ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଅଧୀନ ସରସରା ଲ୍ୟାମ୍ପସ କାର୍ଯ୍ୟ ଚାଲିଛି ବାରଣ୍ଡାରେ। ନୂଆ ନିର୍ମାଣାଧୀନ କୋଠାଘର ସମ୍ପୂର୍ଣ୍ଣ କେବେ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଉକ୍ତ ଲ୍ୟାମ୍ପସ ପଛପଟେ ବିଧାୟକ ପାଣ୍ଠିରୁ ୬ ଲକ୍ଷ ଓ ସମବାୟ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଏହିପରି ସମୁଦାୟ ୧୧ ଲକ୍ଷ ଟଙ୍କା ଅନୁଦାନରେ ଏକ କୋଠା ନିର୍ମାଣ ହୋଇଛି। ଏଥିରେ ୩ଟି କୋଠରି ଓ ଗୋଟାଏ ବଡ଼ ହଲ୍ ସହିତ ଶୌଚାଳୟ ଓ ବାରଣ୍ଡା ନିର୍ମାଣ ହୋଇଥିବା ଜଣାପଡ଼ିଛି।

Advertisment

ତେବେ ଏହି କୋଠାଘର ଏ ଯାଏଁ ଅଧପନ୍ତରିଆ ଭାବେ ପଡ଼ିରହିଛି। ଅନୁଦାନ ଖର୍ଚ୍ଚ ହୋଇଯିବା ପରେ ଆଉ ପାଣ୍ଠି ନଥିବାରୁ ନିର୍ମାଣ ଅଟକିଛି ବୋଲି ସୂଚନା ମିଳିଛି। ଯାହାଫଳରେ ବର୍ତ୍ତମାନ ସୁଦ୍ଧା ପୁରୁଣା ମାଟିଖପର ଘରର ବାରଣ୍ଡାରେ ବସି ଅଧିକାଂଶ ଅଫିସ କାର୍ଯ୍ୟ ହେଉଛି। ବାରଣ୍ଡାରେ ଅଫିସ କାର୍ଯ୍ୟ ଦେଖି ଏଠଶକୁ ଆସୁଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ବାବଦରେ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଛନ୍ତି ଯେ, କୋଠାଘର ହୋଇଯାଇଛି। ହେଲେ ଯାହା ଅର୍ଥ ଅନୁଦାନରେ ମିଳିଥିଲା ସବୁ ସରିଯାଇଛି। ସେଥିପାଇଁ କୋଠାଘର କାନ୍ଥ ପଲସ୍ତରା, ତଳ ପଲସ୍ତରା ଆଉ ଲାଇନ୍ ୱାରିଂ ବାକି ରହିଛି। ଯଦି କୌଣସି ସଂସ୍ଥା ପକ୍ଷରୁ ଆଉ କିଛି ଅନୁଦାନ ମିଳିଯାଏ ତାହାହେଲେ ନିର୍ମାଣାଧୀନ କୋଠାଘରଟି ସମ୍ପୁର୍ଣ୍ଣ ହୋଇଯିବ ବୋଲି ପ୍ରକାଶ କରିଥିଲେ। ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବିହେଉଛି।