ଭିଜିଲାନ୍ସ ପଞ୍ଝାରେ ଲ୍ୟାମ୍ପସ ଏମ୍‌ଡି, ୧.୪୧ କୋଟିର ସମ୍ପତ୍ତି ଠାବ

ରାଉରକେଲା/ରାଜଗାଙ୍ଗପୁର : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜଗାଙ୍ଗପୁର କୁକୁଡା ଲ୍ୟାମ୍ପ୍‌ସର ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ରାଜଗାଙ୍ଗପୁରସ୍ଥିତ ଭାଟାପଡା ଓ ଅଫିସ୍‌ରେ ଚଢ଼ଉ କରିଛନ୍ତି । ଚଢ଼ଉ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଜାରି ରହିଥିଲା। ଭିଜିଲାନ୍ସ ଟିମ୍‌ର ୩ଡିଏସ୍‌ପି, ୪ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ଏଥିରେ ସାମିଲ ଥିଲେ। ଚଢ଼ଉବେଳେ ଭିଜିଲାନ୍ସ ଟିମ୍‌ର ଅଧିକାରୀମାନେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ମୋଟ ୧.୪୧ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି।

ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ରାଜଗାଙ୍ଗପୁର ଭାଟାପଡାରେ ତିନି ମହଲା ବିଳାସମୟ କୋଠା, ଗୋଟିଏ କାର୍‌, ଦୁଇଟି ମୋଟରବାଇକ୍‌, ୧୬.୦୭ଲକ୍ଷର ବ୍ୟାଙ୍କ ଜମା, ୧୪.୨୪ ଲକ୍ଷର ଘରକରଣା ସାମଗ୍ରୀ, ୮.୨୧ ଲକ୍ଷର ଇନ୍ୟୁରାନ୍ସ, ସୁନା ଓ ରୁପା ଅଳଙ୍କାର ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ଏଥିସହ ତାଙ୍କ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘସିପୁରାରେ ତାଙ୍କ ନାଁରେ କିଛି ଜମି ରହିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ତାଙ୍କ ପତ୍ନୀଙ୍କ ନାଁ ଘରୋଇ ବ୍ୟାଙ୍କରେ ଲକର ଥିବା ତଦନ୍ତରୁ ଜଣାପଡିଛି। ଅଧିକ ତଦନ୍ତ ଜାରି ରହିଥିବା ରାଉରକେଲା ଭିଜିଲାନ୍ସ ଏସ୍‌ପି ରଞ୍ଜନ କୁମାର ଦାସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜଗାଙ୍ଗପୁର ଲ୍ୟାମ୍ପ୍‌ସରେ ୧୯୯୬ ମସିହାରେ ବିତ୍ତ ବିଭାଗ ଆକାଉଣ୍ଟେଣ୍ଟ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ୨୦୦୭ରେ ପରିଚଳନା ନିର୍ଦେଶକ ଭାବେ ବିଭାଗ ପକ୍ଷରୁ ମନୋନୀତ ହୋଇଥିଲେ। ୨୦୧୨ ମସିହାରେ ତାଙ୍କ ପଦବିକୁ ବିଭାଗ ସ୍ଥାୟୀ କରିଥିଲା।

ସମ୍ବନ୍ଧିତ ଖବର