ରାଉରକେଲା: ଭାରତରେ ଲମ୍ପି ଭାଇରସ୍‌ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଗତ ୨୦୧୯ ଅଗଷ୍ଟରେ ଓଡ଼ିଶାରେ ଏହି ଭାଇରସ୍‌ ଦେଖିବାକୁ ମିଳିଥିଲା। ଏବେ ଦେଶର ୧୦ଟି ରାଜ୍ୟରେ ଗୋରୁଙ୍କ ଦେହରେ ଏହି ଭାଇରସ୍‌ ଚିହ୍ନଟ କରାଯାଇଛି। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଲମ୍ପି ଭାଇରସ୍‌ ଚିହ୍ନଟ ହେବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଛି।  ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ଓ ନୂଆଗାଁ ବ୍ଲକରେ ପ୍ରତ୍ୟେକ ଗାଁରେ ଭୟ ଭାତାବରଣ ସୃଷ୍ଟି ହୋଇଛି। ବି‌ଶେଷ କରି ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଗାଁଗୁଡ଼ିକରେ ସ୍ଥିତି ଆତଙ୍କଜନକ ରହିଛି। ଜରେଇକେଲା ରାସ୍ତା ଦେଇ ଝାଡ଼ଖଣ୍ଡର ପଶୁ ବେପାରୀ ନିୟମିତ ଭାବେ ଓଡ଼ିଶାକୁ ଗୋରୁ ଚାଲାଣ କରୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନଥିବାରୁ ସୀମାନ୍ତ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଜରେଇକେଲା,ଭାଲୁଲତା, ତୁଳସୀକାନି, ଅଜୟକେଲା ଆଦି ପଞ୍ଚାୟତରେ ଶତାଧିକ ଗୋରୁ ଲମ୍ପି ଭାଇରସ ସଂକ୍ରମିତ ଥିବା ଲୋକେ ସନ୍ଦେହ କରୁଛନ୍ତି।

Advertisment

ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ସଂକ୍ରମଣ ହୋଇଥିବା ପ୍ରଚାର ହେବା ପରେ ଦୈନିକ ଶହ ଶହ ‌ଗାଈ, ଛେଳି ଓ କୁକୁଡା ଜରାଇକେଲା ରାସ୍ତା ଦେଇ ଓଡ଼ିଶା ଅଣାଯାଉଥିବା ଦେଖିବାକୁ ମିଳିଛି। ରାଉରକେଲା ସମେତ ଓଡ଼ିଶାର ସୀମାନ୍ତ ଅଞ୍ଚଳଗୁଡ଼ିକ ଖାସୀ ମାଂସ ଓ ଚିକେନ୍‌ ପାଇଁ ଝାଡ଼ଖଣ୍ଡ ଉପରେ ନିର୍ଭର କରିଥାନ୍ତି। ଲମ୍ପି ଭାଇରସ ଆତଙ୍କ ପରେ ସୀମାବର୍ତ୍ତୀ ଓଡ଼ିଶାର ନିରାମିଷ ଭୋଜନ ପ୍ରିୟ  ଲୋକଙ୍କ ଚିନ୍ତା ବଢ଼ି  ଯାଇଛି। ଅନ୍ୟପଟେ ଲମ୍ପି ଭାଇରସ୍‌ ଭୟ ଥିବାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବଜାରଗୁଡ଼ିକରେ ବିକ୍ରି ହେଉଥିବା କ୍ଷୀର ଚା’କୁ ମଧ୍ୟ ଲୋକମାନେ ପିଇବାକୁ ପସନ୍ଦ କରୁ ନାହାନ୍ତି। ଜରେଇକେଲା, ଭାଲୁଲତା ସମେତ କିଛି ଗାଁରେ କ୍ଷୀର ଚା’ ପରିବର୍ତ୍ତେ  ନାଲି ଚା’ ପିଇବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି।