ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାଞ୍ଚି, ଦେଓଘର ଓ ଚତରା ଜିଲ୍ଲାରେ ଲମ୍ପି ଭାଇରସ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବାକୁ ରାଜ୍ୟ ପଶୁସମ୍ପଦ ସୁନ୍ଦରଗଡ଼ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଝାରଖଣ୍ଡରୁ ମନୋହରପୁର ଦେଇ ସୁନ୍ଦରଗଡ଼ ଜିଲ୍ଲାକୁ ଆସୁଥିବା ଗାଈଗୋରୁଙ୍କ ଉପରେ କଡା ନଜର ରଖାଯାଇଛି। ସମସ୍ତ ପଶୁପାଳନ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାରେ କୌଣସି ପଶୁ ଦେହରେ ଲମ୍ପି ଭାଇରସ୍ର ଲକ୍ଷଣ ଦେଖାଦେଲେ ତୁରନ୍ତ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର କହିଛନ୍ତି, ‘‘ସୁନ୍ଦରଗଡ଼ ଜିଲ୍ଲାରେ ସୀମାନ୍ତର କୌଣସି ଗାଁରେ ଲମ୍ପି ଭାଇରସ୍ ଲକ୍ଷଣ ପଶୁଙ୍କ ଠାରେ ଦେଖାଯାଇ ନାହିଁ। ସଂକ୍ରମଣ ରୋକିବାକୁ ଆବଶ୍ୟକ ଔଷଧ ମହଜୁଦ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କୁ ଏଥପ୍ରତି କଡା ନଜର ରଖିବାକୁ କୁହାଯାଇଛି। ବିଶେଷ କରି ସୀମାନ୍ତ ଗାଁଗୁଡ଼ିକରେ ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି।’’
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡରେ ଲମ୍ପି ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ଓ ନୂଆଗାଁ ବ୍ଲକରେ ପ୍ରତ୍ୟେକ ଗାଁରେ ଭୟ ଭାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଗାଁଗୁଡ଼ିକରେ ସ୍ଥିତି ଆତଙ୍କଜନକ ରହିଛି। ଜରେଇକେଲା ରାସ୍ତା ଦେଇ ଝାଡ଼ଖଣ୍ଡର ପଶୁ ବେପାରୀ ନିୟମିତ ଭାବେ ଓଡ଼ିଶାକୁ ଗୋରୁ ଚାଲାଣ କରୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନଥିବାରୁ ସୀମାନ୍ତ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।
ଜରେଇକେଲା,ଭାଲୁଲତା, ତୁଳସୀକାନି, ଅଜୟକେଲା ଆଦି ପଞ୍ଚାୟତରେ ଶତାଧିକ ଗୋରୁ ଲମ୍ପି ଭାଇରସ ସଂକ୍ରମିତ ଥିବା ଲୋକେ ସନ୍ଦେହ କରୁଛନ୍ତି। ଝାଡ଼ଖଣ୍ଡରେ ସଂକ୍ରମଣ ହୋଇଥିବା ପ୍ରଚାର ହେବା ପରେ ଦୈନିକ ଶହ ଶହ ଗାଈ, ଛେଳି ଓ କୁକୁଡା ଜରାଇକେଲା ରାସ୍ତା ଦେଇ ଓଡ଼ିଶା ଅଣାଯାଉଥିବା ଦେଖିବାକୁ ମିଳିଛି। ରାଉରକେଲା ସମେତ ଓଡ଼ିଶାର ସୀମାନ୍ତ ଅଞ୍ଚଳଗୁଡ଼ିକ ଖାସୀ ମାଂସ ଓ ଚିକେନ୍ ପାଇଁ ଝାଡ଼ଖଣ୍ଡ ଉପରେ ନିର୍ଭର କରିଥାନ୍ତି। ଲମ୍ପି ଭାଇରସ ଆତଙ୍କ ପରେ ସୀମାବର୍ତ୍ତୀ ଓଡ଼ିଶାର ନିରାମିଷ ଭୋଜନ ପ୍ରିୟ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଅନ୍ୟପଟେ ଲମ୍ପି ଭାଇରସ୍ ଭୟ ଥିବାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବଜାରଗୁଡ଼ିକରେ ବିକ୍ରି ହେଉଥିବା କ୍ଷୀର ଚା’କୁ ମଧ୍ୟ ଲୋକମାନେ ପିଇବାକୁ ପସନ୍ଦ କରୁ ନାହାନ୍ତି। ଜରେଇକେଲା, ଭାଲୁଲତା ସମେତ ଆଦି ଅନେକ ଗାଁରେ କ୍ଷୀର ଚା’ ପରିବର୍ତ୍ତେ ନାଲି ଚା’ ପିଇବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Jsg_Cow_treatment-750x430-1.jpg)