ହାଟଡିହି: ହାଟଡିହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଏବେ ଲମ୍ପି ସ୍କିନ୍‌ ରୋଗ ବ୍ୟାପୁଛି। ଏଥିରେ ଆକ୍ରାନ୍ତ ହୋଇ ବହୁ ଗୋରୁଗାଈ ଓ ବାଛୁରିଙ୍କ ମୃତ୍ୟୁ ଘଟୁଛି। ଶାସଙ୍ଗ ଗ୍ରାମରେ ୪ଦିନ ଭିତରେ ୧୦ରୁ ଊର୍ଦ୍ଧ୍ବ ବାଛୁରିଙ୍କ ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୋରୁ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର ଚିନ୍ତାମଣି ପାଢ଼ୀଙ୍କ ଗୋଟିଏ ବାଛୁରି ଲମ୍ପି ସ୍କିନ୍‌ରେ ରୋଗରେ ପ୍ରାଣ ହରାଇଥିବା ବେଳେ କାଠି ପ୍ରଧାନଙ୍କ ଦୁଇଟି ବାଛୁରି ପ୍ରାଣ ହରାଇଛନ୍ତି। ଆଉ ଦୁଇଟି ଆକ୍ରାନ୍ତ ହୋଇଛନ୍ତି।

Advertisment

ବୀରଭଦ୍ର ବିଶ୍ୱାଳ, ସୁବାସ ସେଠୀ, ପ୍ରଭାକର ସାହୁ, ପ୍ରତାପ ସ୍ୱାଇଁଙ୍କ ଗୋଟିଏ ଲେଖାଏଁ ବାଛୁରି ପ୍ରାଣ ହରାଇଛନ୍ତି। ଅନାଥ ବେହେରାଙ୍କ ଦୁଇଟି, ବିଦ୍ୟାଧର ସ୍ୱାଇଁଙ୍କ ଦୁଇଟି, ଦେବେନ୍ଦ୍ର କୁଅଁରଙ୍କ ଦୁଇଟି ଏବଂ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଗୋଟିଏ ବାଛୁରି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କୁଣ୍ଡିସାହି ଗ୍ରାମର ରାଧାକୃଷ୍ଣ ପତିଙ୍କ ଗୋଟିଏ ବାଛୁରି ପ୍ରାଣ ହରାଇଥିବା ବେଳେ ୪ଟି ଗୋରୁ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଗୋରୁଙ୍କ ଗୋରୁଗାଈଙ୍କ ଗୋଡ଼ ଫୁଲିଯିବା ସହ ଫୋଟକା ବାହାରି ପଡ଼ୁଛି। ଗୋରୁଗୁଡ଼ିକ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଯେତେ ଔଷଧ ଦେଲେ ବି ତାହାକାମ କରୁନି। କିଛିଦିନ ପରେ ଗୋରୁ ଗୁଡ଼ିକ ପ୍ରାଣ ହରାଉଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ରଶ୍ମିରଞ୍ଜନ ନାୟକଙ୍କୁ ପଚାରିବାରୁ, ଚଳିତବର୍ଷ ହାଟଡିହି ବ୍ଲକ୍‌ର ଅଧିକାଂଶ ଗାଁରେ ଏହି ରୋଗ ବ୍ୟାପିଛି। ବିଭାଗର ଏକ ଟିମ୍‌ ଗାଁଗାଁ ବୁଲି ଔଷଧ ପ୍ରଦାନ କରୁଥିବା ସେ କହିଛନ୍ତି।