ଦୀପାବଳି ପୂର୍ବରୁ ନିଆରା ଦୀପ ତିଆରି ପ୍ରତିଯୋଗିତା: ୨୦ ମିନିଟ୍‌ରେ ୬୪ ଦୀପ ଗଢ଼ି ଜୟଦେବ ପ୍ରଥମ

ଯୁଯୁମୁରା : ଘରେ ଘରେ ଷ୍ଟିଲ୍‌ ଓ ପ୍ଲାଷ୍ଟିକ୍‌ ବାସନର ବହୁଳ ବ୍ୟବହାର ଫଳରେ ମାଟି ପାତ୍ରର ବ୍ୟବହାର ହ୍ରାସ ପାଉଛି। କେବଳ କିଛି ବିଶେଷ କାର୍ଯ୍ୟକ୍ରମରେ ମାଟିପାତ୍ର ଲୋଡ଼ା ପଡୁଛି। ବିବାହ, ବ୍ରତ ଏବଂ ବିଶେଷ ପର୍ବପର୍ବାଣି ସମୟରେ ଲୋକମାନେ ମାଟି ପାତ୍ର ଖୋଜୁଛନ୍ତି। ମାଟିପାତ୍ରର ଚାହିଦା କମି ଯାଉଥିବାରୁ ଏହାକୁ କୌଳିକ ବୃତ୍ତି କରିଥିବା କୁମ୍ଭକାର ପରିବାରଙ୍କ ବଉେସା ମଧ୍ୟ କମିଛି। ପରିବାର ପ୍ରତିପୋଷଣ କରିବାକୁ ଯାଇ ସେମାନେ ଅନ୍ୟ ବ୍ୟବସାୟ କିମ୍ବା ବୃତ୍ତିକୁ ଆପଣାଇଥିବା ଦେଖାଯାଇଛି। ତେବେ ଏହା ମଧ୍ୟରେ ଏକ ଭଲ ଖବର ନଜରକୁ ଆସିଛି।

ଆଜି ପର୍ଯ୍ୟନ୍ତ ଏହି ବୃତ୍ତିକୁ ବଞ୍ଚାଇ ରଖିଥିବା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାଟିପାତ୍ର ତିଆରି କରୁଥିବା କିଛି ଲୋକଙ୍କୁ ନେଇ ନିଆରା ପ୍ରତିଯୋଗିତା କରାଯାଇଛି। ସାଧାରଣତଃ ଦୀପାବଳି ସମୟରେ ଘରେ ଘରେ ଦୀପ ଜାଳିବାର ପରମ୍ପରା ରହିଛି। ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହିତ ଦୀପ ତିଆରି କରି ବିକ୍ରି କରୁଥିବା ଲୋକଙ୍କୁ ଉତ୍ସାହିତ କରିବାକୁ ଯାଇ ଆୟୋଜିତ ହୋଇଛି ଏହି ସ୍ବତନ୍ତ୍ର ‘ଦୀପ ତିଆରି’ ପ୍ରତିଯୋଗିତା।

ସୂଚନା ଅନୁଯାୟୀ ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗାଁ ପଡ଼ିଆରେ ଆୟୋଜିତ ହୋଇଥିଲା ଦୀପ ତିଆରି ପ୍ରତିଯୋଗିତା। ଏଥିରେ ୩ଟି ଗାଁ ରୁଗୁଡ଼ିପାଲି, ଯୁଯୁମୁରା ଏବଂ ଅନ୍ଧାରୀ ଗାଁର ୧୨ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତଙ୍କୁ ୨୦ ମିନିଟ୍‌ର ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ଯିଏ ଅଧିକ ଦୀପ ତିଆରି କରିପାରିବ ତାଙ୍କୁ ପୁରସ୍କୃତ କରାଯିବାର ଘୋଷଣା କରାଯାଇଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଯୁଯୁମୁରାର ଜୟଦେବ ରଣା ଏହି ସମୟ ଅବଧି ମଧ୍ୟରେ ୬୪ଟି ଦୀପ ତିଆରି କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଯୁଯୁମୁରାର ଅନ୍ୟ ପ୍ରତିଯୋଗୀ ନିରଂଜନ ରଣା ୫୮ଟି ଓ ଅନ୍ଧାରୀର ବିଦ୍ୟାଧର ରଣା ୪୮ଟି ଦୀପ ତିଆରି କରି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଆଶାକର୍ମୀ ଅନ୍ନ ବିଶ୍ବାଳ ଅତିଥି ଭାବେ ଯୋଗ ଦେଇ ସଫଳ ପ୍ରତିଯୋଗୀଙ୍କୁ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ସଂଜୀବ ବିଶ୍ୱାଳଙ୍କ ଉଦ୍ୟମରେ ଏହି ନିଆରା ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ଶ୍ରୀ ବିଶ୍ୱାଳ କହିଛନ୍ତି, ଏହି ପରାମ୍ପରିକ ପ୍ରଥାକୁ ରକ୍ଷା କରିବା ଏବଂ ବୁଡ଼ି ଯାଉଥିବା ଏହି ବୃତ୍ତିକୁ ବଞ୍ଚାଇ ରଖିବାକୁ ଏହା ଆମର ଏକ ପ୍ରୟାସ। ଏତଦ୍‌ବ୍ୟତୀତ ଏହି ବୃତ୍ତି ସହିତ ଆଜି ପର୍ଯ୍ୟନ୍ତ ଜଡ଼ିତ ଥିବା ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରଖି ଏହି ପ୍ରତିଯୋଗିତା କରାଯାଇଥିଲା। ବିଶ୍ରବା ବିଶ୍ୱାଳ, ମନୋଜ ଦାଶ ଏବଂ ବୁଲୁ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଶ୍ରୀ ବିଶ୍ୱାଳଙ୍କ ଏହି ନିଆରା ଉଦ୍ୟମକୁ ସାଧାରଣରେ ଢେର ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର