାର୍ଥୀ ଲଳିତ ନାରାୟଣ ମାଡକାମୀ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ନିକଟରୁ ନିଜ କର୍ମୀମାନଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରତିବର୍ଷ ବିଏସପି ତରଫରୁ ମାଲକାନଗିରି ବିଧାନସଭା ଆସନରେ ଜଣେ ପ୍ରାର୍ଥୀକୁ ଓହ୍ଲାଉଛି।
ଜିଲ୍ଲାରେ ବିଏସପିର ସଂଗଠନ ସେତେ ମଜବୁତ ନଥିଲେ ମଧ୍ୟ ଏହା ଧୀରେଧୀରେ ଆଗକୁ ବଢୁଥିବା ଅନୁମାନ କରାଯାଉଛି। ବିଏସପି କିନ୍ତୁ ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ଆଶା ପ୍ରକଟ କରିଛି। ଚିତ୍ରକୋଣ୍ଡା ଆସନରେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ବିଏସପି ମଇଦାନକୁ ଓହ୍ଲାଇ ନାହାନ୍ତି। ତେବେ ଆଗାମୀ ନିର୍ବାଚନରେ ଲଳିତ ମାଡକାମୀ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।