ଟେଲରିଂ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ଲଳିତା, ୧୦ ଜଣ ମହିଳାଙ୍କୁ ଦେଇଛନ୍ତି ନିଯୁକ୍ତି

ନୟାଗଡ଼,(ରିତେନ୍ଦ୍ର ଛାଟୋଇ): ସ୍ବାମୀ ଚାଲିଗଲା ପରେ ବି ଭାଙ୍ଗିପଡ଼ିନାହାନ୍ତି ସେ, କି ଅନ୍ୟ ଉପରେ ବୋଝ ହୋଇନାହାନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ବି ଉପାର୍ଜନକ୍ଷମ ହେବାର ବାଟ ଦେଖାଇଛନ୍ତି। ଏଭଳି ଜଣେ ମହିଳାଙ୍କୁ ନୟାଗଡ଼ ରାଜବଗିଚା ସିଂହଗଳି ମାର୍କେଟରେ ଦେଖିବାକୁ ମିଳିଛି। ସେ ହେଉଛନ୍ତି ପୁଷ୍ପା‌ଞ୍ଜଳି ଟେଲର୍ସର ମାଲିକାଣୀ ଲଲିତା ପାଣି। ଲଳିତା ଅପା, ଲଲିତା ଭାଉଜ ନାମରେ ନୟାଗଡ଼ରେ ସେ ବ‌େଶ୍‌ ପରିଚିତି ହାସଲ କରିଛନ୍ତି। ପୁ‌‌ଷ୍ପାଞ୍ଜଳି ଟେଲର୍ସର ମାଲିକାଣୀ ଭାବେ ନୟାଗଡ଼‌ରେ ତାଙ୍କର ବେଶ୍‌ ଆ‌ଦୃତି ମଧ୍ୟ ରହିଛି। ଲଳିତା ଏହି ଟେଲରିଂରୁ ମାସିକ ପାଖାପାଖି ୩୦ ହଜାର ଲାଭ କରୁଥିବା ବେଳେ, ୧୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତ ପ୍ରଦାନ କରିଛନ୍ତି।

୧୯୯୭ ମସିହାରେ ମାତ୍ର ଗୋଟିଏ ଟେଲର ମେସିନ୍‌ କିଣି ନିଜେ ଲଳିତା ଟେଲରିଂ ଆରମ୍ଭ କରିଥିଲେ। ସେତେବେ‌ଳେ ଖୁବ୍‌ କମ୍‌ କାମ ମିଳୁଥିଲା, ବିଶେଷ ପରିଚୟ ମିଳି ନ ଥିବାରୁ ମହିଳାମାନେ ପୋଷାକ ତିଆରି କରାଇବାକୁ ଆସୁନଥିଲେ। ଯେତିକି ଆୟ ହେଉଥିଲା, ସେଥ‌ିରେ ନିଜ ପରିବାର ଚଳିଯାଉଥିଲା। କ୍ରମେ ଦୃଢ଼ ଇଚ୍ଛାଶକ୍ତି ତଥା‌ ଟେଲରିଂ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଲଲିତା ୨୦୦୦ ମସିହାରେ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ରୁ ଋଣ ଆଣି ୩ଟି ଟେଲର୍‌ ମେସିନ୍‌ କିଣି ସଂପୂର୍ଣ୍ଣ ବ୍ୟବସାୟିକ ଢାଞ୍ଚାରେ ଗୀତାଞ୍ଜଳି ଟେଲର୍ସ ଆରମ୍ଭ କରିଥିଲେ। ନିଜ ଗାଁ ନୂଆଗାଁ ବ୍ଲକ୍‌ ତୋଟାସାହିର ଛୋଟିଆ ଘରେ ସେ ନିଜର ଏହି ବ୍ୟବସାୟିକ ପ୍ରତିଷ୍ଠାନ ଆରମ୍ଭ କରିଥିଲେ। ସିଣ୍ଡିକେଟ୍‌ ବ୍ୟାଙ୍କ୍‌ରୁ ଲୋନ୍ ପାଇବା ପରେ ସେ କ୍ରମେ ନିଜର ବ୍ୟବସାୟ ବଢ଼ାଇବା ସହିତ ନୟାଗଡ଼ ଆସିଥିଲେ। ନୟାଗଡ଼ ମ୍ୟୁନିସିପାଲିଟିର ମିଶ୍ର‌ ଲେନ୍‌ରେ ପ୍ରାୟ ୧୭ ବର୍ଷ ହେବ ସେ ରହି ଆସୁଛନ୍ତି। ବର୍ତ୍ତମାନ ୮ ଟା ଟେଲରିଂ ମେସିନ୍‌ ପକାଇ ସେ ନିଜର କାରବାର କରୁଛନ୍ତି। ବିବାହର କିଛି ବର୍ଷ ପରେ ତାଙ୍କ ସ୍ବାମୀ ଘନଶ୍ୟାମ ପାଣିଙ୍କର ବ୍ରେନ୍‌ ମ୍ୟାଲେରିଆରେ ମୃତ୍ୟୁ ଘଟିଥିଲା। ନିଜର ଏକମାତ୍ର ଝିଅକୁ ନେଇ କେମିତି ଚଳିବେ, ଝିଅକୁ ବଡ଼ କରି ତା’ର ଭବିଷ୍ୟତ ଗଢ଼ିବେ ସେଥିନେଇ ଚିନ୍ତାରେ ପଡ଼ିଯାଇଥିଲେ। ଏହି ସମୟରେ ସେ ଅନ୍ୟ କାହାରି ଉପରେ ନିର୍ଭର କରିବା ଅପେକ୍ଷା ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସାହସ ସଞ୍ଚୟ କରିଥିଲେ। ଯେଉଁଥିରେ ସେ ଆଜି ସଫଳତା ହାସଲ କରିଛନ୍ତି। ଏବଂ, ସଂଘର୍ଷ ପରେ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି।

ସମ୍ବନ୍ଧିତ ଖବର